ବୋଲଗଡ଼: ପାର୍ବଣର ଶାରଦୀୟ ପର୍ବ ଅବସରରେ ବୋଲଗଡ଼ ବ୍ଲକ ଅଞ୍ଚଳରେ ଥିବା ବିଭିର୍ନ ଶକ୍ତିପୀଠ ଉତ୍ସବ ମୁଖର ହୋଇଉଠିଛି । ତେବେ ବୋଲଗଡ଼ ବ୍ଲକ ଅଞ୍ଚଳରେ ଥିବା ଖୋର୍ଦ୍ଧା ନୟାଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାର ମାଣିକଗୋଡ଼ା ଗାଁର ଦୁର୍ଗା ପୂଜା ଉତ୍ସବ ସାମ୍ପ୍ରଦାୟିକ ସଦ୍ଭାବନାର ଏକ ଉଦାହରଣ ପାଲଟିଛି। ଗାଁରେ ହିନ୍ଦୁ ଏବଂ ମୁସଲମାନ ଏକାଠି ଦୁର୍ଗା ପୂଜା ପାଳନ କରିବାର ଶହ ଶହ ବର୍ଷ ପୁରୁଣା ପରମ୍ପରାକୁ ଜୀବିତ ରଖିଛନ୍ତି।
ଗାଁରେ ଚାରି ଦିନ ଧରି ହେଉଥିବା ଦୁର୍ଗା ପୂଜା ଉତ୍ସବରେ ହିନ୍ଦୁ ଏବଂ ମୁସଲିମ ଉଭୟ ସମ୍ପ୍ରଦାୟର ହଜାର ହଜାର ଲୋକଙ୍କ ଅଂଶଗ୍ରହଣର ସାକ୍ଷୀ ରହିଛି। ୩୦୦ ବର୍ଷରୁ ଅଧିକ ସମୟ ଧରି, ମାଣିକଗୋଡ଼ା ଗାଁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ଦେଇଆସୁଛି।
/filters:format(webp)/sambad/media/media_files/2025/10/01/dussehra-in-manikgoda-village-2025-10-01-16-05-00.jpeg)
ମାଣିକଗୋଡା ଗ୍ରାମରେ ରାଜାରାଜୁଡା ଅମଳରୁ ଷୋଡଶ ଶତାବ୍ଦୀର ଶେଷ ଭାଗରୁ ଦଶହରା ପର୍ବ ଭାଇଚାରାର ନିଦର୍ଶନ ସ୍ୱରୂପ ଏହି ପର୍ବ ପାଳନ କରିବାର ପ୍ରସିଦ୍ଧି ଅଦ୍ୟାବଧି ରହି ଆସିଛି। ମାଣିକଗୋଡା ଗାଁରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେରେ ସମସ୍ତ ବର୍ଗର ଲୋକେ ମିଳିମିଶି ପାର୍ବଣରେ ସାମିଲ ହୋଇଥାନ୍ତି।
ହିନ୍ଦୁ ସଂସ୍କୃତି ପରମ୍ପରାରେ ଦଶହରା ପର୍ବ ମାଣିକଗୋଡ଼ା ଗ୍ରାମରେ ବିଭିର୍ନ ସମ୍ପ୍ରଦାୟ ମଧ୍ୟରେ ଏକତା ଓ ଭାଇଚାରାର ବାର୍ତ୍ତା ବହନ କରି ଚାଲିଆସୁଛି। ଏଠାରେ ଆଶ୍ୱିନ ଶୁକ୍ଳପକ୍ଷ ମହାସପ୍ତମୀ ରାତିରୁ ଏହି ପ୍ରସିଦ୍ଧ ପର୍ବ ଆରମ୍ଭ ହୋଇଥାଏ । ଏହି ଗ୍ରାମରେ ହିନ୍ଦୁ, ମୁସଲମାନ ଆଦି ସମସ୍ତ ବିଭିନ୍ନ ସଂପ୍ରଦାୟର ଲୋକେ ମିଳିମିଶି ଏହି ପର୍ବ ପାଳନ କରିଥାନ୍ତି।
/filters:format(webp)/sambad/media/media_files/2025/10/01/dussehra-in-manikgoda-village-2025-10-01-16-05-29.jpeg)
ଚଳିତ ବର୍ଷ ମହାସପ୍ତମୀ ରାତ୍ରିରେ ମଶାଲ ଆଲୋକ ଏବଂ ପାରମ୍ପରିକ ଢୋଲ ଏବଂ ଘଣ୍ଟ ବାଦ୍ୟ ମଧ୍ୟରେ ତତ୍କାଳୀନ ଗଜପତିଙ୍କ ଦ୍ବାରା ପ୍ରତିଷ୍ଠିତ ଓ ଦିବ୍ୟସିଂହ ପୁ୍ର ଶାସନ ଗ୍ରାମରେ ଅବସ୍ଥାପିତ ମା"ଶ୍ରୀକନକଦୁର୍ଗାଙ୍କୁ ପୂଜକ ଦେବେନ୍ଦ୍ର ହୋତା ମାଣିକଗୋଡା ଗ୍ରାମର ଭାଗବତୀଙ୍କ ପୀଠକୁ ନେଇ ଆସିଥିଲେ । ପରେ ଗଜପତିଙ୍କ ପ୍ରଦତ୍ତ ଖଡ଼ଗ ଯାହାକି ମାଣିକାଗୋଡ଼ା ଗ୍ରାମର ମୁସଲମାନ ଦଳବେହେରାଙ୍କ ଘରେ ରହିଛି। ସେହି ଖଡ଼ଗକୁ ଭାଗବତୀଙ୍କ ପୀଠକୁ ଆଣିବା ପାଇଁ ମଶାଲ ଆଲୋକ ସହିତ ପାରମ୍ପରିକ ଢୋଲବାଦ୍ୟ ବଜାଇ ପ୍ରଦୀପ ମାନସିଂହ ଦଳବେହେରାଙ୍କ ଦୁଆର ସମ୍ମୁଖରେ ପହଂଚିଥିଲେ । ମୁସଲମାନ ଦଳବେହେରା ଶେଖ ଅଜିଜୁର ରହେମାନ ଗଜପତିଙ୍କ ପ୍ରଦତ୍ତ ଖଡ଼ଗକୁ ତାଙ୍କ ଘରୁ ଆଣି ମାନସିଂହଙ୍କୁ ଦେଇଥିଲେ । ପ୍ରଦୀପ ମାନସିଂହ ଖଡ଼ଗ ଧରି ଏକ ରୋଶଣି ପଟୁଆରରେ ଏହାକୁ ମା' ଭାଗବତୀଙ୍କ ପୀଠକୁ ଆଣିଥିଲେ । ସେହିପରି ମଶାଲ ଓ ଢୋଇବାଦ୍ୟର ଗହଳି ଚହଳି ମଧ୍ୟରେ ଗାଁ କରଣ ଅବନି କୁମାର ପଟ୍ଟନାୟକ ଲେଖନୀ ଓ ତାଳପତ୍ର ନେଇ ଆସିଥିଲେ ।
/filters:format(webp)/sambad/media/media_files/2025/10/01/dussehra-in-manikgoda-village-2025-10-01-16-05-48.jpeg)
ପୁଣି ଆଉ ଏକ ରୋଶଣି ପଟୁଆରରେ ଡୁମାଳଗଉଡ(ଶବର) ପୂଜିତ ଗ୍ରାମ ସ୍ଥିତ ଶ୍ରୀମହିସାସୁର ମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ଏକ ବିରାଟ କଟାରୀ (ଲମ୍ବା କଟୁରି) ଧରି ପୂଜକ ଦୁର୍ଯ୍ୟୋଧନ ଦିହୁଡି ଭଗବତୀଙ୍କ ପୀଠକୁ ଆସିଥିଲେ। ଏପରି ୪ଟି ପୃଥକ୍ ପୃଥକ୍ ରୋଶଣି ପଟୁଆର ଗ୍ରାମର ଦେବୀପୀଠ ଶ୍ରୀଭଗବତୀ ଠାକୁରାଣୀଙ୍କ ମନ୍ଦିରକୁ ଯାଇ ଏକତ୍ରିତ ହୋଇଥିଲେ । ଭଗବତୀଙ୍କ ମନ୍ଦିର ସମ୍ମୁଖ ମଣ୍ଡପ ଉପରେ ନବନିର୍ମିତ ସ୍ଵତନ୍ତ୍ର ପିଢ଼ା ଉପରେ ଗଜପତିଙ୍କ ପ୍ରଦତ୍ତ ଦଳବେହେରାଙ୍କ ଖଡ଼ଗ, କରଣଙ୍କ ଲେଖନୀ ଓ ତାଳପତ୍ର ଏବଂ ଶ୍ରୀମହିଷାସୁର ମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଅଷ୍ଟଧାତୁର ଏକ ବିରାଟ କଟାରିକୁ ଅବସ୍ଥାନ କରାଯାଇଥିବା ବେଳେ ମା 'ଶ୍ରୀକନକଦୁର୍ଗା ଖଟୁଲିରେ ଅବସ୍ଥାନ କରିଥିଲେ।
/filters:format(webp)/sambad/media/media_files/2025/10/01/dussehra-in-manikgoda-village-2025-10-01-16-06-11.jpeg)
ମହାସପ୍ତମୀ ରାତ୍ରିରୁ ଏଠାରେ ପୂଜା ଆରମ୍ଭ ହୋଇଛି । ପୂଜା ସମୟରେ ଶ୍ରୀଭଗବତୀ ଠାକୁରାଣୀଙ୍କ ମନ୍ଦିର ଖୋଲା ରହିଛି । ତେବେ ପାର୍ବଣରେ ଏଠାରେ ପରାମ୍ପରା ଅନୁସାରେ ପ୍ରତିବର୍ଷ ଧୋବା ବର, ବେଲ ଅଥବା ବରୁଣ କାଠ ଆଣି ନୂତନ ପିଢା ଓ ରୂଖା ପ୍ରସ୍ତୁତି ପାଇଁ ବଢ଼େଇକୁ ଦେଇଥିଲେ । ବଢ଼େଇ ସେହି କାଠରୁ ପିଢ଼ା ଓ ରୂଖା ତିଆରି କରିଥିଲେ । ଏହି ପିଢ଼ାରେ ବିଜେ ପ୍ରତିମା ଉପବେସନ କରିଛନ୍ତି ଏବଂ ରୁଖା ଉପରେ ଦୀପ ପ୍ରଜ୍ବଳନ କରାଯାଇଛି । ଭାଗବତୀଙ୍କ ପୀଠରେ ଦଶହରା ପର୍ଯ୍ୟନ୍ତ ଏଭଳି ପୂଜାର୍ଚ୍ଚନା ଚାଲିବ। ତେବେ ଏଠାରେ ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦଶହରା ରାତ୍ରିର ଅପରାଜିତା ହୋମ। ଦଶହରା ହିନ୍ଦୁ ମାନଙ୍କର ଏକ ପ୍ରସିଦ୍ଧ ପର୍ବ।
/filters:format(webp)/sambad/media/media_files/2025/10/01/dussehra-in-manikgoda-village-2025-10-01-16-06-31.jpeg)
ତେବେ ଭାଇଚାରା ଓ ଏକତାର ନିଦର୍ଶନ ସ୍ୱରୂପ ଏଠାରେ ଦଶହରା ଅପରାଜିତା ହୋମରେ ଦଳବେହେରା ପରିବାର ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କ ପରିବାରରୁ ଜଣେ ଅପରାଜିତା ହୋମରେ କର୍ତ୍ତା ହେବାର ପରାମ୍ପରା ରହିଛି । ସୂଚନା ଯୋଗ୍ୟ, ଦଶହରା ଦିନ ମାଣିକାଗୋଡ଼ା, ଦିବ୍ୟସିଂହପୁର ଏବଂ କଳାଙ୍ଗ ଗ୍ରାମକୁ ଯିବା ପାଇଁ ଥିବା ତ୍ରିଛକି ରାସ୍ତାଠାରେ ସୋମନାଥ ଦେବ ମନ୍ଦିର ପ୍ରାଚୀର ପାର୍ଶ୍ଵ ରାସ୍ତା ଉପରେ ଅପରାଜିତା ହୋମ ରାତ୍ରିରେ ହୋଇଥାଏ।
ଏଥିପାଇଁ ମା ଭାଗବତୀଙ୍କ ମନ୍ଦିର ସମ୍ମୁଖ ମଣ୍ଡପରେ ସପ୍ତମୀ ରାତ୍ରୀ ଠାରୁ ଅବସ୍ଥାନ କରିଥିବା ମା'ଶ୍ରୀକନକ ଦୁର୍ଗା, ମହିଷାମର୍ଦ୍ଦିନୀଙ୍କ ବିଜେ କଟାରି, ଲେଖନୀ ତାଳପତ୍ର,ଗଜପତିଙ୍କ ପ୍ରଦତ୍ତ ଖଡ଼ଗ ଏକ ପାଟୁଆରରେ ଦଳବେହେରା ଏବଂ ପୂଜକଙ୍କ ସମେତ ଆୟୋଜକ କମିଟି କରକର୍ତ୍ତା ଓ ସଦସ୍ୟମାନେ ଦିବ୍ୟସିଂହ ପୁର ଗ୍ରାମ ଉପକଣ୍ଠ ସ୍ଥିତ ତ୍ରିଛକି ରାସ୍ତା ଠାରେ ଅପରାଜିତା ହୋମ ପାଇଁ ଆସିଥାନ୍ତି। ରୋଶଣି ପଟୁଆରରେ ମାଣିକାଗୋଡ଼ା ଗୋଡ଼ାର ଠାକୁରାଣୀ ମାଣିକ ଭୂଇଁଆଣୀଙ୍କ ବିଜେ ପ୍ରତିମା (କାଷ୍ଠ ମୁଷଳ)କୁ ଭୋଇ ସମ୍ପ୍ରଦାୟର ସେବକମାନେ ନେଇ ଆସିଥାନ୍ତି। ଏପରି ସମସ୍ତଙ୍କ ଉପସ୍ଥିତ ହେବା ପରେ ହୁଏ ଅପରାଜିତା ହୋମ।
/filters:format(webp)/sambad/media/media_files/2025/10/01/dussehra-in-manikgoda-village-2025-10-01-16-06-59.jpeg)
ଏହି ହୋମରେ ବ୍ରାହ୍ମଣମାନେ ପୁରାଧା କାର୍ଯ୍ୟ ତୁଲାଇବା ବେଳେ ମୁସଲମାନ ଦଳବେହେରା କର୍ତ୍ତା ଭାବେ ଆଙ୍ଗୁଠିରେ କୁଶବଟୁ ଲଗାଇ କର୍ତ୍ତା ଦାୟିତ୍ୱ ତୁଲାଇଥାନ୍ତି। ଅନ୍ୟ ବିଭିନ୍ନ ସମ୍ପ୍ରଦାୟର ସେବକମାନଙ୍କ ମଧ୍ୟରେ ମା କନକ ଦୁର୍ଗାଙ୍କ ଖଟୁଲିରେ ଥିବା ବେଳେ ମହିଷାମର୍ଦ୍ଦିନୀଙ୍କ ବିଜେ କଟାରୀଙ୍କୁ ପୂଜକ ଦିହୁଡି, ଗାଁ କରଣ ଲେଖନୀ ତାଳପତ୍ର, ମାନସିଂହ ଗଜପତିଙ୍କ ପ୍ରଦତ୍ତ ଖଡ଼ଗ,ଏବଂ ଭୋଇ ସେବାୟତମାନେ ମାଣିକ ଭୂଇଁଆଣୀଙ୍କ କାଷ୍ଠ ମୂଷଳ ଧରି ହୋମ ନିକଟରେ ବସିଥାନ୍ତି।
ଅନ୍ୟପକ୍ଷରେ ଅପରାଜିତା ହୋମ ସମୟରେ ଶ୍ରୀ ସୋମନାଥ ଦେବ ମହାଦେବଙ୍କ ବିଜେ ପ୍ରତିମା ମନ୍ଦିରରୁ ବେଢାକୁ ଆସିଥାନ୍ତି। ଅପରାଜିତା ହୋମ ଦେଖିବା ପାଇଁ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ। ଅପରାଜିତା ହୋମ ପରିସମାପ୍ତି ହେଲା ପରେ ସେବକ ମାନେ ଏଠାକୁ ଆସିଥିବା ଦେବା ଦେବୀ ଏବଂ ବିଜେ ପ୍ରତିମାମାନଙ୍କୁ ସେମାନଙ୍କରସ୍ୱ ମନ୍ଦିରକୁ ନେଇ ଯାଇଥାନ୍ତି।
ମଣିକଗୋଡ଼ା ଗାଁରେ ଶତାଧିକ ବର୍ଷ ଧରି ଏକତା ଓ ଭାଇଚାରର ବାର୍ତ୍ତା ବହନ କରି ପାଳନ ହୋଇ ଆସୁଥିବା ଏହି ଦଶହରା ପର୍ବ ମାଣିକାଗୋଡ଼ା ଗ୍ରାମବାସୀଙ୍କ ସମେତ ସମଗ୍ର ଅଞ୍ଚଳ ରାଜ୍ୟ ତଥା ଦେଶ ପାଇଁ ଜାତି ଧର୍ମ ନିର୍ବିଶେଷରେ ଏକତାର ବାର୍ତ୍ତା ଦେଇ ଆସୁଥିବାରୁ ଗ୍ରାମବାସୀଙ୍କ ସମେତ ଅଞ୍ଚଳବାସୀ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି ବୋଲି ମାଣିକଗୋଡାର ଗ୍ରାମର ଦଶହରା ପରିଚାଳନା କମିଟିର ଆବାହକ ତଥା ଟ୍ରଷ୍ଟି ଆଇନୀଜୀବୀ ଅମୀୟ କୁମାର ପଟ୍ଟନାୟକ କହିବା ସହିତ ଏହି ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।
ମନୋରଞ୍ଜନ ମିଶ୍ର