ଧରାବତରଣ କଲେ ମା’ ଦୁର୍ଗତି ନାଶିନୀ, ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଝଲସୁଛି ସହରାଞ୍ଚଳର ଦୁର୍ଗାପୂଜା, ପୂଜା କମିଟିଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ବର : ମା’ ଦୁର୍ଗତି ନାଶିନୀ ଧରାବତରଣ କରିଛନ୍ତି। ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। କିଛିଦିନ ଧରି ସୁଦୃଶ୍ୟ ତୋରଣ ଦେଖିବାକୁ ବ୍ୟାକୁଳ ଥିବା ମନ ବି ତୋଷ ହୋଇଛି। ଆଖି ପାଉ ନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜାରେ ମନ ପୂରି ଉଠିଛି। ଏନେଇ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ରାସ୍ତାଘାଟ ଆଲୁଅରେ ବିଛେଇ ହୋଇଛି। ମା’ଙ୍କୁ ଦର୍ଶନ କରି ବ୍ୟକ୍ତିବିଶେଷ ଆଜିଠୁ ବୁଲିବୁଲି ତୋରଣ ଦେଖିଛନ୍ତି। ଏଥିସହ କିଛି ସ୍ଥାନରେ ନବରାତ୍ର ଦାଣ୍ଡିଆ ଆରମ୍ଭ ହୋଇଯାଇଥିବାରୁ ସହରବାସୀ ଏହାର ମଜା ଉଠାଇଛନ୍ତି।

ରାୟଗଡ଼ା ଜିଲ୍ଲାରେ ପ୍ରମୁଖ ୧୮ ପୂଜାମଣ୍ଡପକୁ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରାଯାଇଛି। ଏବର୍ଷ ଏହି ୧୮ଟି ପୂଜା ମଣ୍ଡପରେ ପାଖାପାଖି ୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାୟଗଡ଼ା ସହର, ଜେକେପୁର, ଗୁଣପୁରରେ ଦୁର୍ଗାପୂଜା ମେଢ଼ ସୁନ୍ଦର ଭାବରେ ନିର୍ମାଣ କରାଯାଇଛି।

କିଛି ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ। କୋଉଠି ମେଲୋଡ଼ି ତ କୋଉଠି ରାମଲୀଳା। ପୁଣି କେଉଁଠି ନୃତ୍ୟର କାର୍ଯ୍ୟକ୍ରମ ତ ଆଉ କେଉଁଠି ପାରମ୍ପରିକ ପାଲା ପରିବେଷିତ ହୋଇଛି। ଯଦିଓ ସାରା ରାଜ୍ୟରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଚାଲିଛି, ତଥାପି ସହରାଞ୍ଚଳରେ ଟିକେ ଅଧିକ। ରାଜଧାନୀ ଭୁବନେଶ୍ୱରରେ ପୂଜାକମିଟିମାନଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ମେଢ଼ ତିଆରି ହୋଇଛି।

କଟକରେ ବିଭିନ୍ନ ମେଢରେ ଶୋଭା ପାଉଛି ୬୧ କିଲୋରୁ ଅଧିକ ସୁନା, ୯୦ କ୍ବିଣ୍ଟାଲରୁ ଅଧିକ ଚାନ୍ଦି। ପାରଂପରିକ ଭାବେ ବିଭିନ୍ନ ପୂଜା ମଣ୍ଡପରେ ଦଶହରା ପୂଜା ଆରମ୍ଭ ହୋଇଥିବା ବେଳେ ସୁନା, ଚାନ୍ଦିର ଚମକରେ ଝଲସୁଛି କଟକ ମହାନଗର। ୨୩ଟି ମେଢ ସଂପୂର୍ଣ୍ଣ ଚାନ୍ଦି ‌ବ୍ୟବହାର କରିଥିବା ବେଳେ ୯ଟି ମେଢରେ ସୁନା ବ୍ୟବହାର ହୋଇଛି। ଚଳିତ ବର୍ଷ ଶହେ ବର୍ଷ ପୂରଣ କରିଥିବା ଛତ୍ରବଜାର ପୂଜା କମିଟି ଆସନ୍ତା ବର୍ଷ ସଂପୂର୍ଣ୍ଣ ଚାନ୍ଦି ମେଢ କରିବାକୁ ନିଷ୍ପତ୍ତି ନେଇଛି। ବାଖରାବାଦରେ କେବଳ କାଳୀ ପୂଜା ସମୟରେ ଚାନ୍ଦି ମେଢ ପ୍ରଦର୍ଶନ ହେଉଥିବା ବେଳେ ଆସନ୍ତାବର୍ଷ ଏହି ହିସାବରେ କଟକରେ ମୋଟ ଚାନ୍ଦି ମେଢ ସଂଖ୍ୟା ୨୫ରେ ପହଞ୍ଚିବ। ବର୍ତ୍ତମାନର ବଜାର ଦର ଅନୁଯାୟୀ ହିସାବ କଲେ ସୁନା ଓ ଚାନ୍ଦିର ମୂଲ୍ୟ ପ୍ରାୟ ୭୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ସମ୍ବଲପୁର: ଗୋବିନ୍ଦତୋଲା ଦୁର୍ଗାପୂଜା ବଜେଟ ୮୦ ଲକ୍ଷ

