କଟକ ଦଶହରାକୁ ନେଇ ଦ୍ବନ୍ଦ୍ବ, ଅନିଶ୍ଚିତତା

ହାଇକୋର୍ଟରେ ମାମଲା; ଜିଲ୍ଲାପାଳ କହିଲେ କଟକଣାରେ ହେବ ପୂଜା

କଟକ: ସାରାଦେଶରେ ପ୍ରସିଦ୍ଧ କଟକ ଦଶହରାର ପାଳନକୁ ନେଇ ଲାଗି ରହିଛି ଅନିଶ୍ଚିତତା। କରୋନା ଜନିତ ପରିସ୍ଥିତିରେ ପୂଜା କିଭଳି ପାଳନ ହେବ, ତାହାକୁ ନେଇ ଦ୍ବନ୍ଦ୍ବ ଦୂର ହେଉନାହିଁ। ଆଜି ଏ ସଂକ୍ରାନ୍ତରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିବାବେଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କଟକଣାଯୁକ୍ତ ପୂଜା ସଂପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ଚୟନୀ କହିଛନ୍ତି ଯେ ପୂଜା ମଣ୍ଡପରେ କୌଣସି ପ୍ରକାର ସାଜସଜ୍ଜା ଅଥବା ଲୋକଙ୍କ ଗହଳିକୁ ଅନୁମତି ଦିଆଯିବ ନାହିଁ। ପରମ୍ପରା ରକ୍ଷା ପାଇଁ ପୂଜା ଅନୁଷ୍ଠିତ ହେବ। କଟକଣା ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। କିନ୍ତୁ ରାଧାଷ୍ଟମୀରୁ ମୂର୍ତ୍ତି ଗଢା ଆରମ୍ଭ ହେବାର ପରମ୍ପରା ରହିଥିଲେ ବି ସେ ସଂପର୍କରେ ଏଯାଏ କିଛି ସ୍ପଷ୍ଟ ହୋଇପାରିନାହିଁ।

ଦୁର୍ଗାପୂଜାକୁ ଆଉ ଦୁଇ ମାସରୁ କମ୍ ସମୟ ରହିଛି। ତେଣୁ ଏଭଳି ସ୍ଥିତିରେ ଦୁର୍ଗାପୂଜା ପାଳନ ଅନୁମତି ପ୍ରସଂଗକୁ ନେଇ ବାଲୁ ବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ପୂଜା କମିଟିର ସଭାପତି ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ସଂପାଦକ ରାଜେନ୍ଦ୍ର ସାମଲ ଓ ରମେଶ ଚନ୍ଦ୍ର ବେହେରା ଦାୟର କରିଥିବା ଆବେଦନରେ ଦର୍ଶାଯାଇଛି ଯେ, ଏହି ପୀଠରେ ୧୫୦୯ ମସିହାରୁ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଆସୁଛି। ଦୀର୍ଘ ୫୦୦ବର୍ଷରୁ ଅଧିକ ସମୟ ଧରି ବାଲୁବଜାରରେ ଦୁର୍ଗାପୂଜା ପରମ୍ପରା ବଜାୟ ରଖି ପୂଜା ଆୟୋଜନ କରାଯାଉଛି। ଅତୀତରେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଖା ଦେଇଥିବା ବେଳେ ଏହି ପରମ୍ପରା କେବେ ଭାଙ୍ଗିନାହିଁ। ଚଳିତବର୍ଷ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ସ୍ଥିତିରେ ଦୁର୍ଗାପୂଜା ଆୟୋଜନ ସଂପର୍କିତ ପ୍ରଥମ ପରମ୍ପରା ମାଟି ଅନୁକୂଳ ପାଇଁ କଟକ ଡିସିପି ଅନୁମତି ଦେବା ପରେ ସୀମିତ ଚାରି ଜଣ ଲୋକଙ୍କୁ ନେଇ ଓ ବିନା ଶୋଭାଯାତ୍ରାରେ ମାଟି ଅନୁକୂଳ କାର୍ଯ୍ୟ ସଂପାଦନ ହୋଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାର କରୋନା ସଂକ୍ରମଣକୁ ଯୋଗୁଁ ସବୁ ଧର୍ମାନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ଖୋଲିବା ଉପରେ କଟକଣା ଜାରି କରିଛନ୍ତି। ଏଭଳି ସ୍ଥିତିରେ ମା’ଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ଅନୁମତି ଦିଆଯାଉ। ଏଥିସହିତ କୋଭିଡ–୧୯ କଟକଣା ମଧ୍ୟରେ ବାଲୁବଜାର ମଣ୍ତପରେ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ। କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀ ମାନି ବିନା ଶୋଭାଯାତ୍ରାରେ ଓ ସାମାଜିକ ଦୂରତ୍ବ ବଜାୟ ରଖି ବାଲୁବଜାର ଦୁର୍ଗାପୂଜା ମଣ୍ତପରେ ମା’ ଦୁର୍ଗାଙ୍କ ପୂଜା ଆୟୋଜନ ପାଇଁ ଆବେଦନକାରୀ ପ୍ରସ୍ତୁତ ଥିବାବେଳେ ଏଥିପାଇଁ ପ୍ରଶାସନିକ ଅନୁମତି ପ୍ରଦାନ କରାଯାଉ ବୋଲି ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ମୁଖ୍ୟ ସଚିବ, କଟକ ଜିଲ୍ଲାପାଳ, ପୁଲିସ କମିସନର ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର