ସବୁ ପୂଜା ମଣ୍ଡପ କରିବେ ୪ ଫୁଟ୍‌ର ମୂର୍ତ୍ତି

ପୁଲିସ କମିସନରଙ୍କ ନିର୍ଦ୍ଦେଶ

ବେଲ ବରଣୀ, ପ୍ରାଣ ପ୍ରତିଷ୍ଠା ନହେବା ଯାଏ ମୂର୍ତ୍ତି ମାଟି ବୋଲି ବିଚାର କରାଯାଇପାରେ
ଉଚ୍ଚ ମୂର୍ତ୍ତି ନିର୍ମାଣ କରିଥିବା ମଣ୍ଡପ ଉଚ୍ଚତା, ରୂପରେଖ ବଦଳାଇବେ

କଟକ : କଟକ ଦଶହରାରେ ଏଥର ୪ ଫୁଟ୍‌ ଅଥବା କମ୍‌ ଉଚ୍ଚତାର ମୂର୍ତ୍ତି ପୂଜା ପାଇବେ। ଯେଉଁ କେତେକ ମଣ୍ଡପ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି, ସେମାନେ ବି ଆଉ ଏଥିପାଇଁ ଅନୁମତି ପାଇବେ ନାହିଁ। ବିଶ୍ବକର୍ମା ଓ ପଣ୍ଡିତଙ୍କ ମତରେ ଯେ ପର୍ଯ୍ୟନ୍ତ ବେଲ ବରଣୀ ଅଥବା ପ୍ରାଣ ପ୍ରତିଷ୍ଠା ନହୋଇଛି, ସେ ପର୍ଯ୍ୟନ୍ତ ମୂର୍ତ୍ତିର ଉଚ୍ଚତା ଅଥବା ରୂପରେଖ ବଦଳାଇବାରେ କୌଣସି ସମସ୍ୟା ନାହିଁ। ମୁଣ୍ଡ/ମୁହଁ ନଥିବା ମୂର୍ତ୍ତିକୁ ବାସ୍ତବରେ ମାଟି ବୋଲି ବିଚାର କରାଯାଇପାରିବ। ଏଭଳି ଟିପ୍ପଣୀ ସହ ପୁଲିସ କମିସନର କଟକ ଦଶହରାରେ ମୂର୍ତ୍ତି ବିବାଦରେ ଅନ୍ତ ଘଟାଇବାକୁ ଚେଷ୍ଟା କରିଛନ୍ତି। ଏହାଉପରେ ହାଇକୋର୍ଟଙ୍କର ଯଦି କୌଣସି ନିର୍ଦ୍ଦେଶ ଆସେ ତେବେ ତାହା ଜାରି କରାଯିବ ବୋଲି କମିସନର ସ୍ପଷ୍ଟ କରିଛନ୍ତି।

ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଆଜି ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ଯେ ଗତକାଲି ହାଇକୋର୍ଟଙ୍କ ରାୟ ପରେ ବାଲୁବଜାର ପୂଜା କମିଟି, ଫିରିଙ୍ଗ ବଜାର ପୂଜା କମିଟି, ସେକ୍ଟର-୯ ଆବାସିକ ସଂଘ, ରାଉସାପାଟଣା ଦୁର୍ଗା କାଳି ପୂଜା କମିଟି, ନିମସାହି ପୂଜା କମିଟି, ଯୋବ୍ରା ନାଗରିକ ମଂଚ ଭଳି ୬ଟି ପୂଜା ମଣ୍ଡପ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ପୁଲିସ ନିକଟରେ ଆବେଦନ କରିଥିଲେ। ପୁଲିସ ପକ୍ଷରୁ ସେହି ମଣ୍ଡପ ସମେତ ସହରର ଅନ୍ୟ ମଣ୍ଡପମାନଙ୍କର ସ୍ଥିତି ମଧ୍ୟ ଯାଞ୍ଚ କରାଯାଇଥିଲା। ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ୧୪୨ଟି ପୂଜା ମଣ୍ଡପ ଏଯାଏ ମୂର୍ତ୍ତି ନିର୍ମାଣ ଆରମ୍ଭ କରିନାହାନ୍ତି। ୯ଟି ପୂଜା ମଣ୍ଡପ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ ୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। ୭ଟି ପୂଜା ମଣ୍ଡପ ୫ ଫୁଟ ଉପରେ ଏବଂ ୨ଟି ମଣ୍ଡପ ୮ଫୁଟ ପାଖାପାଖି ମୂର୍ତ୍ତି ନିର୍ମାଣ କରିଛନ୍ତି। ତେଣୁ ୯୩ ପ୍ରତିଶତ ମଣ୍ଡପ ସରକାରଙ୍କ ୧୦ ସେପ୍ଟେମ୍ବର ନିୟମାବଳୀକୁ ପାଳନ କରିବା ସହିତ ସାଧାରଣ ସ୍ବାର୍ଥ ସପକ୍ଷରେ ଅଛନ୍ତି। ଅଗଷ୍ଟ ୨୬ ତାରିଖରେ କଟକ ମହାନଗର ପୂଜା କମିଟି, ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି କର୍ମକର୍ତ୍ତା, ପ୍ରତିନିଧିମାନେ ବର୍ତ୍ତମାନ ମହାମାରୀ ସ୍ଥିତିରେ ସର୍ବସମ୍ମତି କ୍ରମେ ପୂଜା ସଂକ୍ରାନ୍ତ ନିୟମାବଳୀ ପ୍ରସ୍ତୁତ କରିଥିଲେ।

