ବ୍ରହ୍ମପୁର : ସଡ଼କ ସୁରକ୍ଷା ସଚେତନତା ବେଳେ ପୁଲିସର ମାଡ଼

ଭିଡ଼ିଓ ଭାଇରାଲ୍, ଏସ୍‌.ପି.ଙ୍କ ତଦନ୍ତ ନିର୍ଦ୍ଦେଶ

ବ୍ରହ୍ମପୁର : ସାଧାରଣ ଜନତାଙ୍କ ନିକଟତର ହୋଇ ସେବା ଯୋଗାଇବା ସହ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ରାଜ୍ୟ ସରକାର ପୁଲିସ ବାହିନୀଙ୍କୁ ବାରମ୍ବାର ପରାମର୍ଶ ଦେଉଛନ୍ତି। ଏଥିଲାଗି ପ୍ରତି ଥାନାରେ ମୋ’ ସରକାର କାର୍ଯ୍ୟକାରୀ କରାଯାଇଛି। ଲୋକଙ୍କ ଅସ୍ଥାଭାଜନ ହେବା ଲାଗି ‘ଆମ ପୁଲିସ ବ୍ୟବସ୍ଥା’ କାର୍ଯ୍ୟକାରୀ ହୋଇଛି। ଏସବୁ ପରେ ବି କିଛି ପୁଲିସ କର୍ମଚାରୀଙ୍କ ଆଚରଣରେ ପରିବର୍ତ୍ତନ ଆସୁନାହିଁ। ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଚାଲିଥିବା ବେଳେ ବିଚ୍‌ ରାସ୍ତାରେ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡିର ଜଣେ କନ୍‌‌ଷ୍ଟେବଳ ଗାଡ଼ି ଚାଳକଙ୍କୁ ମାଡ଼ ମାରୁଥିବା ଭିଡ଼ିଓ ଆଜି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଗଞ୍ଜାମ ଏସ୍‌.ପି. ଉଚ୍ଚ ଅଧିକାରୀଙ୍କ ଦ୍ବାରା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଭାଇରାଲ୍‌ ଭିଡ଼ିଓ ଆଧାରରେ ସୂଚନା ସଂଗ୍ରହରୁ ଜଣାପଡ଼ିଛି, ଖଲ୍ଲିକୋଟ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ସହ ହେଲମଟ୍‌ ଯାଞ୍ଚ ଚାଲିଥିଲା। ଏହି ସମୟରେ ଜଣେ ବାଇକ୍‌ ଚାଳକ ହେଲମେଟ୍‌ ପିନ୍ଧି ନ ଥିଲେ। ଗାଡ଼ିଚାଳକ ଓ ସେଠାରେ ଯାଞ୍ଚରେ ନିୟୋଜିତ ଭେଜିପୁଟ ଫାଣ୍ଡିର ସଂପୃକ୍ତ କନଷ୍ଟେବଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କନ୍‌ଷ୍ଟେବଳ ଜଣକ ବିଚ୍‌ ରାସ୍ତାରେ ଉକ୍ତ ଗାଡ଼ିଚାଳକଙ୍କ ଗାଲକୁ ଚାପୁଡ଼ାଏ ପକାଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଭିଡ଼ିଓ ଭାଇରାଲ୍‌ ପରେ ଗଞ୍ଜାମ ଏସ୍‌.ପି. ବ୍ରିଜେଶ କୁମାର ରାଏ ଘଟଣାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଏସ୍‌.ପି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌.ପି. ଶ୍ରୀ ରାଏ ଗଣମାଧ୍ୟମକୁ କହିଛନ୍ତି।

ଗତ କିଛି ମାସ ତଳେ ଲକ୍‌ଡାଉନ୍‌ ସମୟରେ ପାଟପୁର ଥାନା ଅର୍ନ୍ତଗତ ପୁଡ଼ାମାରୀ ଠାରେ ମଧ୍ୟ ଜଣେ ପୁଲିସ କର୍ମଚାରୀ ଜଣେ ଗାଡ଼ି ଚାଳକଙ୍କୁ ମାଡ଼ ମାରିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଏହାପରେ ଗଞ୍ଜାମ ଏସ୍‌.ପି ସମ୍ପୃ୍କ୍ତ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର