କଟକ : ଭସାଣି ପାଇଁ ଉତ୍ସବମୁଖର ହୋଇ ଉଠିଛି କଟକ ମହାନଗର। କଲେଜ ଛକରୁ ଆରମ୍ଭ କରି ମଙ୍ଗଳାବାଗ, ହାଵଡାମଟର, ବକ୍ସିବଜାର, ମଣିସାହୁଛକ, ତିନିକୋଣିଆ ବଚିଚା, ଗୌରୀଶଙ୍କର ପାର୍କ, ଚୌଧୁରୀବଜାର, ଜାଉଁଳିଆପଟ୍ଟି, ପିରିଙ୍ଗିବଜାର, ତେଲେଙ୍ଗାବଜାର, ପୁରୀଘାଟ ପର୍ଯ୍ୟନ୍ତ ଧାଡ଼ି ଲାଗିଛିି ମେଢ଼ ପଛକୁ ମେଢର ଶୋଭାଯାତ୍ରା। ସହରର ମଧୢଭାରେ ରହୁଥିବା ମେଢ଼ ଦୋଳମୁଣ୍ତାଇ-ସେମିନାରୀ ଛକ ଦେଇ ଦରଘାବଜାରଠାରେ ମୁଖ୍ୟ ଶୋଭାଯାତ୍ରାରେ ମିଶୁ ଥିବା ବେଳେ ବାରୁ ସେହି ଅଞ୍ଚଳ ଘଣ୍ଟ, ଘଣ୍ଟା ଓ ବାଦ୍ୟରେ ପ୍ରକମ୍ପିତ ହୋଇଛି। ଶୋଭାଯାତ୍ରା ସାଙ୍ଗକୁ ବିଭିନ୍ନ ପୂଜା କମିଟି ତଥା ସାମାଜିକ ସ˚ଗଠନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ଉତ୍ସବର ମାହୋଲକୁ ଦ୍ବିଗୁଣିତ କରିଛି। ବିସର୍ଜନ ପାଇଁ ପୁରୀଘାଟରେ ସିଏମ୍ସି ପକ୍ଷରୁ ତିନିଟି ଅସ୍ଥାୟୀ ପୋଖରୀ କରାଯିବା ସହିତ ଆବଶ୍ୟକ ଆଲୋକ ବ୍ୟବସ୍ଥା କରାଯାଇଛି। ମେଢ଼ ଶୋଭାଯାତ୍ରାକୁ ଶୃଙ୍ଖଳିତ, ନିୟନ୍ତ୍ରିତ ତଥା ଉପଭୋଗୀୟ କରିବା ପାଇଁ କମିସନରେଟ ପୁଲିସ୍ ପକ୍ଷରୁ ୬୦ ପ୍ଲାଟୁନ ଫୋର୍ସ୍ ସମେତ ୧୦୦ରୁ ଅଧିକ ଅଫିସର ନିଯୁକ୍ତ ହୋଇଛନ୍ତି।
ଗତକାଲି ଦଶମୀ ରାତିରୁ ମେଢ଼ ବିଜର୍ସନ ଆରମ୍ଭ ହୋଇଥିଲା। ଆଲାମ୍ଚାନ୍ଦ ବଜାର ଦୁର୍ଗା ମେଢ଼ ପ୍ରଥମେ ଦେବୀଗଡ଼ା ଗଡ଼ିଥିଲେ। ସେହିପରି ଗତକାଲି ଦ୍ବିତୀୟ ମେଢ଼ ଭାବେ ରାତି ୮ଟା ୪୦ ମିନିଟ୍ରେ ମାଛୁଆବଜାର ସର୍ପାଦୁର୍ଗା ମେଢ଼ ପୁରୀଘାଟରେ ବିସର୍ଜନ କରାଯାଇଥିବା ବେଳେ ତୃତୀୟ ମେଢ଼ ଭାବେ କାଠଗଡ଼ାସାହି ଦୁର୍ଗା ମେଢ଼ ରାତି ୧୦ଟା ୨୫ରେ ପୁରୀଘାଟ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜିତ ହୋଇଥିଲେ। ଗତକାଲି ରାତିରେ ମୋଟ ୮ଟି ମେଢ଼କୁ ଶୋଭାଯାତ୍ରା ନିଆଯାଇ ପୁରୀଘାଟ ଅସ୍ଥାୟୀ ପୋଖରୀରେ ମେଲାଣି ଦିଆଯାଇଥିଲା। ଆଜି ଏକାଦଶୀ ତିଥିରେ ପ୍ରଥମ ମେଢ଼ ଭାବେ ମେହେନ୍ଦିପୁର ଦୁର୍ଗା ମେଢ଼ ଦିନ ୧୨ଟା ୧୦ମିନିଟ୍ରେ ପୁରୀଘାଟ ଗଡ଼ିଥିବା ବେଳେ ରାତି ୮.୩୦ ମଧୢରେ ମୋଟ ୪୬ଟି ମେଢ଼ ବିସର୍ଜନ କରାଯାଇଛି। ଆଜି ବିଳମ୍ବିତ ରାତି ସୁଦ୍ଧା ଏହି ସଂଖ୍ୟା ୭୦ ଟପିବ ବୋଲି ଆଶା କରାଯାଉଛି। ଏଠାରେ ସୂଚନା ଯୋଗ୍ୟ କି, ଚଳିତ ବର୍ଷ ୧୬୧ରୁ ଅଧିକ ମଣ୍ତପରେ ଦୁର୍ଗା, ମହାଦେବ ପାର୍ବତୀ, ଚୈତନ୍ୟ ଦେବ, କାଳୀୟଦଳନ, ପିତୁଳା ଆଦି ପୂଜା କରାଯାଇଥିବା ବେଳେ ଗତକାଲି ଦଶମି ରାତିରୁ ଭସାଣି ଆରମ୍ଭ ହୋଇଛି। ଭସାଣି ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ, କଟକ ମହାନଗର ନିଗମ, ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟିର ଅଧିକାରୀ ଓ କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରୁଛନ୍ତି।
ବାଟ ଦେଖାଇଲା କଟକ: ପଲିଥିନମୁକ୍ତ ପୂଜା, ନିଶାମୁକ୍ତ ଭସାଣି
କଟକ : କଟକର ଐତିହାସିକ ଦଶହରା ଓ ଭସାଣି ଉତ୍ସବ ଚଳିତ ବର୍ଷ ଅନେକ କାରଣରୁ ଉଦାହରଣ ପାଲଟିଛି। ପ୍ରାୟ ଅଧିକାଂଶ ପୂଜା କମିଟି କର୍ମକର୍ତ୍ତା ସ୍ବଇଚ୍ଛାରେ ପଲିଥିନମୁକ୍ତ ପୂଜା ଓ ନିଶାମୁକ୍ତ ଭସାଣି ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରାୟ ସବୁ ପୂଜା ମଣ୍ଡପରେ ଚଳିତ ବର୍ଷ ପଲିଥିନମୁକ୍ତ ପୂଜା ପାଇଁ ଆହ୍ବାନ ଦିଆଯାଇଥିଲା। ସେହିଭଳି ପାଖାପାଖି ୫୦ରୁ ଅଧିକ ପୂଜା କମିଟି ନିଶାମୁକ୍ତ ଭସାଣି ଆୟୋଜନ ପାଇଁ ନିଷ୍ପତ୍ତି ନେଇଥିଲେ। ଏସବୁ ପଦକ୍ଷେପ ଚଳିତ ବର୍ଷ ଶହେ ପ୍ରତିଶତ ସଫଳ ହୋଇ ପାରି ନଥିଲେ ବି ସହରବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ପୂଜା ଓ ଭସାଣି ଆୟୋଜନ ଅନେକ କ୍ଷେତ୍ରରେ ଶୃଙ୍ଖଳିତ ହୋଇପାରିଛି। ଆଗାମୀ ବର୍ଷ ମାନଙ୍କରେ ଏହାର ସୁଫଳ ନିଶ୍ଚିତ ମିଳିବ ବୋଲି କଟକ ମହାନଗର ଶାନ୍ତି କମିଟିର ସାଧାରଣ ସଂପାଦକ ଭିକାରି ଦାସ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/SRV_6938.jpg)
/sambad/media/post_attachments/wp-content/uploads/2018/10/SRV_6786-300x214.jpg)