ବାହୁଡ଼ାଯାତ୍ରା: କର୍ଫ୍ୟୁ ସମୟରେ ‘ବଡ଼ଦାଣ୍ଡକୁ ଆସିଲେ ବନ୍ଧା ହେବେ’

ଆକ୍ସନ ମୁଡ୍‌ରେ ଏସ୍‌ପି, ସିଂହଦ୍ୱାରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ପୁରୀ : ଗତ ୧୨ ତାରିଖ ଦିନ ଅନୁଷ୍ଠିତ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କୋଭିଡ କଟକଣା ଏବଂ କର୍ଫ୍ୟୁ ଆଇନ୍‌କୁ ଉଲ୍ଲଂଘନ କରି କେତେକ ବଡ଼ଦାଣ୍ଡକୁ ଆସି ଆଇନଶୃଙ୍ଖଳା ପରିସ୍ଥିତି ବିଗାଡ଼ି ଦେଇଥିଲେ। ଏଥିପାଇଁ ପ୍ରଶାସନକୁ ବଦନାମ ହେବାକୁ ପଡ଼ିଛି। କିନ୍ତୁ ଆସନ୍ତା ବାହୁଡ଼ାଯାତ୍ରାକୁ ଶୃଙ୍ଖଳାର ସହ ଆୟୋଜନ ପାଇଁ ପୁଲିସ ପ୍ରଶାସନ ଅଣ୍ଟା ଭିଡ଼ିଛି। ରବିବାର ଏଡିଜି ଆର୍‌କେ ଶର୍ମା ପୁରୀରେ ବାହୁଡ଼ାଯାତ୍ରାରେ ପୁଲିସ ବ୍ୟବସ୍ଥାର ସମୀକ୍ଷା କରିଥିବା ବେଳେ ପୁରୀ ଏସ୍‌ପି ବଡ଼ଦାଣ୍ଡରେ ଅଧିକାରୀଙ୍କ ସହ ପ୍ଲାଗ୍‌ମାର୍ଚ୍ଚ କରିଛନ୍ତି। ଏଣିକି କର୍ଫ୍ୟୁ ସମୟରେ ବଡ଼ଦାଣ୍ଡକୁ ଯିଏ ଆସିବେ, ସିଏ ବନ୍ଧା ହେବେ ବୋଲି ଏସ୍‌ପି ବଡ଼ଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିବା ସମୟରେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

ରବିବାର ମଧ୍ୟାହ୍ନରେ ସିଂହଦ୍ବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ସମସ୍ତ ପୁଲିସ ପଦାଧିକାରୀମାନଙ୍କୁ ଧରି ଏସ୍‌ପି ଡ. କେ ବିଶାଳ ସିଂହ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଏହି ସମୟରେ ବଡ଼ଦାଣ୍ଡ କଡ଼ରେ ଥିବା ସମସ୍ତ ଲଜିଂ, ଧର୍ମଶାଳା, ମଠ ଓ ହୋଟେଲ ମାଲିକଙ୍କୁ ୧୪୪ ଧାରା ଏବଂ କର୍ଫ୍ୟୁ କଟକଣା ଲାଗୁ ସମୟରେ ଥିବା ନିୟମାବଳି ସମ୍ପର୍କରେ ବୁଝାଇଥିଲେ। ବାହୁଡ଼ାଯାତ୍ରା ସମୟରେ ଯଦି କଟକଣାକୁ ଅମାନ୍ୟ କରାଯାଏ, ତେବେ ଅମାନିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅବସରରେ ଏସ୍‌ପି ଡା. କେ ବିଶାଳ ସିଂହ ଗଣମାଧ୍ୟମଙ୍କୁ ସାକ୍ଷାତକାରରେ କହିଛନ୍ତି ଯେ ରଥଯାତ୍ରା ସମୟରେ ପୁରୀର ବାସିନ୍ଦାମାନଙ୍କ ପୂର୍ଣ୍ଣ ସହଯୋଗ ଯୋଗୁ ରଥଯାତ୍ରା ଶୃଙ୍ଖଳିତ ହୋଇଥିଲା। ତେବେ ରଥଯାତ୍ରା ବିଶୃଙ୍ଖଳାରୁ ଶିକ୍ଷା ନେବା ପରେ ବାହୁଡ଼ାଯାତ୍ରାକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ କରିବାକୁ ପୁଲିସ ଯୋଜନା ପ୍ରସ୍ତୁତ କରିଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ କର୍ଫ୍ୟୁ ବଳବତ୍ତର ରହିଥିଲା। ତେଣୁ ଯେଉଁ ଲଜଗୁଡ଼ିକ କଟକଣାକୁ ମାନିନଥିଲେ ସେଗୁଡ଼ିକ ସିଲ କରି ଦିଆଯାଇଥିଲା। ସେହିପରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଇତିମଧ୍ୟରେ ୨୪ ଜଣ ଅମାନିଆଙ୍କୁ ନୋଟିସ ଜାରି କରାଯାଇଛି। ଯଦି ସେମାନେ ଆବଶ୍ୟକ କାଗଜପତ୍ର ଦାଖଲ କରି ନପାରିବେ, ତେବେ ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ ଅନୁଯାୟୀ ଦଫା ଲଗାଯିବ। କୋଭିଡ଼ କଟକଣା ନିୟମ ଓ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା ନେଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ।

ଅପରପକ୍ଷେ ଆଗାମୀ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ୨୦ଟି ଟିମ୍‌ ଗଠନ କରାଯାଇଛି। ସେହିପରି ବାହୁଡ଼ାଯାତ୍ରାର ଭିଡିଓଗ୍ରାଫି କରି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁଲିସ ନିଷ୍ପତ୍ତି ନେଇଛି। ଏହା ଛଡ଼ା ପୁଲିସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥା କରାଯାଉଛି। ଏହି ଟିମ୍‌ ଯଦି କୌଣସି ବ୍ୟତିକ୍ରମ ଦେଖନ୍ତି, ତେବେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ହିଁ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଟାଉନ ଥାନା, ସିଂହଦ୍ବାର ଥାନା, କୁମ୍ଭାରପଡ଼ା ଥାନା ଏବଂ ସମୁଦ୍ରକୂଳ ଥାନା ପୁଲିସକୁ ଏନେଇ ଦାୟିତ୍ବ ଦିଆଯାଇଛି। ଅମାନିଆଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ ଯଦି କେହି ଅମାନିଆ ଧରାହୁଅନ୍ତି, ତେବେ ସେମାନଙ୍କୁ ଥାନାକୁ ନିଆଯାଇ କାଗଜପତ୍ର ଯାଞ୍ଚ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପୁଲିସ ପକ୍ଷରୁ ଫେସ୍‌ବୁକ୍‌, ଟ୍ବିଟର ଆଦିକୁ ସବୁବେଳେ ଯାଞ୍ଚ କରାଯାଉଛି। କିଛି ପ୍ରମାଣ ମିଳିବା ମାତ୍ରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଡ. ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର