ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

କରଙ୍ଗାମାଳ/ବୋଡ଼େନ: ପୂର୍ବତନ ମନ୍ତ୍ରୀ ତଥା ଖଡ଼ିଆଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀ ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ତାଙ୍କର ବିୟୋଗ ହୋଇଛି। ମାଝୀ ଖଡ଼ିଆଳରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୯୦ରେ ଜନତା ଦଳରୁ ଖଡ଼ିଆଳ ଆସନରୁ ବିଧାନସଭାକୁ ପ୍ରବେଶ କରିଥିଲେ। ୧୯୯୫ରେ ବି ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗଦେଇ ୨୦୦୦ ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଥିଲେ। ୨୦୦୦ ରୁ ୨୦୦୬ ମସିହା

ମଧ୍ୟରେ ୨ ଥର ମନ୍ତ୍ରୀ ରହିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି (୨୦୦୦-୨୦୦୯), ସୂଚନା ଓ ଲୋକସମ୍ପର୍କ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ ମସିହାରେ ବିଜେଡିରୁ ଇସ୍ତଫା ଦେଇ ଭାରତୀୟ ଜନତା ଦଳରେ ଯୋଗଦେଇ ବିଧାୟକ ହୋଇଥିଲେ। ୨୦୧୯ରେ ବିଜେପି ଟିକେଟ୍‌ ନଦେବାରୁ ପରବର୍ତ୍ତୀ ସମୟରେ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୧୯୩୮ ମସିହାରେ ଜନ୍ମିତ ମାଝୀଙ୍କ ୪ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଆଜି ତାଙ୍କ ମରଶରୀରକୁ ଭୁବନେଶ୍ବରୁ ଜନ୍ମମାଟି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ଅନ୍ତର୍ଗତ ବୋଇରଗାକୁ ଅଣାଯାଉଛି। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର