ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଓଡ଼ିଶାର ୭୩.୨% ପିଲା ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୬ଟି ଗ୍ରାମୀଣ ଜିଲ୍ଲାର ୮୪ଟି ବ୍ଲକ୍‌ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୨୨୧୯ଟି ବିଦ୍ୟାଳୟର ପିଲାମାନଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଆତ୍ମଶକ୍ତି ଟ୍ରଷ୍ଟ, ଏହାର ସହଯୋଗୀ ଓଡ଼ିଶା ଶ୍ରମାଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ଅନ୍‌ଲାଇନ୍‌ ଅଧ୍ୟୟନରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଅନୁଷ୍ଠାନ ପକ୍ଷରୁ ପିଲାମାନଙ୍କ ମାନସିକ ସ୍ଥିତିରେ ସୁଧାର ରିପୋର୍ଟରେ କୁହାଯାଇଛି ଯେ କରୋନା ଭୂତାଣୁ ଦ୍ୱାରା ଶିଶୁମାନେ କମ ମାତ୍ରାରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ କରୋନା ମହାମାରୀ ଶିଶୁଙ୍କୁ ଶାରୀରିକ ତଥା ମାନସିକ ଭାବେ ପ୍ରଭାବିତ କରିଛି। ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବା ସହ କରୋନା ଯୋଗୁଁ ଅନେକ ଦିନ ଧରି ପିଲାମାନେ ଘରେ ବନ୍ଦୀ ହୋଇ ରହିବା କାରଣରୁ ସେମାନଙ୍କ ମଧ୍ୟରେ ଭୟ, ଚିନ୍ତା ଏବଂ ଚାପ ସୃଷ୍ଟି ହୋଇଛି। ଏଣୁ ପୁଣିଥରେ ସ୍କୁଲ ଖୋଲିବା ସହ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସେ ବାବଦରେ ଆଲୋଚନା କରିବା ଦ୍ୱାରା ସେମାନଙ୍କର ମାନସିକ ଦୁଶ୍ଚିନ୍ତା ଦୂର ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ଏସବୁକୁ ଦୃଷ୍ଟି ରଖି ‘ଗୁଞ୍ଜରଣ ଶିକ୍ଷା ରଥ’ ନାମରେ ଏକ ରଥ ସାରା ଓଡ଼ିଶା ଭ୍ରମଣ କରିବ। ଏହା ପିଲାମାନଙ୍କ ମାନସିକ ସ୍ଥିତିକୁ ପରୀକ୍ଷା କରିବା ସହିତ ଲୋକମାନଙ୍କୁ ସଚେତନ କରିବ। ଆଜିଠାରୁ ଏହା ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶା ବୁଲିବ।

Advertisment

ରିପୋର୍ଟରେ କୁହାଯାଇଛି ପ୍ରାୟ ୪୯.୮% ପିଲା ସେମାନଙ୍କ ପରିବାର ସଦସ୍ୟଙ୍କଠାରୁ ମହାମାରୀ ସମୟରେ ଆବଶ୍ୟକ ମାନସିକ, ସାମାଜିକ ତଥା ଶିକ୍ଷାଗତ ସହଯୋଗ ପାଇପାରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୨୧୯ ପିଲାଙ୍କ ମଧ୍ୟରୁ ୯୧.୫% ପିଲା ସରକାରୀ ବିଦ୍ୟାଳୟରୁ ଆସିଥିଲେ। ଯେଉଁଥିରୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରୁ ୮୪.୭% ଏବଂ ଏସ୍‌ଟି-ଏସ୍‌ସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରୁ ୬.୮% ପିଲା ଅଛନ୍ତି। ଅନଲାଇନ୍ ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକୀୟ ସୁବିଧାର ଅଭାବ ପିଲାମାନଙ୍କ ମାନସିକ ଚାପ ବୃଦ୍ଧି କରିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ଅଧ୍ୟୟନରେ ସାମିଲ ହୋଇଥିବା ପିଲାଙ୍କ ମଧ୍ୟରୁ ୯୪.୩ ପ୍ରତିଶତ ପିଲା ରିପୋର୍ଟ କରିଛନ୍ତି ଯେ ସେମାନଙ୍କ ନିକଟରେ ସ୍ମାର୍ଟଫୋନ ନଥିଲା। ଫଳରେ ଅନଲାଇନ ଶିକ୍ଷାରୁ ସେମାନେ ବଞ୍ଚିତ ହେଉଥିଲେ। ୩୨.୨% ପିଲାଙ୍କ ପାଇଁ ଅନଲାଇନ୍ ଶିକ୍ଷା ଅତ୍ୟନ୍ତ ଦ୍ୱନ୍ଦ୍ୱପୂର୍ଣ୍ଣ ଥିଲା। ଏପରିକି ୧୭% ପିଲା ଅନଲାଇନ୍ କ୍ଲାସରେ ଉପସ୍ଥିତ ରହୁଥିଲେ ମଧ୍ୟ ବିଭିନ୍ନ ଚାଲେଞ୍ଜପୂର୍ଣ୍ଣ ସ୍ଥିତି ପାଇଁ ଏଥିରେ ଅସନ୍ତୋଷ ଥିଲେ। ୧୨.୮% ପିଲା ରିପୋର୍ଟ କରିଛନ୍ତି ଯେ ସେମାନ ଗାଳିଗୁଲଜ ଭୟରେ ଶିକ୍ଷକମାନଙ୍କ ସହ କଥାବାର୍ତ୍ତା କିମ୍ବା ପ୍ରଶ୍ନ ପଚାରି ପାରୁ ନଥିଲେ। ସେମାନଙ୍କ ମଧ୍ୟରୁ ୧୩.୭% ପ୍ରଶ୍ନ ପଚାରିବାକୁ ଲଜ୍ଜିତ ଅନୁଭବ କରିଛନ୍ତି। ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ୬୮.୯% ପିଲା କହିଛନ୍ତି, ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ସମୟରେ ସେମାନଙ୍କର ଶିକ୍ଷକଙ୍କ ମଧ୍ୟରେ କୌଣସି ପ୍ରକାର ସମ୍ପର୍କ ନାହିଁ। ଏଥିସହ ୪୭.୩% ପିଲା କହିଛନ୍ତି, ସେମାନେ ପରିବାରକୁ ସହାୟତା କରିବା ପାଇଁ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ।

ଅଧ୍ୟୟନ ରିପୋର୍ଟ ମୁତାବକ, ସମାଜର ଏକ ବୃହତ ଭାଗ ପିଲା ମାନସିକ ଭାବେ ସୁସ୍ଥ ନାହାନ୍ତି। ବିଦ୍ୟାଳୟଗୁଡ଼ିକ ପୁଣିଥରେ ଖୋଲିବା ସହ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ସଜାଡ଼ିବା ନିହାତି ଆବଶ୍ୟକ। ମାନସିକ ସୁସ୍ଥତା ପାଇଁ କାର୍ଯ୍ୟକ୍ରମ କରିବାର ଜରୁରୀ। ବିଶେଷକରି ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ପିଲାମାନଙ୍କ ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ପିଲାମାନଙ୍କୁ ସେମାନଙ୍କ ଆଚରଣରେ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେବା, ଶ୍ରେଣୀଗୃହ ତଥା ସେମାନଙ୍କ ଘରେ ଚାପ ଏବଂ ଭୟକୁ ହ୍ରାସ କରିବା ବାବଦରେ ବୁଝାଇବା ନିହାତି ଜରୁରୀ ବୋଲି ଆତ୍ମଶକ୍ତି ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ରୁଚି କଶ୍ୟପ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟରଞ୍ଜନ ସାହୁ, ମନୋଜ କୁମାର ସାମନ୍ତରାୟ, ଲକ୍ଷ୍ମୀଧର ସିଂ, ନିତ୍ୟାନନ୍ଦ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।