ବରଗଡ଼: ନୂଆ ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳ ନେଇ ପ୍ରଶାସନ ଏବଂ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଥିବା ପୁରୁଣା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ମଂଗଳବାର ପୁଲିସ୍ ଫୋର୍ସ ଉପସ୍ଥିତିରେ ପୌର ପ୍ରଶାସନ ପୁରୁଣା ବସ୍ଷ୍ଟାଣ୍ଡରୁ ପ୍ରଥମେ ଜବରଦଖଲ ଉଚ୍ଛେଦ କରିଥିଲା। ପରେ ଉକ୍ତ ବସ୍ଷ୍ଟାଣ୍ଡର ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତାକୁ ଖୋଳି ପକାଇଥିଲା। ସେଠାରେ ବ୍ୟାରିକେଟିଂ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ କହୁଛି। ତେବେ ଅଚାନକ ପ୍ରଶାସନର ଏଭଳି ଆଭିମୁଖ୍ୟକୁ ବସ୍ ମାଲିକ ସଂଘ କଡ଼ା ବିରୋଧ କରିଛି। ବଳପୂର୍ବକ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି ସଂଘ। ବିଳମ୍ବିତ ସଂଧ୍ୟାରେ ସଂଘର ଅନୁଷ୍ଠିତ ଜରୁରୀ ବୈଠକରେ ବରଗଡ଼ ସହରକୁ ଏବଂ ସହର ଦେଇ ଘରୋଇ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଫଳରେ ବରଗଡ଼ ସହରରୁ ୧୨ଟି ଦୂରଗାମୀ ବସ୍ ଚଳାଚଳ ଠପ୍ ରହିବ।
ଏହାବାଦ୍ ସହରକୁ ଅନ୍ୟ ଜିଲ୍ଲାରୁ ଯିବା ଆସିବା କରୁଥିବା ୬୦ରୁ ଅଧିକ ବସ୍ ବି ଗଡ଼ିବ ନାହିଁ। ଗତବର୍ଷ ଜୁଲାଇ ୨୦ ତାରିଖରୁ ନୂଆ ବସ୍ଷ୍ଟାଣ୍ଡରୁ ବସ୍ ଗଡ଼ିଥିଲା। ଘରୋଇ ବସ୍ ମାଲିକ ସଂଘ ଦେଇଥିବା ୧୫ଟି ପ୍ରସ୍ତାବ ଉପରେ ସହମତି ପରେ ବସ୍ ଚାଲିଥିଲା। ଏଥିରେ ବସ୍ଷ୍ଟାଣ୍ଡରେ ୪ଟି ନୂଆ ବସ୍ ବେ', ଶୌଚାଳୟର ପୁନରୁଦ୍ଧାର ସହ ଏହାର ପରିଚାଳନା ଦାୟିତ୍ବ ସ୍ବତନ୍ତ୍ର ସଂସ୍ଥାକୁ ହସ୍ତାନ୍ତର, ସଂଘର ନୂତନ ସଭାଗୃହ ଓ କାର୍ଯ୍ୟାଳୟ ନିର୍ମାଣ, ଜବରଦଖଲ ଉଚ୍ଛେଦ, ଆଲୋକୀକରଣ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସଂଘ ଦାବି ରଖିଥିଲା। ସେହିପରି ପୁରୁଣା ବସ୍ଷ୍ଟାଣ୍ଡରେ ବସ୍ ଡିପୋ ଓ ୱାଟର୍ ସର୍ଭିସିଂ ସେଣ୍ଟର, ବସ୍ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ, ବସ୍ଷ୍ଟାଣ୍ଡର ମାଲିକାନା ପୌର ପରିଷଦ ନିର୍ବାହ କରିବାକୁ ସ୍ଥିର ହୋଇଥିଲା। ସେହିପରି ବସ୍ଷ୍ଟାଣ୍ଡ ପରିସରରେ ୨୪ ଘଣ୍ଟିଆ ପୁଲିସ୍ ସୁରକ୍ଷା ବ୍ୟବସ୍ଥା ଏବଂ ଫାଣ୍ଡି ସ୍ଥାପନ ପାଇଁ ମଧ୍ୟ ବୁଝାମଣା ହୋଇଥିଲା। କିନ୍ତୁ ନୂଆ ବସ୍ଷ୍ଟାଣ୍ଡରେ ଏସବୁ ସୁବିଧା ପ୍ରଶାସନ ପକ୍ଷରୁ ଉପଲବ୍ଧ ନହେବାରୁ ମାଲିକ ସଂଘ ଏଠାରୁ ବସ୍ ଚଳାଚଳ ବନ୍ଦ ରଖିଥିଲା। ପୂର୍ବଭଳି ପୁରୁଣା ବସ୍ଷ୍ଟାଣ୍ଡରୁ ବସ୍ ଚାଲୁଥିଲା। କିନ୍ତୁ ମଂଗଳବାର ଏଠାରେ ପ୍ରଶାସନ ପକ୍ଷରୁ ଖୋଳାଖୋଳି ଆରମ୍ଭ ହେବା ସହ ବ୍ୟାରିକେଟିଂ ବ୍ୟବସ୍ଥା ହେବା ପରେ ପୁରୁଣା ବିବାଦ ଉଗ୍ରରୂପ ଧାରଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/19-22.jpg)