ରାଉରକେଲା: ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା। ଆନନ୍ଦଉଲ୍ଲାସରେ, ଜାକଜମକରେ ବିଦାୟ ଦେଇଛନ୍ତି ବିଭିନ୍ନ ପୂଜା କମିଟି, ଶ୍ରଦ୍ଧାଳୁ। ବାଜା ବଜାଇ ବିଶାଳ ଶୋଭାଯାତ୍ରାରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତେବେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କିଛି ମଣ୍ଡପ ଏବେ ସଜେଇ ହୋଇ ରହିଛି। ଅଧିକ ଦୁଇଦିନ ଏଠାରେ ଶ୍ରଦ୍ଧାଳୁ ମଣ୍ଡପର ମଜା ନେଇପାରିବେ।
ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଉରକେଲାର ୧୦୮ଟି ସ୍ଥାନରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିଲା। ତେବେ ଏଥିମଧ୍ୟରୁ ୧୦୧ଟି ପୂଜା କମିଟି କେନ୍ଦ୍ରୀୟ ପୂଜା କମିଟି(ସିପିସି) ସହବନ୍ଧିତ ଥିବାବେଳେ ଅବଶିଷ୍ଟ ୭ଟି କମିଟି ସ୍ବତନ୍ତ୍ରଭାବେ ଆୟୋଜନ କରିଥିଲେ। ସିପିସି ସହବନ୍ଧିତ ୧୦୧ଟି ପୂଜା କମିଟି ମଧ୍ୟରୁ ଷ୍ଟିଲ୍ ଟାଉନସିପ୍ରେ ୫୦ଟି ସ୍ଥାନରେ ପୂଜା କରାଯାଇଥିବାବେଳେ ସିଭିଲ୍ ଟାଉନସିପ୍ ଅଞ୍ଚଳରେ ୩୮ଟି ଓ ଫର୍ଟିଲାଇଜର୍ ଟାଉନସିପ୍ରେ ୧୩ଟି ସ୍ଥାନରେ ପୂଜା କରାଯାଇଥିଲା। ଉମେଦ୍ ଭବନ, ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଆଇଏନ୍ଏସ୍ ମହେନ୍ଦ୍ରଗିରି, ସ୍ନାନବେଶ, ସ୍ବପ୍ନର ସବୁଜ ଘର ଆଦି ମଣ୍ଡପ ସମେତ ମା’ଙ୍କ କ୍ଲାସିକାଲ୍ ଏବଂ ଓରିଏଣ୍ଟାଲ୍ ମୂର୍ତ୍ତୀ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପାଞ୍ଚଦିନ ଧରି ମା’ଙ୍କ ପୂଜାର୍ଚ୍ଚନାପରେ ମଙ୍ଗଲବାର ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମଙ୍ଗଲବାର ସନ୍ଧ୍ୟାରେ ମେଲଣ ପଡ଼ିଆରେ ରାବଣ ପୋଡ଼ି ସହ ଦୁର୍ଗା ପୂଜା ସମ୍ପନ୍ନ ହୋଇଥିଲା। ପାଖାପାଖି ୪୦/୫୦ ହଜାର ଲୋକ ଛିଡ଼ା ହୋଇ ରାବଣ ପୋଡ଼ି ଉତ୍ସବର ମଜା ନେଇଥିଲେ। ବୁଧବାର ସନ୍ଧ୍ୟାରେ ଭସାଣୀ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉପଲକ୍ଷେ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ସେକ୍ଟର-୧୩ ମେଲଣ ପଡ଼ିଆରେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା। ତେବେ ହାତଗଣତି କିଛି ପୂଜା କମିଟିକୁ ଛାଡ଼ିଦେଲେ ଅନ୍ୟକେହି ମେଲଣ ପଡ଼ିଆକୁ ମୂର୍ତ୍ତି ଆଣିନଥିଲେ। ବିଭିନ୍ନ ପୂଜା କମିଟି ବିସର୍ଜନ ପାଇଁ ବାଲୁଘାଟ କୁତ୍ରିମ ପୋଖରୀକୁ ନେଇଥିଲେ। ତିନିଟି କ୍ରେନ୍ ସହାୟତାରେ ମୂର୍ତ୍ତୀ ବିସର୍ଜନ କରାଯାଇଥିଲା। ଏଥର ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିଲା। ବିଭିନ୍ନ ପୂଜା ପେଣ୍ଡାଲରେ ସିସି କ୍ୟାମେରା ଲଗାଯିବା ସହ ଚତୁଃପାର୍ଶ୍ବରେ ସୁସଜ୍ଜିତ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଏତଦ୍ବ୍ୟତୀତ ଆଇନଶୃଙ୍ଖଳା ବଜାୟ ରଖିବାକୁ ୨୪ ପ୍ଲାଟୁନ ଫୋର୍ସ ଓ ୧ ୟୁନିଟ୍ ଡିଭିଏଫ୍ ମୁତୟନ ହୋଇଥିଲେ।