ସୃଷ୍ଟି ସ୍ଥିତି ବିନାଶାନାଂ ଶକ୍ତିଭୂତେ ସନାତନୀ ।
ଗୁଣାଶ୍ରେୟ ଗୁଣମୟେ ନାରାୟଣୀ ନମୋସ୍ତୁତେ॥
ସୃଷ୍ଟି (ସୃଜନ), ସ୍ଥିତି (ପାଳନ) ଏବଂ ବିନାଶ(ସଂହାର)ର ଶାଶ୍ୱତ ଶକ୍ତି, ପରମ ଓ ମୌଳିକ ଶକ୍ତିର ଅଧିକାରିଣୀ, ସର୍ବବ୍ୟାପ୍ତ; ହେ ସନାତନୀ ଦେବୀ, ସର୍ବଗୁଣସମ୍ପନ୍ନୀ, ସର୍ବଗୁଣମୟୀ ନାରାୟଣୀଙ୍କୁ ଭକ୍ତିପୂତ ପ୍ରଣାମ।
ଆଜି ସାରା ଦେଶ ବିଜୟା ଦଶମୀ ହର୍ଷ, ଉଲ୍ଲାସ ଓ ଆନନ୍ଦରେ ପାଳନ କରୁଛି। ଏହା ଏକ ଅପୂର୍ବ ସଂଯୋଗ ଯେ ଚଳିତ ବର୍ଷ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୬ତମ ଜୟନ୍ତୀ ମଧ୍ୟ ଦଶହରା ଦିନ ପାଳିତ ହେଉଛି। ଖଳ ବ୍ରିଟିଶ ଶାସକ ବିରୋଧରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନରେ ନେତୃତ୍ୱ ନେଇ ଦେଶକୁ ସ୍ୱାଧୀନ କରିବାରେ ମହତ୍ବପୂର୍ଣ୍ଣ ଭୂମକା ତୁଲାଇଥିଲେ। ଆଜିର ଦିନରେ ଭାରତମାତାଙ୍କ ଆଉଜଣେ ସୁଯୋଗ୍ୟ ସନ୍ତାନ, ଲାଲ ବାହାଦୁର ଶାସ୍ତ୍ରୀ ଜନ୍ମ ଗ୍ରହଣ କରି ‘ଜୟ ଯବାନ, ଜୟ କିଷାନ’ ନାରାରେ ସାରା ଦେଶକୁ ଉଦ୍ବୁଦ୍ଧ କରିଥିଲେ। ଏହି ଉଭୟ ବରପୁତ୍ରଙ୍କ ଜୟନ୍ତୀ ଉପଲକ୍ଷେ ଆଜି ସାରା ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ସେପ୍ଟେମ୍ବର ୨୨ ତାରିଖ ନବରାତ୍ରର ଶୁଭାରମ୍ଭରୁ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗାପୂଜାର ଆଜି ହେଉଛି ଅନ୍ତିମ ଦିବସ। ଦଶହରା ତଥା ବିଜୟା ଦଶମୀ ହେଉଛି ଦୁଷ୍ଟ ସଂହାରର ପ୍ରତୀକ। ଆଜିର ଦିନରେ ମା’ ଦୁର୍ଗା ସଂପୂର୍ଣ୍ଣ ଦେବଶକ୍ତିରେ ସୁସଜ୍ଜିତ ହୋଇ ମହିଷାସୁରକୁ ବଧ କରିଥିଲେ ଏବଂ ଆଜିର ଦିନରେ ପ୍ରଭୁ ଶ୍ରୀରାମ ମା’ ଦୁର୍ଗାଙ୍କ ଆଶୀର୍ବାଦରେ ଦାନବରାଜ ରାବଣର ବଧ କରିଥିଲେ। ଉଭୟ ମହିଷାସୁର ଓ ରାବଣ ହେଉଛନ୍ତି ‘ଦୁଷ୍ଟ’ ଚରିତ୍ର, ଅତ୍ୟାଚାରର ପ୍ରତୀକ। ତେଣୁ, ସାରା ଭାରତ ବର୍ଷରେ ଦଶହରାକୁ ‘ମନ୍ଦ ଉପରେ ଭଲର ବିଜୟ’ର ପ୍ରତୀକ ଭାବେ ପାଳନ କରାଯାଏ।
ଆଜି ହୁଏତ ମହିଷାସୁର କିମ୍ବା ରାବଣ ପରି ଅତ୍ୟାଚାରୀ ଦାନବ ସଶରୀରେ ନାହାନ୍ତି, କିନ୍ତୁ ଆଧୁନିକ ସମାଜରେ ମାନବରୂପୀ ଦାନବ ବିଚରଣ କରୁଛନ୍ତି। ଏମିତି କିଛି ଅସମାଜିକ ତତ୍ତ୍ବ ସମାଜର ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଏକତା ନଷ୍ଟ କରିବାକୁ ବିଭିନ୍ନ ଘୃଣ୍ୟ କାର୍ଯ୍ୟ କରିଥାଆନ୍ତି। ସଭ୍ୟ ସମାଜରେ ତାଙ୍କର କୌଣସି ସ୍ଥାନ ନାହିଁ। ଏପରି ଦାନବୀୟ କୃତ୍ୟକୁ ସମାଜରୁ ନିର୍ମୂଳ କରିବା ପାଇଁ ଆଜିର ଦିନରେ ପ୍ରେରଣା ମିଳିଥାଏ। ମାନବ ଭିତରେ ଥିବା ଆସୁରିକ ମାନସିକତାକୁ ନିପାତ କରିବା ‘ବିଜୟା ଦଶମୀ’ ର ପ୍ରମୁଖ ବାର୍ତ୍ତା। ଅସାମାଜିକ ତତ୍ତ୍ୱ ନିଜ ଭିତରେ ରହିଥିବା ଏଇ ଆସୁରିକ ପ୍ରବୃତ୍ତିକୁ ନିର୍ମୂଳ କରନ୍ତୁ, ନ ହେଲେ ସେଥିପାଇଁ ସରକାର ସଦା ସର୍ବଦା ଜାଗ୍ରତ ଅଛନ୍ତି।
ଏ ବର୍ଷର ନବରାତ୍ର ଏବଂ ଦୁର୍ଗା ପୂଜାର ଉତ୍ସବକୁ ଦ୍ୱିଗୁଣିତ କରିଛି। ପ୍ରଥମେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନବରାତ୍ରିର ପ୍ରଥମ ଦିନରୁ ଲାଗୁ ହୋଇଥିବା ଜିଏସଟି ନେକ୍ସଟ୍ ଜେନେରେସନ ସଂସ୍କାର। ପୂର୍ବ ଭାରତ ବିଶେଷ ଭାବେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପାର୍ବଣ ଋତୁରେ ସାଧାରଣ ଜନତା ଘରକରଣା ଦ୍ରବ୍ୟ ଠାରୁ ଆରମ୍ଭ କରି ଖାଦ୍ୟ ପଦାର୍ଥ, ପୋଷାକ ଇତ୍ୟାଦି କ୍ରୟ କରିଥାଆନ୍ତି। ନୂତନ ଜିଏସ୍ଟି ସଂସ୍କାର ଫଳରେ ଦେଶ ତଥା ରାଜ୍ୟର ପ୍ରତ୍ୟେକ ପରିବାର କିଛି ନା କିଛି ସଞ୍ଚୟ କରିବେ। ଅର୍ଥନୀତିର ଗୋଟିଏ ପ୍ରମୁଖ ନୀତି ହେଉଛି,‘ଗୋଟିଏ ଟଙ୍କା ସଞ୍ଚୟ, ଅର୍ଥାତ୍ ଗୋଟିଏ ଟଙ୍କାର ଉପାର୍ଜନ’। ତେଣୁ, ଓଡିଶାର ଜନସାଧାରଣ ଏହି ସଞ୍ଚୟ ଉତ୍ସବରେ ଅଂଶଗ୍ରହଣ କରି ଖୁସିକୁ ଦ୍ୱିଗୁଣିତ କରିଛନ୍ତି।
ଦୁର୍ଗାପୂଜାକୁ ଆହୁରି ଅଧିକ ଆନନ୍ଦମୟ କରି ତୋଳିଛି,ଦେବୀଙ୍କ ଆଗମନ ଦିନ ଏସିଆ କପ୍ କ୍ରିକେଟରେ ଭାରତର ପଡୋଶୀ ଦେଶ ଉପରେ ଐତିହାସିକ ବିଜୟ। ଏହି ବିଜୟ କେବଳ ଏକ ଖେଳରେ ବିଜୟ ନୁହେଁ, ଏହା ଏକ କୁତ୍ସିତ ମାନସିକତା, ରାବଣ ଓ ମହିଷାସୁର ପରି ଦାନବ ମଧ୍ୟରେ ଅନ୍ତର୍ନିହିତ ଆସୁରିକ ଶକ୍ତି ଉପରେ ବିଜୟର ପ୍ରତୀକ। ପହଲଗାମ ନରସଂହାର ପରେ ଯେଉଁସବୁ ଘଟଣାଚକ୍ର ଅତିବାହିତ ହୋଇଯାଇଛି, ଦେଶବାସୀଙ୍କ ଏହି ବିଜୟକୁ ନେଇ ଉଦ୍ଦୀପନାଯୁକ୍ତ ପ୍ରତିକ୍ରିୟା ସ୍ୱାଭାବିକ।
ଦେବୀ ପୂଜନ ଭାରତୀୟ ସଂସ୍କୃତିର ଏକ ଅବିଛେଦ୍ୟ ଅଙ୍ଗ। ଆମ ଧର୍ମଶାସ୍ତ୍ରରେ ଲେଖା ଅଛି,‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ’।ଭାରତବର୍ଷରେ ତ ଦେବା ଦେବୀଙ୍କୁ ପୂଜିତ କରାଯାଇଥାଏ, କିନ୍ତୁ ମାନବରୂପୀ ମାତୃଶକ୍ତିର ବି ବନ୍ଦନା କରାଯାଇଥାଏ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି, ନବରାତ୍ର ସମୟରେ ‘କୁମାରୀ ପୂଜା’। ଯଦିଓ କୁମାରୀପୂଜାର ଅନେକ ବିଧି ଅଛି, ମହାନବମୀରେ ନ’ ଜଣ ଅଳ୍ପ ବୟସ୍କ କୁମାରୀ କନ୍ୟାଙ୍କୁ ପୂଜା କରାଯାଇଥାଏ, ଯାହା ନବଦୁର୍ଗାଙ୍କ ନଅ ପ୍ରକାର ସ୍ୱରୂପକୁ ଚିତ୍ରଣ କରିଥାଏ। ମାତୃଶକ୍ତି ବନ୍ଦନାର ଏପରି ପରମ୍ପରା କେବଳ ଭାରତୀୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ। ଏ ପରି ରୀତିନୀତି ଆମକୁ ସବୁବେଳେ ସ୍ମରଣ କରାଇଥାଏ ଯେ ମାତୃବନ୍ଦନା କେବଳ ପରମ୍ପରା ନୁହେଁ, ମାତୃ ଶକ୍ତିକୁ ସମସ୍ତେ ସବୁ ସମୟରେ ସମ୍ମାନ କରିବା ଉଚିତ।
ଆଜି ବୋଧହୁଏ ଭାରତୀୟ ସଭ୍ୟତା ପୃଥିବୀର ସର୍ବପୁରାତନ ବିଭିନ୍ନ ଝଡଝଞ୍ଜା ସତ୍ବେ ବଞ୍ଚିରହିଥିବା ସଭ୍ୟତା। ଏହାର ଗୁପ୍ତ ରହସ୍ୟ ହେଉଛି,‘ବିବିଧତା ଭିତରେ ଏକତା’। ଦେଶର ବିଭିନ୍ନ ଅଞ୍ଚଳରେ ଦଶହରା ଓ ବିଜୟା ଦଶମୀ ଉତ୍ସବ ବିଭିନ୍ନ ପ୍ରକାରେ ପାଳନ କରାଯାଏ। ମହିଶୂରର ପ୍ରସିଦ୍ଧ ଚାମୁଣ୍ଡେଶ୍ୱରୀ ପୂଜାରୁ ଆରମ୍ଭ କରି କୁଲୁ ଦଶହରାରେ ପ୍ରଭୁ ରଘୁନାଥଙ୍କ ପୂଜା; ସାରା ଦେଶରେ ବିଭିନ୍ନ ପ୍ରକାରେ ଆଜି ଦିନରେ ଜଗତ୍ଜନନୀଙ୍କ ଉପାସନା କରାଯାଏ। ଓଡିଶାରେ ପାରମ୍ପରିକ ରୀତିନୀତିରେ ମୁଖ୍ୟତଃ ମହିଷାମର୍ଦ୍ଦିନୀ ଦେବୀ ଦୁର୍ଗା ପୂଜା ପାଇଥାଆନ୍ତି। ଓଡିଶାରେ ଶାରଦୀୟ ଦୁର୍ଗାପୂଜା ଅନନ୍ୟ, ସମସ୍ତ ଓଡିଶାବାସୀଙ୍କୁ ଏହି ପୂଜା ଏକତାର ସୂତ୍ରରେ ବାନ୍ଧିଥାଏ। ଆଜି ଦିନରେ ଲୋକେ ଶୁଭକାମ ବ୍ୟକ୍ତିଗତ ତଥା ବ୍ୟବସାୟିକ ସ୍ତରରେ ଅନୁକୂଳ ବି କରିଥାଆନ୍ତି।
ଜଗନ୍ନାଥ ସଂସ୍କୃତିରେ ଶକ୍ତିଙ୍କ ସ୍ଥାନ ସ୍ୱତନ୍ତ୍ର। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗି ହେଉଥିବା ଭୋଗ ମା’ ବିମଳାଙ୍କୁ ଅର୍ପଣ ହେଲା ପରେ ହିଁ ‘ମହାପ୍ରସାଦ’ର ଆଖ୍ୟା ଲାଭ କରିଥାଏ। ଦୁର୍ଗା ଦଶମୀ ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରିଥିଲେ ଏବଂ ସଂସାରକୁ ଆସୁରିକ ଅତ୍ୟାଚାରରୁ ମୁକ୍ତ କରିଥିଲେ। ତେଣୁ, ଦଶହରାକୁ ‘ବିଜୟା ଦଶମୀ’ ଭାବେ ପାଳନ କରାଯାଏ। ପ୍ରଭୁ ଶ୍ରୀରାମଙ୍କ ଅବତାର ପ୍ରଭୁ ଶ୍ରୀଜଗନ୍ନାଥ ଏହି ଦିନ ସୁନାବେଶ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି।
ଆଜି ଆମେ ଏକ ନୂତନ ସମୟରେ ଉପନୀତ ହୋଇଛୁ। ଆଧ୍ୟାତ୍ମିକ ସୁଖ ପ୍ରାପ୍ତି ଅପେକ୍ଷା ଭୌତିକ ସୁଖ ପଛରେ ସମସ୍ତେ ଧାଉଁଛନ୍ତି। କିନ୍ତୁ, ସୌଭାଗ୍ୟବଶତଃ ଭାରତରେ ଏ ପର୍ଯ୍ୟନ୍ତ ଆଧ୍ୟାତ୍ମିକତା ଭାବ କବଳ ଜୀବନ୍ତ ଅଛି ତାହା ନୁହେଁ, ଏହା ଅଧିକ ପରିପୁଷ୍ଟ ହେଉଛି। ବିଶେଷ ଖୁସିର କଥା ଯେ ଦେଶର ଯୁବ ସମାଜ ଆଧ୍ୟାତ୍ମିକତା ପ୍ରତି ଅଧିକ ଅନୁରାଗ ଦେଖାଉଛନ୍ତି। କୁମ୍ଭମେଳାରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁ ସ୍ନାନ କରିବା, ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ଯୁବ ଗୋଷ୍ଠୀଙ୍କ ଅବଦାନ, ଚଳିତ ପୁରୀ ରଥଯାତ୍ରାରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ଏହି ଆଧ୍ୟାତ୍ମିକତାର ଭାବକୁ ସୂଚିତ କରିଥାଏ।
