ଭୁବନେଶ୍ବର: କନକ ନ୍ୟୁଜ୍ରେ ଚଳିତ ବର୍ଷର ଦଶହରା ପର୍ବ ସ୍ବତନ୍ତ୍ର ହେବାକୁ ଯାଉଛି। ଏଥର ପାର୍ବଣ ଉପଲକ୍ଷେ ନାଚ, ଗୀତ, କମେଡି ଓ ମେଲୋଡିର ନିଆରା ଅନୁଭବ ଆଣିଦେବ ‘କନକ ନ୍ୟୁଜ୍’। ନେତା, ଅଭିନେତା, କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ ଏକାଠି ହେବେ। ପୀଠରୁ ମଣ୍ଡପ, ମା’ଙ୍କ ଆବାହନର ପ୍ରତ୍ୟେକଟି ଖବରକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘କେତେ ରୂପେ ମାଆ’ ପ୍ରସାରଣ କରାଯିବ। ରାଜ୍ୟର କୋଣ ଅନୁକୋଣରେ ଥିବା ଦେବୀପୀଠର ମାହାତ୍ମ୍ୟ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଜାଣିପାରିବେ। ଆଗାମୀ ୧୪ ତାରିଖରୁ ପ୍ରତ୍ୟହ ସକାଳ ୬ଟା ୩୦ରେ ଏହାର ପ୍ରସାରଣ ହେବ। ୧୮ଟି ଦେବୀପୀଠକୁ ନେଇ ଅଧଘଣ୍ଟାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେବ। ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଦଶହରା ଧମାକା’ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ପ୍ରତ୍ୟହ ରାତି ୮ଟାରୁ ୯ଟା ଯାଏଁ ଶ୍ରଦ୍ଧାଳୁମାନେ ପୂଜାର ଅସଲ ମଜା ନେଇପାରିବେ। ସାରା ଓଡ଼ିଶାକୁ ଯୋଡ଼ିବାର ନୂତନ ପ୍ରୟାସ ‘କନକ ନ୍ୟୁଜ୍’ ପକ୍ଷରୁ ଗ୍ରହଣ କରାଯାଇଛି।
ଅନୁରୂପ ଭାବେ କଟକ ଦଶହରା ଓ ପୁରୀ ଗୋସାଣି ଯାତ୍ରାକୁ ଧ୍ୟାନରେ ରଖି ସେପ୍ଟେମ୍ୱର ୨୭ରୁ ଅକ୍ଟୋବର ୧ ତାରିଖ ଯାଏଁ ରାତି ୯ଟା ୩୦ରେ ‘କଟକ ଦଶହରା’ ଓ ‘ଗୋସାଣି ଯାତ୍ରା’କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦେଖିପାରିବେ। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧ ତାରିଖ ଯାଏଁ ରାତି ୧୦ଟାରେ ବଙ୍ଗୀୟ ପରମ୍ପରାରେ ଦୁର୍ଗାପୂଜାର ବିଶେଷ କାର୍ଯ୍ୟକ୍ରମ ‘କୋଲକାତା ଦଶହରା’ ଦେଖିହେବ। ଦାଣ୍ଡିଆର ଧୁମ୍ ଓ ସେଲିବ୍ରିଟିଙ୍କ ସହ ମଣ୍ଡପ ବୁଲା ସନ୍ଧ୍ୟା ୬ଟାରେ ପ୍ରସାରଣ ହେବ। ସିନ୍ଦୂର ଖେଳ, ରାବଣ ପୋଡ଼ି ଓ ଭସାଣି ଶୋଭାଯାତ୍ରା ମଧ୍ୟ କେବଳ କନକ ନ୍ୟୁଜ୍ରେ ଦର୍ଶକମାନେ ଦେଖିପାରିବେ। ରାଜ୍ୟର ସମସ୍ତ ଦେବୀପୀଠ ସହ ବିଭିନ୍ନ ସ୍ଥାନରେ ହେଉଥିବା ମୃଣ୍ମୟୀ ମେଢ଼ ଓ ମଣ୍ଡପରୁ ସିଧା ପ୍ରସାରଣ ଦିନତମାମ ବିଭିନ୍ନ ନ୍ୟୁଜ୍ ବୁଲେଟିନ୍ରେ ଦେଖି ପାରିବେ। କେଉଁ ଅଞ୍ଚଳରେ ଦୁର୍ଗାପୂଜା କିଭଳି ଚାଲିଛି ସେ ନେଇ ଯଦି ଶ୍ରଦ୍ଧାଳୁମାନେ ଭିଡିଓ ପଠାନ୍ତି, ତାକୁ ମଧ୍ୟ ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/13/kanak-news-2025-09-13-02-22-50.jpg)