କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ୍ ଦେଇ ଯାଇଥିବା ଦୁଆରଶୁଣି ଘାଟି ରାସ୍ତା ନାଁ ଯିଏ ଶୁଣୁଛି, ଭୟରେ ଶିହରି ଉଠୁଛି। ପାହାଡ଼ ଉପରେ ଥିବା ଏହି ୯ କିମି ରାସ୍ତାରେ କେତେ ଯେ ଦୁର୍ଘଟଣା ଘଟି ଜୀବନ ଗଲାଣି, ତାର ଇୟତ୍ତା ନାହିଁ। କେତେବେଳେ ମାଲ ବୋଝେଇ ଟ୍ରକ ପାହାଡ଼ ତଳକୁ ଖସି ଚୂର୍ମାର୍ ହୋଇଯାଉଛି ତ ଆଉ କେଉଁଠି ଏକାଧିକ ଗାଡ଼ି ମୁହାଁମୁହିଁ ଧକ୍କା ହେଉଛନ୍ତି। ଏମିତି ବି ହୋଇଛି; ଦୁର୍ଘଟଣା ପରେ ରାସ୍ତାକଡ଼ ଗଛ ଓ ସୁରକ୍ଷା ବାଡ଼ରେ ଲାଖି ଅନେକ ଗାଡ଼ି ସୂତା ଖିଅକେ ବିପଦରୁ ବର୍ତ୍ତି ଯାଇଛନ୍ତି। ଆଜି ମଧ୍ୟ ଧଉଳି ଗଣନାଟ୍ୟର ଜିନିଷପତ୍ର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ ଜଣଙ୍କର ଜୀବନଦୀପ ଲିଭିଯାଇଛି। କୁହାଯାଉଛି, ଘାଟି ଦୁର୍ଘଟଣା ଇତିହାସରେ ଏହା ସବୁଠାରୁ ବଡ଼ ଅଘଟଣ। ନିୟମିତ ଭାବେ ଏଠାରେ ଦୁର୍ଘଟଣା ଘଟୁଥିବାରୁ ଅନେକଙ୍କର ପ୍ରାଣହାନି ହେଉଛି।
ଏହାପୂର୍ବରୁ ୨୦୧୯ ମସିହାରେ ଦୁଆରଶୁଣି ଘାଟିରେ ଏକାଧିକ ଦୁର୍ଘଟଣା ଘଟିଥିଲା। ଏକ ଜିପ୍କୁ ଟ୍ରକ୍ ଧକ୍କା ଦେବାରୁ ୨ ଜଣ କାଉଡ଼ିଆ ଆଖି ବୁଜିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ଗୋଟିଏ ଟ୍ରକ୍ ୧୦୦ ଫୁଟ୍ ତଳକୁ ଖସିପଡ଼ିବାରୁ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ୨୦୨୨ ମସିହା ଡିସେମ୍ବର ୨୦ ତାରିଖରେ ସିରିଜ୍ ଦୁର୍ଘଟଣା ଘଟିବା ଫଳରେ ୬ ଜଣ ଗୁରୁତର ହୋଇଥିଲେ। ଗତବର୍ଷ ମଧ୍ୟ ଏଠାରେ ପୃଥକ୍ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବର ୨୮ ତାରିଖରେ ଟ୍ରକ୍ ଚଢ଼ିଯିବାରୁ ବାଇକ୍ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଡିସେମ୍ବର ୧୮ ତାରିଖରେ ପୁଲିସ୍ ଭ୍ୟାନ୍ ଓ କଣ୍ଟେନର୍ ମଧ୍ୟରେ ଧକ୍କା ହୋଇଥିଲା। ସୌଭାଗ୍ୟକୁ ଏଥିରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ୨୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଅକ୍ଟୋବର ୨୧ ତାରିଖରେ ଏକ ଇନୋଭା କାର୍କୁ ଟ୍ରକ୍ ଚାପି ଦେବାରୁ ପଶ୍ଚିମବଙ୍ଗ ଅଞ୍ଚଳର ୨ ଜଣ ମହିଳାଙ୍କ ଜୀବନ ଯାଇଥିଲା। ଏଥିରେ ଡ୍ରାଇଭର୍ଙ୍କ ସହ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ଚଳିତବର୍ଷ ଜାନୁଆରି ୪ ତାରିଖରେ ଏକ ମୋବିଲ୍ ଟ୍ୟାଙ୍କର୍ ଓ ଚା’ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଡ୍ରାଇଭର୍ ଜିଅନ୍ତା ଜଳିଯାଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର୍ ଗାଡ଼ି ଭିତରେ ଚାପି ହୋଇ ପ୍ରାଣ ହରାଇଥିଲେ।
ଏସବୁକୁ ଛାଡ଼ି ପୂର୍ବରୁ ଏଠାରେ ଅନେକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ଗତବର୍ଷ ଜାନୁଆରି ୧ରୁ ଚଳିତବର୍ଷ ଜାନୁଆରି ୨୪ ତାରିଖ ମଧ୍ୟରେ ୫୩ଟି ଦୁର୍ଘଟଣା ଘଟିଥିବା ବେଳେ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ୨୬ ଜଣ ଗୁରୁତର ଓ ୪୫ ଜଣ ଆହତ ହୋଇଛନ୍ତି।