କେନ୍ଦୁଝର: ବଜେଟ୍ ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଅନୁପସ୍ଥିତ ରହିବା ଏବଂ ଏହାକୁ ନେଇ ଆଜି ଖୋଦ ନବୀନ ତାଙ୍କୁ ତାଗିଦ୍ କରିବା ଘଟଣା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ଏହା ପୂର୍ବରୁ ମଧ୍ୟ ସାଧାରଣ ନିର୍ବାଚନ ପରେ ନବୀନଙ୍କ ବୈଠକକୁ ଯାଇ ନ ଥିଲେ ସନାତନ। ସେତେବେଳେ ବି ସନାତନ ଅସୁସ୍ଥ ଥିଲେ ଏବଂ ଗତକାଲି ବୈଠକ ସମୟରେ ସେ ଅସୁସ୍ଥ ହୋଇପଡ଼ିଲେ। ତେବେ ନବୀନ ବୈଠକ ଡାକିଲେ ସନାତନଙ୍କ ଦେହ ଅସୁସ୍ଥ ହୋଇପଡ଼ୁଛି...ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।
ବିଜେଡିର ପରାଜୟ ପରେ ନବନିର୍ବାଚିତ ବିଧାୟକଙ୍କୁ ଭେଟିବାକୁ ଡାକିଥିଲେ ନବୀନ। ପ୍ରାୟ ସମସ୍ତ ବିଧାୟକ ନବୀନଙ୍କ ନିର୍ଦ୍ଦେଶରେ ନିର୍ଦ୍ଧାରିତ ସମୟରେ ନବୀନ ନିବାସରେ ପହଞ୍ଚିଥିଲେ। କିନ୍ତୁ ଯାଇ ନ ଥିଲେ ସନାତନ। ଦିନ ଥିଲା ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ଏକ ସୌଭାଗ୍ୟ ବୋଲି ବିବେଚନା କରୁଥିଲେ ଦଳୀୟ ନେତା। ରାଜ୍ୟରେ ଶାସନ କ୍ଷମତା ପରିବର୍ତ୍ତନ ପରେ ସନାତନ ନବୀନ ନିବାସରେ ନବୀନଙ୍କୁ ଭେଟିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାକୁ ଉଚିତ ମଣିଛନ୍ତି। ଯଦିଓ ଏ ସଂକ୍ରାନ୍ତରେ ସନାତନ ନିଜ ମତ ରଖିସାରିଛନ୍ତି, କିନ୍ତୁ କ୍ଷମତା କରିଡର୍ରେ ଏହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।
ଗତକାଲି ବିଜେଡି ବିଧାୟକ ଦଳର ବୈଠକକୁ ସନାତନ ଯାଇନଥିଲେ। ତେବେ ବିଜେଡି ବୈଠକ ସମୟରେ ତାଙ୍କର ଅସୁସ୍ଥତାକୁ ନେଇ ଏବେ ନାନା ଚର୍ଚ୍ଚା ହେଉଛି। ନବୀନଙ୍କୁ ସନାତନ ଅଣଦେଖା କରିବା ପଛରେ ‘ବିଜେଡିର ନିର୍ଯାତନା’ ପ୍ରମୁଖ କାରଣ ବୋଲି କୁହାଯାଉଛି। ବିଜେଡିର ତତ୍କାଳୀନ ସରକାରୀ କଳ ତାଙ୍କୁ ଗୋଟିଏ ସମୟରେ ମୁହଁ ବନ୍ଦ କରିବାକୁ ବାଧ୍ୟ କରିଥିଲେ। ନିଜ ପ୍ରତିଷ୍ଠିତ ରାଜନୈତିକ ଦଳକୁ ତାଙ୍କ ହାତରେ ହିଁ କବର ଦିଆ କରାଇଥିଲେ। କେବଳ ସେତିକି ନୁହେଁ, ଅନେକ ବର୍ଷ ଧରି ସନାତନ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଥିଲେ। ପୁଲିସ ଲଗାଇ ଧମକାଇବା ସହିତ ବ୍ୟାଙ୍କର ଜମାଟଙ୍କାକୁ ଫ୍ରିଜ୍ କରିବା, ସନାତନଙ୍କ ସମର୍ଥକଙ୍କୁ ବିଭିନ୍ନ ସମୟରେ ଗିରଫ କରାଇବା ଏବଂ ବିଜେଡି ବିରୋଧରେ ମୁହଁ ଖୋଲିଲେ ତାଙ୍କୁ ଗିରଫ କରିବା ଲାଗି ତୃତୀୟ ମହଲାର କିଛି ଅଧିକାରୀ ନିୟମିତ ଧମକାଉଥିଲେ। ଏମିତିକି ମୀନାକ୍ଷୀ ମହାନ୍ତଙ୍କୁ ଚମ୍ପୁଆ ବିଧାୟିକା କରାଇବାରେ ସନାତନ ପ୍ରମୁଖ ଭୂମିକା ନେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସନାତନ ଓ ମୀନାକ୍ଷୀ ମୁହଁ ଚାହିବା ଅବସ୍ଥାରେ ନ ଥିଲେ। ବିଜେଡିର ତୃତୀୟ ମହଲାର ନିର୍ଦ୍ଦେଶରେ ଏହା ହୋଇଛି ବୋଲି ସନାତନ ଜାଣିଥିଲେ। ଯେଉଁଥି ପାଇଁ ଶେଷ ମୁହୂର୍ତ୍ତରେ ସନାତନ ବିଜେଡି ଟିକେଟ ପାଇ ଲଢ଼ିଥିଲେ ବି ଦଳୀୟ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଉନାହାନ୍ତି। ବିଜେଡିର ପରାଜୟ ତାଙ୍କୁ ଏପରି ଏକ ସୁଯୋଗ ଦେଇଛି, ଯାହା ବଳରେ ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ସେ ଅବମାନନା କରୁଛନ୍ତି କିମ୍ବା ଗୁରୁତ୍ବ ଦେଉ ନାହାନ୍ତି।
ଦ୍ବିତୀୟ ଚର୍ଚ୍ଚାଟି ହେଉଛି- ପାର୍ଟି ଅପେକ୍ଷା ମାଟିକୁ ଗୁରୁତ୍ବ। ଅର୍ଥାତ ବିଜେପି ବିଧାୟକ ତଥା କେନ୍ଦୁଝର ଜିଲ୍ଲାର ମୋହନ ଚରଣ ମାଝୀ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାର ଏକାଧିକ ସଭାସମିତିରେ ସନାତନ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ମାଟିର ଗୌରବ କହିବା ସହିତ ସମସ୍ତ ବିକାଶମୂଳକ କାମରେ ତାଙ୍କ ସହିତ ଛିଡ଼ାହେବେ ବୋଲି ଦର୍ଶାଇଛନ୍ତି। ଏଭଳି ସମୟରେ ସନାତନ-ବିଜେଡି ସମୀକରଣ ଆଗକୁ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଛି।