ଦୂର୍ଗାପୂଜା ନେଇ ଅଣ୍ଟା ଭିଡିଲେଣି ପୂଜା କମିଟି; ବିଭିନ୍ନ ମଣ୍ଡପରେ ମାଟି ଅନୁକୂଳ ପୂଜା ସମାପନ

ଭଞ୍ଜନଗର: ଆରମ୍ଭ ହୋଇ ଯାଇଛି ପାର୍ବଣର ଋତୁ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପରେ ବର୍ତ୍ତମାନ ଜଗତଜନନୀ ଦୁର୍ଗ ପୂଜା ପାଇଁ ବିଭିନ୍ନ ପୂଜା କମିଟି ତତ୍ପର ହୋଇ ଉଠିଲେଣି।  ବିଗତ ଦୁଇ ବର୍ଷ କରୋନା କଟକଣା ପୂଜାକୁ ସଂପୂର୍ଣ୍ଣ ଫିକା କରିଦେଇଥିଲା। ଚଳିତ ବର୍ଷ ପରିସ୍ଥିତି ସ୍ବଭାବିକ ହୋଇଥିବାରୁ ବହୁ ଜାକ ଜକମରେ ପୂଜା କରିବା ନିମନ୍ତେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଏଭଳି ପରିସ୍ଥିତି କିଛି ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ମଧ୍ୟରେ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ ନୀତି ସମାପନ କରାଯାଇଛି।

ଦୁର୍ଗାପୂଜା ପାଇଁ ଆହୁରି ଏକମାସ ରହିଥିଲେ ମଧ୍ୟ ଗ‌ଣେଶ ପୂଜା ପରଠାରୁ ହିଁ ଅୟୋଜକ ମାନେ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ଚଳିତ ବର୍ଷ ଦଶହରାରେ ମୃଣୟ ମୃର୍ତ୍ତି ପୂଜା ନିମନ୍ତେ ଭଞ୍ଜନଗରରେ ହେଉଥିବା ୪ଟି ପୂଜା କମିଟି ପକ୍ଷରୁ ମାଟି ପୂଜା ସମାପନ ହୋଇ ସାରିଛି। ସୁଉଚ୍ଚ ମୂର୍ତ୍ତି, ବିରାଟ ତୋରଣ, ଆଲୋକ ସଜ୍ଜା ସହ ଦୀର୍ଘ ଦୁଇ ବର୍ଷ ପରେ ମହାଆଡମ୍ବରରେ ଦୁର୍ଗାପୂଜା କରିବା ପାଇଁ ଜୋରସୋରରେ ଲାଗିପଡିଛନ୍ତି କମିଟି ବୃନ୍ଦ। ଭଞ୍ଜନଗର ସହରରେ ଅନୁଷ୍ଠିତ ହେଉଥିବା ୪ ଗୋଟି ଦୁର୍ଗାପୂଜା ମଣ୍ଡପ ମଧ୍ୟରୁ ଖାଲାସି ସାହିରେ ହେଉଥିବା ବିଶ୍ବ ଜନନୀ କଳା ପରି‌‌‌ଷଦ, ଓଏସ୍‌ଆର୍‌ଟିସି ଏବଂ ଜଳ ସମ୍ପଦ ବିଭାଗର ‘ବିଡେକା’ ଅନୁଷ୍ଠାନ ପକ୍ଷରୁ ଏଥିନେଇ ମାଟି ଅନୁକୂଳ ପୂଜା କାର୍ଯ୍ୟ ରାଧା ଅଷ୍ଟମୀ ଅବସରରେ ସମାପନ କରାଯାଇଛି।

ଆଜି ଗଂଜାମ ଜିଲ୍ଲା ଭଂଜନଗର ସହରର ଅନ୍ୟତମ ପୁରାତନ ଅନୁଷ୍ଠାନ ଭଞ୍ଜ ସାହିତ୍ୟ ପରିଷଦରେ ‘ସାର୍ବଜନୀନ ଦୁର୍ଗାପୂଜା’ ନିମନ୍ତେ ମାଟିପୂଜା ସମାପନ ହୋଇଛି। ଏହି ଅନୁଷ୍ଠାନ ନିରବଚ୍ଛିନ ଭାବେ ଦୀର୍ଘ ୭୬ ବର୍ଷ ଧରି ପୂଜା କରି ଆସୁଛି। ଏହି ପୂଜାର ମୁଖ୍ୟ ପୁରୋଧା ରାଜେନ୍ଦ୍ର କୁମାର ବିଶୋୟୀ ଏବଂ ସଭାପତି ସୁଶାନ୍ତ ମହାପାତ୍ର କହିଛନ୍ତି ଯେ ଦୁଇବର୍ଷ ପରେ ପୁଣି ଧୁମ୍‌ଧାମ୍‌ରେ ପୂଜା କରିବାକୁ ସୁଯୋଗ ମିଳିଛି। ଚଳିତ ବର୍ଷ ନୂତନ ସଦସ୍ୟଙ୍କୁ ସାମିଲ କରି କମିଟି ପୁର୍ନଗଠିତ କରାଯାଇଛି। ଆଜିର ପୂଜାରେ ବୈଦିକ ପଣ୍ଡିତ ଉପେନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ ଉପଦେଷ୍ଟା ତଥା ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କର୍ମକର୍ତ୍ତା ଶିବରାମ ନାୟକ, ସୁଧୀର ରଞ୍ଜ‌ନ ବେହେରା, ଅମୂଲ୍ୟ ସାହୁ, ଟୁନା ଜେନା, କାଳୀ ତ୍ରିପାଠୀ, ଲୋକନାଥ କର, ସୀମାଞ୍ଚଳ ପଟ୍ଟନାୟକ, ପି.ହେମନ୍ତଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ।

ସେହିପରି ବିଶ୍ବ ଜନନୀ କଳା ପରିଷଦରେ ଦୀର୍ଘ ୪୩ ବର୍ଷ ଧରି ପୂଜା କରାଯାଉଛି। ଅନୁଷ୍ଠାନର ସଭାପତି ଶାନ୍ତୁନ କୁମାର ଦାଶଙ୍କ ପୌରହିତ୍ୟରେ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ ପୂଜାର ସମାପନ ହୋଇଥିଲା ସେହିପରି ୫୪ ବର୍ଷରେ ପଦାର୍ପଣ କରିଥିବା ବିଡେକାର ଦୁର୍ଗାପୂଜା ପାଇଁ ମଧ୍ୟ ମାଟି ଅନୁକୂଳ ହୋଇଛି। କୋଭିଡ ପୂର୍ବରୁ ଯେଭଳି ନିଆରା ଢଙ୍ଗରେ ପାଳନ ହେଉଥିଲା ସେଥିପାଇଁ ପ୍ରସ୍ତୁତି ଚାଲିଛି। ବିଭିନ୍ନ କଳାକୁଞ୍ଜ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ନେଇ ଯୋଜନା ରହିଥିବା ଜଣାପଡିଛି। ନିୟମ ଅନୁଯାୟୀ ଦୁର୍ଗାପୂଜାର ସମସ୍ତ ନୀତିକାନ୍ତି କରାଯିବା ବୋଲି ବ‌ିଡେକାର ସମ୍ପାଦକ ଇଂ ସନ୍ତୋଷ କୁମାର ଗୌଡ ପ୍ରକାଶ କରିଛନ୍ତି। ସେହିପରି  ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ପୂଜା କରିଆସୁଥିବା ଓଏସ୍‌ଆର୍‌ଟିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର