ପୁରୀ : କୋଭିଡ୍ ସଂକ୍ରମଣର ଭୟ ନଥିଲା କିଂବା ବୁଲିବାରେ ପ୍ରତିବନ୍ଧକ ନଥିଲା। ୨ବର୍ଷ ଅନ୍ତରରେ ମା’ ଓ ଭକ୍ତଙ୍କ ମଧ୍ୟରେ ହେଉଥିଲା ମହାମିଳନ। ମା’ ଜଗଜ୍ଜନନୀ ଦୁର୍ଗା ଓ ସନ୍ତାନସନ୍ତତିଙ୍କ ମଧ୍ୟରେ ଏହି ଭାବପୂର୍ଣ୍ଣ ମିଳନର ଦୃଶ୍ୟ ଥିଲା ବେଶ୍ ମନୋହର। ଶ୍ରୀକ୍ଷେତ୍ରରେ ୩୫ଟି ପୂଜା ମଣ୍ଡପରେ ଦେବୀ ପୂଜା ପାଉଥିବା ବେଳେ ସବୁଠି ଆଜି ଭକ୍ତଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଛି। ପୀଠରେ ମହାନବମୀ ପାଳିତ ହେଉଥିବା ବେଳେ ଆଜି ପୂଜା ମଣ୍ଡପରେ ମହାଷ୍ଟମୀ ପର୍ବ ପାଳିତ ହୋଇଥିଲା। ବିଶେଷକରି ମହାଷ୍ଟମୀ ଭୋଗ ପାଇଁ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଥିଲା। ମହାଷ୍ଟମୀ ଅବସରରେ ପୂଜା ମଣ୍ଡପରେ ମଙ୍ଗଳ ଆଳତି, ଅଷ୍ଟମୀ ବିହିତ ପୂଜା, ଚଣ୍ଡୀ ପାଠ, ହୋମ, ମହାଆଳତି, ରାତ୍ରି ବିହିତ ପୂଜା ଓ ବଳିଦାନ ବିଧି ଦେଖିବାକୁ ମିଳିଥିଲା। କେଉଁଠି କାକୁଡ଼ି ବଳି ଦିଆଯାଇଥିଲା ତ କେଉଁଠି ପୋଡ଼ା ମାଛ ବଳି ଦେଇ ମା’ଙ୍କୁ ଆପ୍ୟାୟିତ କରାଯାଇଥିଲା।
/sambad/media/post_attachments/wp-content/uploads/2022/10/p-13-738x430.jpg)
ଦେବୀ ପୀଠମାନଙ୍କରେ ଆଜି ମହାନବମୀ ପାଳିତ ହୋଇଛି। ବିଶେଷକରି ଶ୍ରୀମନ୍ଦିର ସହ ସଂଶ୍ଳିଷ୍ଟ ଦେବୀ ପୀଠରେ ଆଜି ମହାନବମୀ ପାଳିତ ହୋଇଛି। କିନ୍ତୁ କିଛି ପୂଜା ମଣ୍ଡପରେ ଆଜି ଅପରାହ୍ଣ ପର୍ଯ୍ୟନ୍ତ ମହାଷ୍ଟମୀ ପାଳିତ ହୋଇଥିବା ବେଳେ ଏହା ପରେ ସନ୍ଧିପୂଜା କରାଯାଇ ନବମୀ ବିହିତ ପୂଜା ଆରମ୍ଭ ହୋଇଥିଲା। ଚଣ୍ଡୀ ପାଠ, ହୋମ, ଆଳତି ଦର୍ଶନ ସହ ପୁଷ୍ପାଞ୍ଜଳି ଓ ରାତ୍ରବିହିତ ପୂଜା ଅନୁଷ୍ଠିତ ହୋଇଛି। ଦେବୀ ପୀଠମାନଙ୍କରେ ଆସନ୍ତାକାଲି ବିଶ୍ରାମ ଓ ଅପରାଜିତା ପୂଜା ସହ ପୀଠେ ବିଶ୍ରାମ ବିଧି ଅନୁଷ୍ଠିତ ହେବ। ବିଜୟା ଦଶମୀରେ ମା’ଙ୍କ ମଙ୍ଗଳ ଆଳତି, ଦଶମୀ ବିହିତ ପୂଜା, ବଳୟ ବନ୍ଦନ, ପୁଷ୍ପାଞ୍ଜଳି ଅର୍ପଣ, ପ୍ରତ୍ୟାଗମନ ସହ ମଙ୍ଗଳାର୍ପଣ ଅନୁଷ୍ଠିତ ହେବ।
ଗୌଡ଼ବାଡ଼ସାହି ବଙ୍ଗାଳି କଲୋନିରେ ବଙ୍ଗାଳି ପୂଜା ବିଧିରେ ଦେବୀ ମାତାଙ୍କୁ ପୂଜନ କରାଯାଉଛି। ୨୭ ବର୍ଷ ହେଲା ଏଠାରେ ମା’କ୍ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୋଇଆସୁଛି। ବିଶେଷକରି ଦଶହରା ଦିନ ସିନ୍ଦୁର ଖେଳ ଏଠାରେ ପ୍ରମୁଖ ଆକର୍ଷଣ ସାଜିବ। ମା’ଙ୍କୁ ପାନପତ୍ର ଦେଇ ବନ୍ଦାପନା କରିବା ସହ ସିନ୍ଦୁର ଖେଳ ପରମ୍ପରା ଅନୁଷ୍ଠିତ ହେବ। ପାଣି କଖାରୁ ବଳି ଓ ଖେଚୁଡ଼ି ଭୋଗ ସହ ମା’ଙ୍କ ପାଖରେ ଚୁଡ଼ା ଓ ଦହିଭୋଗ ମଧ୍ୟ କରାଯିବ ବୋଲି ସାର୍ବଜନୀନ ଦୁର୍ଗାପୂଜା କମିଟିର ସନ୍ଦୀପ କର୍ମକାର କହିଛନ୍ତି। ସେହିଭଳି ଜିଲ୍ଲା ସ୍କୁଲ୍ ନିକଟରେ ମା’ ଦୁର୍ଗତିନାଶିନୀ ଆଦିଶକ୍ତି ଭାବେ ପୂଜା ପାଉଥିବା ବେଳେ ଚଳିତ ବର୍ଷ ପୂଜା ୩୯ ବର୍ଷରେ ପଦାର୍ପଣ କରିଛି। ସପ୍ତମୀରୁ ସଙ୍ଖୁଡ଼ି ଭୋଗ କରାଯାଇଛି। ଖେଚୁଡ଼ି, ମାଛ ବେସର, ଖିରି ଭୋଗ ହୋଇଛି। ଦଶହରାରେ ଫଗୁ ଖେଳ ଅନୁଷ୍ଠିତ ହେବ। ଏହି ଅବସରରେ ପାଣି କଖାରୁ ବଳି ସହ ମା’ଙ୍କ ନିକଟରେ ପୋଡ଼ା ମାଛ ବଳି ପଡ଼ିଛି। ନବମୀରେ ପୂର୍ଣ୍ଣାହୂତି ପରେ ଦଶମୀରେ ମା’ଙ୍କ ବିସର୍ଜନ କରାଯିବ।
୬ରେ ଗୋସାଣୀ ଯାତ
ଆସନ୍ତା ୬ ତାରିଖରେ ମେଲାଣି ନେବେ ମା’। ସିଂହଦ୍ବାର ସମ୍ମୁଖରେ ସମବେତ ଦେବୀ ଗୋସାଣୀ ଯାତକୁ ଆସିବେ। ଦେବୀଙ୍କ ମେଢ଼ ପଟୁଆରରେ ସାହି ପରିକ୍ରମା କରି ସିଂହଦ୍ବାରରେ ପହଞ୍ଚିବା ପରେ ସେଠାରୁ ବିସର୍ଜନ ପାଇଁ ମେଲାଣି ନେବେ। ସମସ୍ତ ମେଢ଼ ମଙ୍ଗଳାହାଟସ୍ଥିତ ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବେ। ବିସର୍ଜନ ସ୍ଥଳରେ ପୌରପାଳିକା ପକ୍ଷରୁ ଆଲୋକ ବ୍ୟବସ୍ଥା କରାଯାଇଥିବା ବେଳେ ମୂର୍ତ୍ତି ବିସର୍ଜନରେ ସହାୟତା ପାଇଁ କ୍ରେନ୍ ବ୍ୟବସ୍ଥା ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।