ଦେଶର ଜନତାଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ପୁନର୍ଜାଗ୍ରତ କରିବା ଦିଗରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ଭୂମିକା ରହିଛି। ସେ ଦେଶର ଶାସନ ଭାର ଗ୍ରହଣ କରିବା ପରେ ନାରା ଦେଇଥିଲେ ‘ବିକାଶ ଭି, ବୀରାସତ ଭି’। ସେ କାୟମନୋବାକ୍ୟରେ ଏହି ଭାବନାକୁ ବ୍ୟକ୍ତିଗତ ସ୍ତରରେ ପାଳନ କରିଆସୁଛନ୍ତି। ଦେଶର ବିଭିନ୍ନ ମହତ୍ବପୂର୍ଣ୍ଣ ଧର୍ମୀୟ ସ୍ଥଳ ଯେପରିକି କାଶୀ ବିଶ୍ୱନାଥ କରିଡର, ମହାକାଳ କରିଡର, ଚାର୍ଧାମ ଯାତ୍ରା, ସେଙ୍ଗଲକୁ ଲୋକସଭାରେ ସ୍ଥାପିତ କରିବା ପରି କାର୍ଯ୍ୟକ୍ରମ ଦ୍ୱାରା ଦେଶର ସଂସ୍କୃତିକ ଚେତତନାକୁ ଏକ ନୂତନ ଦିଗନ୍ତ ମିଳିଛି।
ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଦୁରଦୃଷ୍ଟିରେ ପ୍ରେରିତ ହୋଇ ଓଡିଶା ସରକାର ବି ଓଡିଆ ସଂସ୍କୃତି ଓ ପରମ୍ପରାକୁ ଶାସନ-ପ୍ରଶାସନର ଏକ ଅଭିନ୍ନ ଅଙ୍ଗ ଭାବେ ଅଭିହିତ କରି କାର୍ଯ୍ୟରତ। ବିଭିନ୍ନ ମଠ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ମହତ୍ତ୍ବପୂର୍ଣ୍ଣ ଉତ୍ସବ ଯେପରିକି ବରଗଡ ଧନୁଯାତ୍ରା, ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଗଣେଶ ପୂଜା ଠାରୁ ଆରମ୍ଭ ହୋଇଥିବା ପାର୍ବଣ ଋତୁର ସବୁଠାରୁ ବଡ ମହୋତ୍ସବ ହେଉଛି ଶାରଦୀୟ ଦୁର୍ଗାପୂଜା। ଓଡିଶାର ପୁରପଲ୍ଲୀରେ ଏହି ଉତ୍ସବ ପାଳିତ ହୋଇଥାଏ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ମା’ଙ୍କ ଆରାଧନା କରି ଥାଆନ୍ତି। ଉଚ୍ଚ ନୀଚର ପ୍ରଭେଦ ନ ଥାଏ ଏହି ସମୟରେ। ମା’ଙ୍କ ପାଖରେ ସବୁ ଭକ୍ତ ସମାନ। ଏହି ଉତ୍ସବକୁ ସୁରକ୍ଷିତ, ମନୋରମ ଏବଂ ଆକର୍ଷଣୀୟ କରିବା ପାଇଁ ସରକାର ସବୁ ପ୍ରକାର ସହଯୋଗ ପ୍ରଦାନ କରୁଛନ୍ତି।