ଅଗଷ୍ଟ ୨୮ ତାରିଖରେ ଅନୁଷ୍ଠିତ ବୈଠକରେ ୩୦ଟି ମଣ୍ଡପର ପ୍ରତିନିଧି ଯୋଗଦେଇଥିଲେ।

ଏଭଳି ନିଷ୍ପତ୍ତି ସଂପର୍କରେ ହାଇକୋର୍ଟରେ ଆବେଦନକାରୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆଙ୍କ ସମେତ ଉପସ୍ଥିତ ଥିବା ଅନ୍ୟମାନେ ବି ଅବଗତ ଥିଲେ। କିନ୍ତୁ ସେ ପରବର୍ତ୍ତୀ ସମୟରେ ଅନ୍ୟ ଆଭିମୁଖ୍ୟ ଗ୍ରହଣ କରିଥିଲେ। ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ମହାଳୟାରେ ଖଡ଼ିଧରା ନୀତି ସଂପର୍କରେ ଯେଉଁ ସୂଚନା ଦିଆଯାଇଥିଲା, ସେ ସଂପର୍କରେ ଅନୁଭବି ବିଶ୍ବକର୍ମା ପ୍ରଦୀପ ବେହେରା, ଦୁଇ ଜଣ ଅତ୍ୟନ୍ତ ଅନୁଭବୀ ପୂଜକ ଚହଟାନଗରର ରାଜକିଶୋର ଶତପଥୀ, ଚଣ୍ଡୀ ମନ୍ଦିରର ମନୋଜ ପଣ୍ଡାଙ୍କ ସହ ଆଲୋଚନା କରାଯାଇଥିଲା। ଆଲୋଚନାରୁ ସ୍ପଷ୍ଟ ହୋଇଥିଲା ଯେ ମଳମାସ ପୂର୍ବରୁ ମୂର୍ତ୍ତି ନିର୍ମାଣ ଆରମ୍ଭ ବିଧି ରହିଥିବାରୁ ରାଧ‌ାଷ୍ଟମୀରୁ ମାଟି ଅନୁକୂଳ ହୁଏ। ୧୭ ସେପ୍ଟେମ୍ବରରେ ଖଡ଼ିଧରା ନୀତି କରିବାର ସେଭଳି କୌଣସି ଆବଶ୍ୟକତା ନଥିଲା। ୧୭ ସେପ୍ଟେମ୍ବର ପୂର୍ବରୁ ମୂର୍ତ୍ତି ନିର୍ମାଣ ଅନୁକୂଳ କରି ମଳମାସରେ ମଧ୍ୟ ମୂର୍ତ୍ତି ନିର୍ମାଣ କରାଯାଇ ପାରିବ। ସେମାନଙ୍କ ମତ ଅନୁସାରେ, ବେଲ ବରଣୀ ଏବଂ ପ୍ରାଣ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ମୂର୍ତ୍ତିର ଉଚ୍ଚତା ଓ ରୂପ ପରିବର୍ତ୍ତନରେ କୌଣସି ସମସ୍ୟା ନାହିଁ। ଯେହେ‌ତୁ ତାହା ବାସ୍ତବରେ ମାଟି ବୋଲି ବିଚାର କରାଯାଇପାରେ। ତେଣୁ ଉଚ୍ଚ ମୂର୍ତ୍ତି ନିର୍ମାଣ କରି ସାରିଥିବା ମଣ୍ଡପ ଏହାକୁ ବଦଳାଇବାରେ କୌଣସି ଅସୁବିଧା ନାହିଁ। ତେଣୁ ସରକାରଙ୍କ ନିୟମାବଳୀ ପାଳନରେ କୌଣସି ଧାର୍ମିକ ପ୍ରତିବନ୍ଧକ ନାହିଁ। ଏଭଳି ସ୍ଥିତିରେ ଆଉ କାହାକୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦିଆଯିବ ନାହିଁ। ସରକାର ଗଲା ୧୦ ତାରିଖରେ ଜାରି କରିଥିବା ନିୟମାବଳୀ ଅନୁଯାୟୀ ଖଡମାରେ ମୂର୍ତ୍ତିଙ୍କ ଉଚ୍ଚତା ୪ଫୁଟରେ ସୀମିତ ରହିବ ବୋଲି କମିସନର ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମାମଲାର ଶୁଣାଣି କରି ହାଇକୋର୍ଟ ପୂଜା କମିଟି ମାନଙ୍କୁ ସେମାନଙ୍କ ସ୍ଥିତି ସଂପର୍କରେ ସଂଧ୍ୟା ୭ଟା ସୁଦ୍ଧା କଟକ ଡିସିପିଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ତାହାର ସମୀକ୍ଷା କରି ଆବଶ୍ୟକ ନିଷ୍ପତ୍ତି ନେବାକୁ ରାୟରେ ସ୍ପଷ୍ଟ କରିଥିଲେ। ଆଜି ପୁଲିସ କମିସନରଙ୍କ ନିର୍ଦ୍ଦେଶ ପରେ ପୂଜାମଣ୍ଡପରେ ପରଦା ଆଉ ୪ ଫୁଟ୍ ମୂର୍ତ୍ତି ନିୟମ ଲାଗୁ ହେବା ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର