ଆଗକୁ ଦୁର୍ଗାପୂଜା, ହେଲେ ଉତ୍ସାହ ନାହିଁ

ସମ୍ବଲପୁର: ଦିନ କେଇଟା ଗଲେ ଦୁର୍ଗାପୂଜା। ସେଥି ପାଇଁ ମଣ୍ଡପ ତିଆରି ଚାଲିଛି। କିନ୍ତୁ କାହାରି ମନରେ ଉତ୍ସାହ ନାହିଁ। କାରଣ ସେମାନେ ଅତି କଷ୍ଟରେ ଦିନ କାଟୁଛନ୍ତି। ଘର ବାହାରକୁ ବାହାରିବା ବି ଦୁରୁହ ହୋଇଯାଇଛି। ହେଲେ ଦିନେ କି ସପ୍ତାହେ ନୁହେଁ, ୬ ବର୍ଷ ହେଲାଣି ଏଭଳି କଷ୍ଟ ଭୋଗି ଆସୁଛନ୍ତି ସମ୍ବଲପୁର ସହରର କେନ୍ଦ୍ର ସ୍ଥଳରେ ଥିବା ଧୁଚୁରାପଡ଼ା ଓ ଗୁଜୁରାତି କଲୋନିବାସୀ। କାରଣ ୬ ବର୍ଷ ପୂର୍ବେ ନିର୍ମାଣ ଆରମ୍ଭ ହୋଇଥିବା ଫ୍ଲାଇଓଭର୍ ଏହି ଅଞ୍ଚଳବାସୀଙ୍କ ଦୈନନ୍ଦିନ ଜୀବନକୁ ଦୁର୍ବିସହ କରି ଦେଇଛି। ସେବେଠାରୁ ସେମାନଙ୍କ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ। ରହିଥିବା ସଂକୀର୍ଣ୍ଣ ରାସ୍ତାକୁ ନିର୍ମାଣ ପାଇଁ ଅନେକ ସମୟ ଧରି ବନ୍ଦ କରି ରଖା ଯାଉଥିଲା। କିନ୍ତୁ ଫ୍ଲାଇଓଭର୍ ତିଆରି ଶେଷ ହେବା ପରେ ବି ଏହି ଅଞ୍ଚଳବାସୀଙ୍କ ଦୁଃଖ ଗଲାନି।

କାରଣ ଫ୍ଲାଇଓଭର୍ କାମ ମାର୍ଚ୍ଚ ମାସରୁ ଶେଷ ହୋଇଥିଲେ ବି ଏ ପର୍ଯ୍ୟନ୍ତ ଧୁଚୁରାପଡ଼ା, ଗୁଜୁରାଟି କ​େ​ଲାନି ପାର୍ଶ୍ବ ସର୍ଭିସ୍ ରୋଡ୍ କାମ ହୋଇ ନାହିଁ। ଓଲଟା ଦଶହରା ଆସିବା ଠିକ୍ ପୂର୍ବରୁ ପୂର୍ତ୍ତ ବିଭାଗ ସର୍ଭିସ୍ ରୋଡ୍ ନିର୍ମାଣ ନାମରେ ଉକ୍ତ ରାସ୍ତାକୁ ସଂପୂର୍ଣ୍ଣ ଖୋଳି ପକାଇଛି। ଉକ୍ତ ରାସ୍ତା ଦେଇ ଘର ମାନଙ୍କୁ ଯାଇଥିବା ପାଣି ପାଇପ୍ ଗୁଡ଼ିକ ଫଟାଇ ଦେଇଛି। ପାଇପ୍ ଫାଟି ପାଣି ପିଚିକାରି ମାରୁଥିବା ବେଳେ ଲୋକେ ସେଠାରେ ଗାଧୋଉଛନ୍ତି ଓ ବାଲଟିରେ ଘର ପାଇଁ ପାଣି ସଂଗ୍ରହ କରି ନେଉଛନ୍ତି। ସଂପୂର୍ଣ୍ଣ ରାସ୍ତାରେ ପାଣି ଧାର ଛୁଟୁଥିବାବେଳେ ଲୋକେ ଘରୁ ବାହାରିପାରୁ ନାହାନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲ୍ ଯିବା କଷ୍ଟକର ହୋଇ ପଡ଼ିଛି। ରାସ୍ତା ଏମୁଣ୍ଡରୁ ସେମୁଣ୍ଡ ଖୋଲି ଦିଆଯାଇଛି। ସାମ୍‌ନାରେ ଧୁଚୁରାପଡ଼ା ଦୁର୍ଗା ମଣ୍ଡପ ନିର୍ମାଣ ଚାଲିଥିବାବେଳେ ଏହି କାରଣରୁ ଆୟୋଜକଙ୍କ ଉତ୍ସାହରେ ଭଟ୍ଟା ପଡ଼ି ଯାଇଛି। ପୂଜାର ଠିକ୍ ପୂର୍ବରୁ ରାସ୍ତାର ଏଭଳି ଅବସ୍ଥା ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତା ନିର୍ମାଣ ପାଇଁ ସେମାନେ ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଥିଲାବେଳେ ପୂର୍ତ୍ତ ବିଭାଗ ଓ ଠିକାଦାର ଲୋକଙ୍କ ଭାବନା ସହ ଖେଳୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୨ ଦିନ ମଧ୍ୟରେ ରାସ୍ତା ନିର୍ମାଣ କରିବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର