ଜୟପୁର: ଅଭିବକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସହର ଜୟପୁରରେ ବେଶ ଧୁମ ଧାମରେ ଦଶହରା ମହୋତ୍ସବ ପାଳନ ହୋଇଯାଇଛି । ରାଜା ରାଜୁଡା ଅମଳରୁ ଜୟପୁର ସହରରେ ମା’ ଭଗବତୀ ଓ ରାଜ ନହର ପରିସରରେ କନକଦୁର୍ଗା ମନ୍ଦିରରେ ମଙ୍ଗଳବାର ଦିନ ହଶହରା ପୂଜା କରାଯାଇଥିଲା। ସହର ଉପକଣ୍ଠ ଦଶହରା ପଡ଼ିଆରେ ରାବଣ ପୋଡ଼ି ସହ ବୁଧବାର ଭୋର ସମୟରେ ମା’ ଦୁର୍ଗାଙ୍କ ଅପରାଜିତା ପୂଜା ସମ୍ପନ୍ନ ହୋଇଥିଲା । କୋରୋନା ମହାମାରୀ ଯୋଗୁଁ ଦିର୍ଘ ୨ ବର୍ଷ ହେଲା ନିମଡାମ୍ବର ଭାବେ କଟକଣାରେ ପୂଜା କରାଯାଇଥିବା ବେଳେ ଚଳିତ ବର୍ଷ କଟକଣା ମୁକ୍ତ ପୂଜାକୁ ନେଇ ବେଶ ଆନନ୍ଦିତ ଥିଲେ ସହରବାସୀ ।
ଐତିହାସିକ ଜୟପୁର ଦଶହରା ମହୋତ୍ସବରେ ରାଜରାଜୁଡା ଅମଳର ପରମ୍ପରା ଅନୁଯାୟୀ ଅଭିବକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମ ଦେବୀଙ୍କ ପ୍ରତୀକକୁ ନେଇ ପ୍ରତିନିଧି, ପୂଜକ ମାନେ ଲାଠି, କୁର୍ଚ୍ଚୀ, ଚୈକୀକୁ ନେଇ ରାଜନଅରକୁ ଆସିଥିଲେ। ଏହି ସମସ୍ତ ଲାଠିକୁ ଜୟପୁର ରାଜ ପରିବାରର ଉତ୍ତରାଧିକାରୀ ବିଶ୍ବେଶ୍ବର ଚନ୍ଦ୍ର ଚୁଢ଼ ଦେବଙ୍କ ଦ୍ଵାରା ରାଜନଅର ପରିସରରେ ପୂଜାଅର୍ଚ୍ଚନା କରାଯାଇଥିଲା। ଏହା ସହ ପାରମ୍ପରିକ ରିତୀନିତିରେ ଅସ୍ତ୍ରଶସ୍ତ୍ର ବି ପୂଜା କରାଯାଇଛି। ପ୍ରତିନିଧି ତଥା ପୂଜକଙ୍କୁ ରାଜକୀୟ ପରମ୍ପରା ଅନୁଯାୟୀ ଚନ୍ଦ୍ରଚୁଡ଼ ଦେବ ସମ୍ମାନୀତ କରିଥିଲେ।
ଗଣତନ୍ତ୍ର ଆସିଛି, ତେବେ ଇତିହାସରେ ରହିଥିବା ପରମ୍ପରା, ଐତିହ୍ୟ ବଦଳି ନାହିଁ। ଆଜି ବି ଲୋକେ ସେହି ସମ୍ମାନ ତାଙ୍କୁ ଦେଇ ଆସୁଛନ୍ତି ବୋଲି କହିଛନ୍ତି ରାଜା ବିଶ୍ବେଶ୍ବର ଦେବ। ପୂର୍ବ ପରମ୍ପରାକୁ ବଜାୟ ରଖିବା ତାଙ୍କ ଧର୍ମ ଏବଂ ସେ ତାହାକୁ ନିଭାଉଛନ୍ତି ବୋଲି କହିଥିଲେ। ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ଜିଲ୍ଲାପାଳ ମହମ୍ମଦ ଆବଦଲ ଆକ୍ତର , ଏସପି ବରୁଣ ଗୁଣ୍ଟପାଲ୍ଲୀ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଏସଡିପିଓ ଅରୁପ ଅଭିଶେଖ ବେହେରାଙ୍କ ଉପସ୍ଥିତିରେ ଏହି ଐତିହାସିକ ଉତ୍ସବ ବିନା ବାଧାବିଘ୍ନର ସହକାରେ ସେମାନଙ୍କ ଉପସ୍ଥିତିରେ ଲାଠୀଯାତ୍ରା ଓ ରାବଣ ପୋଡ଼ି ସମ୍ପନ୍ନ ହୋଇଥିଲା । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାବଣ ପୋଡ଼ି ଓ ଆତସବାଜୀ ପ୍ରଦର୍ଶନ ହୋଇଥିଲା।
ଦଶହରା ମହୋତ୍ସବ ଶୋଭାଯାତ୍ରାରେ ମା’କନକ ଦୁର୍ଗାଙ୍କ ବିମାନ ସହ ମାଁ’ ଭଗବତୀ, ମା’ ଦକ୍ଷିଣ କାଳୀ, ମାଁ’ ବାସନ୍ତାୟୀଙ୍କ ବିମାନ ସହ ରାଜନଅରରେ ବସାଯାଇଥିବା ମାଁ’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ସାମିଲ ହୋଇଥିଲା। ଏହା ସାଙ୍ଗକୁ ଏଥିରେ ପାଇକ ଆଖଡା ଶୋଭା ବର୍ଦ୍ଧନ କରିଥିଲା। ଏହା ସହ ଶୋଭାଯାତ୍ରାରେ କନ୍ଧ , କୋୟା, ବଣ୍ଡା, ପରଜା , ଗାଧବା ଆଦି ସଂପ୍ରଦାୟର ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା। ବହୁତ ବର୍ଷ ପରେ ରାଜନଅର ଓ ସୂର୍ଯ୍ୟମହଲରେ ରଂଗୀନ ଆଲୋକ ସଜ୍ଜା କରାଯାଇଥିଲା। ଦଶହରା ମହୋତ୍ସବ କମିଟି ପକ୍ଷରୁ ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଜୟପୁର ସହରର ନାଁକୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ସ୍ଥାନ ଦିଲେଇଥିବା ମହିଳା ଓ ପୁରୁଷଙ୍କୁ ସଂଧ୍ୟାରେ ସମ୍ବର୍ନ୍ଧିତ କରାଯାଇଥିଲା।
ସେଭଳି ଗତ ୩ତାରିଖ ଦିନ ରାତିରେ ମୁମ୍ବାଇରୁ ଆସିଥିବା ବର୍ଷିୟାନ ଚଳଚ୍ଚିତ୍ର ଗାୟକ ସବିର କୁମାର, ଓ ସାରିକା ସିଂଙ୍କ ଓର୍କେଷ୍ଟ୍ରା କାର୍ଯ୍ୟକ୍ରମ ସମସ୍ତଙ୍କର ମନମୋହିଥିଲା। କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବିଧାୟକଙ୍କ ସଭାପତିତ୍ବରେ ପୂର୍ବଦିନ ସେହି ମଂଚରେ ଗୀତ ଗାଉଥିବା ସମୟରେ ଗୁରୁତର ହୋଇ ପ୍ରାଣ ହରାଇଥିବା ମୁରଲୀ ପ୍ରସାଦ ମହାପାତ୍ରଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ସମସ୍ତ କଳାକାର ଓ ବାଦ୍ୟଯନ୍ତ୍ର ସହଯୋଗୀଙ୍କ ସହ ଶ୍ରେତା ବି ଭାଗ ନେଇଥିଲେ।