ଆଜି ଓଡିଶାର ବିକାଶ ନୂତନ ଦିଗନ୍ତକୁ ଛୁଉଁଛି, ବିକାଶ ସହିତ ଓଡିଶାର ଭାଷା, ସାହିତ୍ୟ, ପରମ୍ପରାକୁ ସୁରକ୍ଷା କରିବା ସହିତ ପ୍ରଚାର ଓ ପ୍ରସାର କରିବା ପାଇଁ ସରକାର ଚେଷ୍ଟିତ। ‘ବିକାଶ’ ଓ ‘ସଂସ୍କୃତି’ ସହିତ ‘୨୦୩୬ ସୁଦ୍ଧା ଗଠନ ହେବ ‘ସମୃଦ୍ଧ ଓଡିଶା’। ‘ବିକଶିତ ଭାରତ’ ଓ ‘ସମୃଦ୍ଧ ଓଡିଶା’ ଗଠନ ଦିଗରେ ‘ସ୍ୱଦେଶୀ’ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ତେଣୁ, ପ୍ରଧାନମନ୍ତ୍ରୀଙ୍କ ଆହୂତ ‘ସ୍ୱଦେଶୀ’ ମନ୍ତ୍ର ଅନୁଯାୟୀ ସମସ୍ତେ ଯେତେଦୂର ସମ୍ଭବ ସ୍ୱଦେଶୀ ବସ୍ତୁ କ୍ରୟ କରି ସ୍ୱଦେଶୀ ଅର୍ଥନୀତିକୁ ପ୍ରୋତ୍ସାହିତ କରନ୍ତୁ। ଓଡିଶାର ଦୁର୍ଗାପୂଜା, ଭାଇଚାରା ଏବଂ ସଦ୍ଭାବର ପ୍ରତୀକ। ଯଦିଓ ଦୁର୍ଗାପୂଜା ମୁଖ୍ୟତଃ ସନାତନ ଓ ହିନ୍ଦୁ ସଂସ୍କୃତି ସହିତ ଜଡିତ, ସବୁ ଧର୍ମର ଲୋକେ ଏହାକୁ ଉତ୍ସାହର ସହିତ ପାଳନ କରିଥାଆନ୍ତି। ଏହାର ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳେ ସର୍ବପୁରାତନ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା କଟକ ସହରରେ। ସାହିଭାଇ, ଭାଇଚାରା ଓ ସାଂସ୍କୃତିକ ସମନ୍ୱୟର ଅପୂର୍ବ ସମାହାର କଟକର ୫୨ ବଜାର ୫୩ ଗଳିରେ ଦେଖିବାକୁ ମିଳେ। କେବଳ, କଟକ ନୁହେଁ, ଓଡିଶାର ପ୍ରତ୍ୟେକଟି ସ୍ଥାନରେ ଏହି ଭାବାବେଗରେ ଦଶହରାକୁ ପାଳନ କରାଯାଏ। ଏହି ସଂସ୍କୃତିକୁ ନେଇ ପ୍ରତ୍ୟେକ ଓଡିଶାବାସୀ ଗର୍ବ ଅନୁଭବ କରନ୍ତି।
ଆଜି ଦିନ ହେଉଛି ଉପାସନାର ଦିନ, ମା’ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାର ଦିନ। ଏହି ପବିତ୍ର ଉତ୍ସବରେ ମୁଁ ସମସ୍ତ ଦେଶବାସୀ, ବିଶେଷ ଭାବେ ଓଡିଶାବାସୀଙ୍କ କଲ୍ୟାଣ ଓ ଉତ୍ତରୋତ୍ତର ଉନ୍ନତି ପାଇଁ ମା’ ଜଗତ୍ଜନନୀଙ୍କ ପାଖରେ ପ୍ରାର୍ଥନା କରୁଛି ।
ଦେହି ସୌଭାଗ୍ୟମାରୋଗ୍ୟଂ, ଦେହି ମେ ପରମଂ ସୁଖମ୍।
ରୂପଂ ଦେହି ଜୟଂ ଦେହି, ୟଶୋ ଦେହି ଦ୍ୱିଷୋ ଜହି ॥
ହେ ଦେବୀ, ସଚରାଚର ସମସ୍ତଙ୍କୁ ସୁଖ ସମୃଦ୍ଧି, ରୂପ, ଗୁଣ, ସ୍ୱାସ୍ଥ୍ୟ, ଯଶ ଓ ସଫଳତା ପ୍ରଦାନ କରନ୍ତୁ ଏବଂ ମନୁଷ୍ୟ ମନରେ ଥିବା କାମ-କ୍ରୋଧ ପରି ଶତ୍ରୁଙ୍କୁ ବିନାଶ କରନ୍ତୁ। “ଓଁ ଦୁର୍ଗେ ଦୁର୍ଗତି ନାଶିନୀ”