ଭୁବନେଶ୍ବର-କଟକରେ ଦୁର୍ଗାପୂଜା: ମାତ୍ରାଧିକ ଶବ୍ଦ ପାଇଁ କଟକଣା ଲାଗୁ, ଭସାଣରେ ଗୋଟିଏ ବ୍ୟାଣ୍ଡକୁ ଅନୁମତି

ଦଶହରା ମଣ୍ଡପରେ ୪ରୁ ୫ଟି ସାଉଣ୍ଡ ବକ୍ସ ବାଜିପାରିବ

ଭୁବନେଶ୍ବର: ଦୁଇ ଦିନ ପରେ ମା’ ଦୁର୍ଗାଙ୍କ ଉପାସନା ପାଇଁ ନବରାତ୍ରି ଆରମ୍ଭ ହୋଇଯିବ। ଦେବୀଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ଓ ପୀଠଗୁଡ଼ିକରେ ଭିଡ଼ ରହିବ। ଏଥି ପାଇଁ ଉଭୟ ମନ୍ଦିର ଓ ପୀଠଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ସେହିପରି ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମୂର୍ତ୍ତି ନିର୍ମାଣ ଓ ସାଜସଜ୍ଜା କାମରେ ପୂଜା କମିଟି, ଶିଳ୍ପୀ ଓ କଳାକାର ବ୍ୟସ୍ତ ରହୁଥିବା ଦେଖାଯାଉଛି। ଅକ୍ଟୋବର ମଣ୍ଡପରେ ୧ ତାରିଖ ଠାରୁ ଷଷ୍ଠୀ ପୂଜା ଆରମ୍ଭ ହୋଇଯିବ। ‌ଅକ୍ଟୋବର ୫ ତାରିଖରେ ଦଶହରା ପର୍ବ ପାଳନ ହେବ। ତେବେ ଦଶହରାରେ ମଣ୍ଡପଗୁଡ଼ିକ ଏବଂ ମା’ଙ୍କ ଭସାଣା ପାଇଁ କମିସନରେଟ ପୁଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ବିଗତ ୨ ବର୍ଷ ହେବ କରୋନା କଟକଣା ଯୋଗୁଁ ଦୁର୍ଗାପୂଜାରେ ସାଧାରଣ ଦର୍ଶକ ସାମିଲ ହୋଇପାରି ନ ଥିବାରୁ ଏଥର ପୂଜା କମିଟିଗୁଡ଼ିକ ଆକର୍ଷଣୀୟ ଭାବେ ପୂଜା କରୁଛନ୍ତି। ଦୁର୍ଗାପୂଜା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଯାଇଛି। ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରାଯାଇଛି । ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭସାଣ ଶୋଭାଯାତ୍ରାରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ଦିଆଯାଇଛି। ମ୍ୟୁଜିକ ପାର୍ଟି ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ ଭୁବନଶ୍ୱେର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ। ଶୋଭାଯାତ୍ରାରେ ୬ଟି ଟ୍ରଲିକୁ ଅନୁମତି ମିଳିବ । ଅମାନ୍ୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନରରେଟ ପୁଲିସ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ କମିସନରେଟ ପୁଲିସ ପକ୍ଷରୁ ପୂର୍ବରୁ ଦୁର୍ଗାପୂଜା ମଣ୍ଡପରେ ସୁରକ୍ଷା ନେଇ ପୂଜା କମିଟିଗୁଡ଼ିକୁ ପରାମର୍ଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର