ମୋଦୀଙ୍କ ୭ ବର୍ଷ ଶାସନରେ ୯୭ ଭାଗ ଲୋକଙ୍କ ଆୟ କମିଛି: ପଞ୍ଚାନନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ ବର୍ଷ ଶାସନରେ ଦେଶର ୯୭ ପ୍ରତିଶତ ଲୋକଙ୍କ ଆୟ କମିଛି। ପରିସ୍ଥିତି ଏପରି ହୋଇଛି ଯେ, ଲୋକେ ଏବେ ନିଜ ପେଟ ପାଇଁ ଖାଦ୍ୟ କାଟ୍‌ କରିବାକୁ ବାଧ୍ୟ ହୋଇଛନ୍ତି। ସାଧାରଣ ଜନତାଙ୍କ ପକେଟ୍‌ କାଟି ସରକାର ପ୍ରତିଦିନ ଲୁଟ୍‌ କରିଚାଲିଛନ୍ତି। ଆଜି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏକ ପ୍ରେସ୍‌ ବିବୃତି ଜାରି କରି ଏପରି ଅଭିଯୋଗ କରିଛନ୍ତି। କହିଛନ୍ତି, ଭାରତର ଜନତା ବହୁ ଆଶାରେ ଦୁଇଥର ମୋଦୀ ସରକାରଙ୍କୁ ନିର୍ବାଚିତ କରିଥିଲେ। ଅଥଚ ପଦାକୁ ବାହାରିଲେ ଜନତାଙ୍କ ପକେଟ୍‌ କାଟି ଲୁଟ୍‌ କରାଯାଉଛି।

ଶ୍ରୀ କାନୁନଗୋ କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେପି ଦଳ ଘୋଷଣା କରିଥିଲା ଦେଶରେ ୬୦ ବର୍ଷରେ ଯାହା ହୋଇନାହିଁ କ୍ଷମତାକୁ ଆସିଲେ ୬୦ ମାସ ଭିତରେ ବିରାଟ ପରିବର୍ତ୍ତନ ଆସିବ। ପରିସ୍ଥିତି ଏପରି ହେଲାଣି ଯେ, ୫ ଟ୍ରିଲିୟନ ଅର୍ଥନୀତିର ସ୍ବପ୍ନ ଦେଖାଇଥିବା ମୋଦୀ ସରକାର ୨୦୧୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ଛାଡ଼ିଯାଇଥିବା ୨.୮୬ ଟ୍ରିଲିୟନ୍‌ ଅର୍ଥନୀତିର ସ୍ଥିତିକୁ ଖରାପ କରିସାରିଲେଣି। ୟୁପିଏ ସରକାରଙ୍କ ଶେଷ ସମୟରେ ଦେଶର ଋଣଭାର ୫୩.୧୧ ଲକ୍ଷ କୋଟି ଥିବାବେଳେ ଏବେ ୧୨୨ ଲକ୍ଷ କୋଟିରେ ପହଞ୍ଚିଲାଣି। ଦୈନିକ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ସାଧାରଣ ଲୋକଟିଏ ଘରକୁ ଆସିଲେ ପେଟରୁ କାଟି ବ୍ୟବସାୟୀଙ୍କୁ ଦେବାକୁ ବାଧ୍ୟ ହେଉଛି। ଖାଇବା ତେଲ ଦର ଏ ସରକାର ସମୟରେ ୨ରୁ ୩ ଗୁଣା ବଢ଼ିଛି। ଡାଲି ଦର ଆକାଶଛୁଆଁ ହେଲାଣି। ୫୦୦ ଟଙ୍କାର ଗ୍ୟାସ୍‌ ସିଲିଣ୍ଡର ଏବେ ୯୦୦ ଟଙ୍କା ହେଲାଣି। ଜନମଙ୍ଗଳ ରାଷ୍ଟ୍ରରେ ଜନତାଙ୍କ ପକେଟ୍‌ କାଟିବା, ପେଟରୁ ଖାଦ୍ୟ କାଟିବା ମୋଦୀ ସରକାରଙ୍କ ବଡ଼ ଅବଦାନ। କରୋନା ପ୍ରଭାବରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇନି ବରଂ ମୋଦୀ ସରକାରଙ୍କ ଅଦୂରଦର୍ଶୀ ନୀତି ପାଇଁ ଆଜି ଦେଶରେ ଏ ଅବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ କାନୁନଗୋ କହିଛନ୍ତି।

ସମ୍ବନ୍ଧିତ ଖବର