ଭୁବନେଶ୍ବର: କରୋନା ମହାମାରୀ ସମୟରେ ସମସ୍ତେ ଏବେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଉଛନ୍ତି। କିଏ କେତେ ପ୍ରକାର ଆୟୁର୍ବେଦିକ୍ ଔଷଧ ଖାଉଛନ୍ତି। ସୁଯୋଗ ଦେଖି ବିଭିନ୍ନ ଆୟୁର୍ବେଦିକ୍ ଔଷଧ ନିର୍ମାତା ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ ଔଷଧକୁ ଚଢ଼ାମୂଲ୍ୟରେ ବିକ୍ରି କରୁଛନ୍ତି। ଏହି ସମୟରେ ଓଡ଼ିଶା ସରକାରଙ୍କ ଟୁଇଟର୍ ଏବଂ ଫେସ୍ବୁକ୍ ଆକାଉଣ୍ଟରେ ଶଜନା ଶାଗ ଓ ଛୁଇଁକୁ ନେଇ ଦିଆଯାଇଥିବା ତଥ୍ୟ ଗୁରୁତ୍ବ ବହନ କରୁଛି। ଓଡ଼ିଶା ସରକାରଙ୍କ ଲୋଗୋ ଲାଗିଥିବା ଏକ ପୋଷ୍ଟର୍ ଟୁଇଟର୍ ଓ ଫେସ୍ବୁକ୍ରେ ଘୂରି ବୁଲୁଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାରି ଏହି ବିଜ୍ଞାପନରେ ଦର୍ଶାଯାଇଛି ଯେ, କରୋନା କାଳରେ ସମସ୍ତେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଦରକାର।
ଶଜନା ଶାଗ ଏଥିପାଇଁ ସର୍ବୋତ୍ତମ। ଏହି ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦିନରେ ଥରୁଟିଏ ୫୦ ଗ୍ରାମ୍ର ଶଜନା ଶାଗ ଅଥବା ୧୦୦ ଗ୍ରାମ୍ର ଶଜନା ଛୁଇଁ ଖାଇଲେ ଶରୀରକୁ ଅନେକ ପୋଷଣ ମିଳିଯିବ। ଯାହାର ଛୋଟିଆ ଜାଗା ଖଣ୍ଡିଏ ଅଛି, ସେଠାରେ ଶଜନା ଗଛ ଲଗାଇବାକୁ ମଧ୍ୟ ଏଥିରେ ଆହ୍ବାନ ଦିଆଯାଇଛି। ଅନ୍ୟ ସୂଚନା ଅନୁଯାୟୀ, ଶଜନା ଶାଗରେ କ୍ଷୀରଠାରୁ ୪ ଗୁଣ ଅଧିକ କ୍ୟାଲସିୟମ୍ ଓ ୨ ଗୁଣ ଅଧିକ ପ୍ରୋଟିନ୍ ରହିଛି। ଏଥିରେ ଗାଜରଠାରୁ ୪ ଗୁଣ ଅଧିକ ଭିଟାମିନ୍ ଏ, କଦଳୀଠାରୁ ୫୦ ଗୁଣ ଅଧିକ ଭିଟାମିନ୍ ବି୩, କମଳା ଲେମ୍ବୁଠାରୁ ୭ ଗୁଣ ଅଧିକ ଭିଟାମିନ୍ ସି ଏବଂ ପେସ୍ତା ବାଦାମଠାରୁ ୨ ଗୁଣ ଅଧିକ ଭିଟାମିନ୍ ଇ ରହିଛି। ଆହୁରି ଅନେକ ଉପକାରିତା ରହିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ସେହିପରି ଶଜନାରେ ପ୍ରଚୁର ପରିମାଣରେ ଆଇରନ୍ (ଲୌହ) ବି ଅଛି, ଯାହା ହେମୋଗ୍ଲୋବିନ୍ ମାତ୍ରା ବଢ଼ାଏ ଓ ରକ୍ତହୀନତା ଦୂର କରିଥାଏ। ଆଜି ଏହି ବିଜ୍ଞପ୍ତି ଉଭୟ ଟୁଇଟର୍ ଓ ଫେସ୍ବୁକ୍ରେ ପୋଷ୍ଟ ହେବା ପରେ ସାଧାରଣରେ ଜୋରଦାର ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/56g4j564gj465dgjjjjjjjjjjjjjjjjjjjjj.jpg)