ସମ୍ବଲପୁର ଜିଲ୍ଲାରେ ଏଥର ୧୦୬ଟି ସ୍ଥାନରେ ଦୁର୍ଗାପୂଜା ପାଳନ ହେଉଛି। ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି। ସମ୍ବଲପୁର ସହରରେ ୫୬ଟି ସ୍ଥାନରେ ଦୁର୍ଗାପୂଜା ହେଉଥିବା ବେଳେ ହୀରାକୁଦ, ବୁର୍ଲା ଓ ମାନେଶ୍ୱରରେ ୧୦ଟି ସ୍ଥାନରେ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି। ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ ଉପଲକ୍ଷେ ଗୋବିନ୍ଦତୋଲାରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ କୋଲକାତାର ଏକ ରାଜପ୍ରସାଦ ତୋରଣ ନିର୍ମାଣ କରିଛି। ପ୍ରାୟ ଦେଢ଼ କିଲୋମିଟର ଲାଇଟ ଡେକୋରେସନ ହୋଇଛି। କାଳିବାଡ଼ି ଦୁର୍ଗା ପୂଜା କମିଟି ଏଥର କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି। କାଳିବାଡି ଦୁର୍ଗାପୂଜା କମିଟି ଏଥର ହୀରକ ଜୟନ୍ତୀ ପାଳନ କରୁଛି।

ପୁରୀ ଓ ଭଦ୍ରକରେ ପୁଲିସ ମୁତୟନ

ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ କରିବା ପାଇଁ ପୁରୀ ଓ ଭଦ୍ରକରେ ବ୍ୟାପକ ପୁଲିସ ମୁତୟନ ହୋଇଚି। ପୁରୀରେ ଗୋଷାଣୀ ଯାତ୍ରା ପାଇଁ ୭ ପ୍ଲାଟୁନ ପୁଲିସ ମୁତୟନ ଥିବା ବେଳେ ଭଦ୍ରକ ଜିଲ୍ଲାରେ ୮ ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି। ପୁରୀ ସହରରେ ୪୦ଟି ସ୍ଥାନରେ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା ଚାଲିଛି। ସେହିଭଳି ସମଗ୍ର ଜିଲ୍ଲାରେ ୭୩ଟି ପୀଠରେ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଭଦ୍ରକରେ ଭସାଣୀ ଉତ୍ସବ ବାତିଲ କରାଯାଇଥିବା ବେଳେ ପୁରୀରେ ବିଜୟା ଦଶମୀ ଦିନ ସିଂହଦ୍ୱାରରେ ଗୋଷାଣୀମାନଙ୍କ ମିଳନ ପର୍ବ ଅନୁଷ୍ଠିତ ହେବ।

ରାଉରକେଲାରେ ହଙ୍ଗେରୀ ସଂସଦ ଭବନ

ଷ୍ଟିଲ ସିଟି ରାଉରକେଲାର ୧୦୭ଟି ସ୍ଥାନରେ ମା’ ଦୁର୍ଗା ପୂଜା ପାଉଛନ୍ତି। କେନ୍ଦ୍ରୀୟ ପୂଜା କମିଟି ଦ୍ୱାରା ପରିଚାଳିତ ସହରର ପୂଜା କ୍ଲବ ଗୁଡ଼ିକୁ ୩ ଭାଗରେ ବଣ୍ଟା ଯାଇଛି। ୮ଟି ସ୍ଥାନରେ ବିଗ ବଜେଟରେ ପୂଜାର୍ଚ୍ଚନା ଚାଲିଛି। ସେକ୍ଟର-୧ରେ ହଙ୍ଗେରୀ ସଂସଦ ଭବନ ଓ ସେକ୍ଟର-୨ ଯୋଧପୁର ପେଲେସ ଦର୍ଶକଙ୍କ ମନ କିଣୁଛି। ଶାନ୍ତି ଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ ପୁଲିସ ମୁତୟନ ଥିବା ବେଳେ ୯୦ ଜଣ ଅଧିକାରୀ ମନିଟରିଂ କରୁଛନ୍ତି। ସବୁ ପୂଜା ମଣ୍ଡପଗୁଡ଼ିକରେ ସିସିଟିଭି ଲାଗିଛି।

ସମ୍ବନ୍ଧିତ ଖବର