ପାଟଣା: ପ୍ରଥମ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଇଥିଲେ। ଢେଙ୍କାନାଳର ଏକ ମନ୍ଦିରରେ ଗୋପନରେ ଦ୍ବିତୀୟ ବିବାହ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁଲିସ ପହଞ୍ଚି ବରକୁ ଉଠାଇ ଆଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ସୁନାମୁହିଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ (୩୪) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଯମୁନାପଶି ଗ୍ରାମର ମାମିନା ନାଏକ (୨୮)ଙ୍କୁ ୨୦୨୦ ମସିହାରେ ବିବାହ କରିଥିଲେ। ବିବାହ ବେଳେ କନ୍ୟାପକ୍ଷ ନିଜ ସକ୍ଷମ ଅନୁସାରେ ଯୌତୁକ ଦେଇଥିଲେ। ବିବାହର ୬ ମାସ ପରେ ଅଧିକ ଯୌତୁକ ଆଣିବାପାଇଁ ମାମିନାଙ୍କ ଉପରେ ଶାଶୂଘର ଲୋକେ ଚାପ ପକାଉଥିଲେ। ସ୍ବାମୀ, ଶାଶୂ, ଶ୍ବଶୁର ଓ ନଣନ୍ଦ ତାଙ୍କୁ ନିର୍ଯାତନା ଦେଉଥିଲେ। ତାଙ୍କୁ ସ୍ବାମୀଙ୍କ ସହ କଥାବାର୍ତ୍ତା ହେବାକୁ ବାରଣ କରାଯାଉଥିଲା।
୫ ଲକ୍ଷ ଟଙ୍କା ଯୌତୁକ ଦାବି କରି ଶାଶୂଘର ଲୋକେ ମାମିନାଙ୍କୁ ଘରୁ ବାହାର କରିଦେଇଥିଲେ। ଗତବର୍ଷ ମାମିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ଏବେ ବାପଘରେ ଆଶ୍ରୟ ନେଇଛନ୍ତି। ମାମିନାଙ୍କ ଅଜାଣତରେ ଗତକାଲି ପୂର୍ଣ୍ଣଚନ୍ଦ୍ର ହରିଚନ୍ଦନପୁର ଥାନା ଶଗଡ଼ପଟା ଅଞ୍ଚଳର ଜଣେ ଯୁବତୀଙ୍କୁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳର ଏକ ମନ୍ଦିରରେ ବିବାହ କରୁଥିଲେ। ଏ ସମ୍ପର୍କରେ ମାମିନା କେନ୍ଦୁଝର ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତକାଲି ବିବାହ ପାଇଁ ମନ୍ଦିରରେ ସମସ୍ତ ପ୍ରସ୍ତୁତି ସରିଥିଲା। ଉଭୟ ବର ଓ କନ୍ୟାପକ୍ଷ ଲୋକେ ଉପସ୍ଥିତ ଥିଲେ। ବେଦିକୁ ଯିବା ପୂର୍ବରୁ କଙ୍କଡ଼ାହାଡ଼ ଓ ତୁରୁମୁଙ୍ଗା ଥାନା ପୁଲିସ ପହଞ୍ଚି ବର ବେଶରେ ସଜେଇ ହୋଇଥିବା ପୂର୍ଣ୍ଣଚନ୍ଦ୍ରକୁ ଉଠାଇ ଆଣିଥିଲେ। ତାଙ୍କୁ ତୁରୁମୁଙ୍ଗା ଥାନାରେ ଅଟକ ରଖାଯାଇଥିଲା। ଏନେଇ ତୁରୁମୁଙ୍ଗା ଥାନାରେ କେସ୍ ନମ୍ବର ୬୫/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଆଜି ପୂର୍ଣ୍ଣଚନ୍ଦ୍ରକୁ କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ସୁଜାତା ମହାନ୍ତ ପ୍ରକାଶ କରିଛନ୍ତି।