ବ୍ରହ୍ମପୁର: ସର୍ବଭାରତୀୟ ପ୍ରାଶାସନିକ ସେବା(ଆଇଏଏସ୍) ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି ବ୍ରହ୍ମପୁରର ଦୁର୍ଗା ପ୍ରସାଦ ଅଧିକାରୀ। ଆଜି ପ୍ରକାଶିତ ସିଭିଲ୍ ସର୍ଭିସ ପରୀକ୍ଷାଫଳରେ ଦୁର୍ଗାପ୍ରସାଦ ୧୬୨ନମ୍ବର ରୢାଙ୍କରେ ସ୍ଥାନ ପାଇଛନ୍ତି। ପିଲାଦିନରୁ ଆଇଏଏସ୍ ଅଧିକାରୀ ହେବାର ସ୍ବପ୍ନ ରଖିଥିବା ଦୁର୍ଗାପ୍ରସାଦ ୨୦୧୭ ମସିହାରେ ପ୍ରଥମଥର ପାଇଁ ୟୁପିଏସ୍ସି ପରୀକ୍ଷା ଦେଇଥିଲେ। ଏଥିରେ ସେ ସଫଳ ନହେବାରୁ ପୁଣି ୨୦୧୯ ଓ ୨୦୨୦ରେ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଏହି ଦୁଇଟି ସୁଯୋଗରେ ବି ସେ ସଫଳତା ହାସଲ କରି ନଥିଲେ ବି ଭାଙ୍ଗି ପଡ଼ିନଥିଲେ। ୨୦୨୧ରେ ସେ ପରିଶ୍ରମର ଫଳ ପାଇ ୨୦୫ ରୢାଙ୍କରେ କୃତକାର୍ଯ୍ୟ ହୋଇଥିଲେ।
ତେବେ ରାଙ୍କ ହାର କମ୍ ଥିବା ଯୋଗୁ ଆଇଏଏସ୍ ହେବାର ସ୍ବପ୍ନ ଅଧୁରା ରହିଯାଇଥିଲା। ଯଦିଓ ଆଇଏଏସ୍ ହୋଇପାରି ନଥିଲେ। କିନ୍ତୁ, ଆଇପିଏସ୍ ଭାବେ ଯୋଗଦେଇ ହାଇଦ୍ରାବାଦଠାରେ ତାଲିମ ଗ୍ରହଣ କରି ଆସୁଥିଲେ। ଏହାରିମଧ୍ୟରେ ସେ ପୁଣି ୟୁପିଏସ୍ସି ପରୀକ୍ଷା ଦେଇଥିଲେ। ଶେଷରେ, ସେ ସଫଳ ହୋଇଛନ୍ତି। ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସଫଳତା ହାସଲ କରିବା ସହିତ ଦେଶବାସୀଙ୍କ ସେବା କରିବାର ସୌଭାଗ୍ୟ ତାଙ୍କୁ ମିଳିଲା ବୋଲି ଦୁର୍ଗାପ୍ରସାଦ ପ୍ରତିକ୍ରିୟାରେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁର କୋର୍ଟପେଟା ବିଦ୍ୟାନଗର ନିବାସୀ ଚଣ୍ଡୀ ପ୍ରସାଦ ଅଧିକାରୀ ଓ ଜ୍ୟୋତ୍ସ୍ନାରାଣୀ ଅଧିକାରୀଙ୍କ ପୁଅ ଦୁର୍ଗା ପ୍ରସାଦ। ସର୍ବଭାରତୀୟ ପ୍ରାଶାସନିକ ସେବାରେ କୃତକାର୍ଯ୍ୟ ହେବା ପରେ ଦୁର୍ଗାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି।