ବନ୍ଧମୁଣ୍ଡା: ହାୱଡ଼ା-ପୁଣେ ଦୂରନ୍ତ ଏକ୍ସପ୍ରେସ୍ (ଟ୍ରେନ୍ ନଂ ୧୨୨୨୨) ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି। ଆଜି ଦିନ ପ୍ରାୟ ୧୧ଟା ସମୟରେ ଚକ୍ରଧରପୁର ରେଳ ଡିଭିଜନ୍ ଅନ୍ତର୍ଗତ ମହାଦେବସାଲ ରେଳ ଷ୍ଟେସନ୍ରେ ରେଳ ଯାନ୍ତ୍ରିକ ବିଭାଗର କିଛି କର୍ମଚାରୀ ଏକ ରେଳଧାରଣା ଖଣ୍ଡକୁ ନେଇ ରେଳଲାଇନ୍ ପାର ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ମାଡ଼ି ଆସିଥିଲା ଦୂରନ୍ତ ଏକ୍ସପ୍ରେସ୍। ଅତି ନିକଟରେ ଟ୍ରେନ୍କୁ ଦେଖି କର୍ମଚାରୀମାନେ ରେଳଧାରଣା ଖଣ୍ଡକୁ ଟ୍ରାକ୍ ଉପରେ ଫିଙ୍ଗି ଦେଇ ଜୀବନବିକଳରେ ଦୌଡ଼ି ପଳାଇଥିଲେ।
ନିମିଷକେ ଲାଇନ୍ ଉପରେ ପଡ଼ିଥିବା ଉକ୍ତ ରେଳଧାରଣା ଖଣ୍ଡକୁ ଧକ୍କା ଦେଇଥିଲା ଟ୍ରେନ୍। ଧକ୍କା ଏତେ ପ୍ରଚଣ୍ଡ ଥିଲା ଯେ ରେଳଧାରଣା ଖଣ୍ଡଟି ଉଡ଼ିଯାଇ ଷ୍ଟେସନ୍ର ଛାତ ଉପରେ ପଡ଼ିଥିଲା। ଯାହାଫଳରେ ଛାତ ବି କ୍ଷତିଗ୍ରସ୍ତ ହୋଇଥିଲା। ଏହି ଧକ୍କାରେ ଇଞ୍ଜିନ୍ ସମ୍ମୁଖରେ ଥିବା କ୍ୟାଟଲ୍ ଗାର୍ଡଟି ଭାଙ୍ଗି ଯାଇଥିଲେ ବି କୌଣସି ଯାତ୍ରୀଙ୍କୁ ଆଘାତ ଲାଗିନାହିଁ। ଟ୍ରେନ୍ଟି ରାଉରକେଲା ରେଳ ଷ୍ଟେସନ୍ରେ ୧୨.୫୦ରେ ପହଞ୍ଚିଥିଲା। ସେଠାରେ ଇଞ୍ଜିନରେ ଏକ ନୂଆ କ୍ୟାଟଲ୍ ଗାର୍ଡ ଲଗାଯିବା ପରେ ମଧ୍ୟାହ୍ନ ୧.୨୦ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।