ଦୂତି-ପପୁ ବିବାଦର ଅନ୍ତ, କ୍ଷମା ମାଗି ବର୍ତ୍ତିଲେ ପପୁ

ଚଳଚ୍ଚିତ୍ର, ପୋଷ୍ଟର୍‌କୁ ନେଇ ଆରମ୍ଭ ହୋଇଥିଲା ବିବାଦ

ଭୁବନେଶ୍ବର: ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ଏକ ପୋଷ୍ଟର୍‌କୁ ନେଇ ଅଲିମ୍ପିଆନ୍‌ ଦୂତି ଚାନ୍ଦ ଓ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ମଧ୍ୟରେ ଚାଲିଥିବା ବିବାଦର ଆଜି ଅବସାନ ଘଟିଛି। ଏକ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ରେ ପପୁ କ୍ଷମା ପ୍ରାର୍ଥନା କରିବା ପରେ ଦୂତି ତାଙ୍କୁ କ୍ଷମା କରିଦେଇଛନ୍ତି। ଫଳରେ ଦୁହିଁଙ୍କ ମଧ୍ୟରେ ଚାଲିଥିବା ବାକ୍‌-ବିବାଦର ଅନ୍ତ ଘଟିଛି। ଦୂତି ଆଜି ଏକ ଫେସବୁକ୍‌ ପୋଷ୍ଟ‌‌ରେ ଉଲ୍ଲେଖ କରିଛନ୍ତି, ‘‘ସମ୍ମାନନୀୟ ଓଡ଼ିଶାର ହାସ୍ୟ ଅଭିନେତା କିଙ୍ଗ ଷ୍ଟାର ପପୁ ଭାଇ। ଆପଣଙ୍କ ସହିତ ମୋର ବ୍ୟକ୍ତିଗତ ଭାବେ କୌଣସି ଶତ୍ରୁତା ନାହିଁ। ମୁଁ କେବେ ବି ଲୋକଙ୍କ ଗହଣରେ ଆପଣଙ୍କୁ ଖରାପ ବ୍ୟବହାର କରିନାହିଁ। ଆପଣଙ୍କ ରାସ୍ତା ଆଉ ମୋ ରାସ୍ତା ସ୍ୱତନ୍ତ୍ର, ବହୁତ ଅଲଗା। ଆପଣ ଫିଲ୍ମ ଜଗତରେ ଅନେକ ସୁନାମ ଅର୍ଜନ କରିଛନ୍ତି। ମୁଁ ବି ସେହିଭଳି ନିଜର ବ୍ୟକ୍ତିଗତ ପରିଶ୍ରମ ବଳରେ ଓଡ଼ିଶା ତଥା ଭାରତବର୍ଷ ପାଇଁ ଅନେକ ସୁନାମ ଅର୍ଜନ କରିଛି। ମୁଁ କେବେ ବି ଆପଣଙ୍କୁ ବିରୋଧ କରିନାହିଁ। ଆପଣଙ୍କ ଅପ-କମିଙ୍ଗ ଫିଲ୍ମ ମି.କହ୍ନେୟାର ଯେଉଁ ବ୍ୟାନର୍‌ ପୋଷ୍ଟର ସୋସିଆଲ୍ ମିଡିଆରେ ଆସିଥିଲା, ତାହା ନାରୀମାନଙ୍କୁ ଅସମ୍ମାନ କରୁଥିଲା। କାରଣ ଆପଣଙ୍କ ବ୍ୟା‌ନର୍‌ ପୋଷ୍ଟର୍‌ରେ ୭ଝିଅଙ୍କୁ ନିଜର ହାତରେ ରଶି ଦ୍ବାରା ବାନ୍ଧି ରଖିଥିଲେ। ଯାହା ସମାଜକୁ ସୂଚାଇ ଦେଉଥିଲା କି ନାରୀ ଏବେ ବି ଅବହେଳିତ ଏବେ ବି ସେ ପୁରୁଷଙ୍କ ଉପରେ ଡିପେଡାଣ୍ଟ। ନାରୀ ଗୋଟିଏ ପୁରୁଷଙ୍କ ପାଇଁ ଉପଭୋଗ୍ୟ ଜିନିଷ, ଯୋଉଟାକି ମୋତେ ବହୁତ କଷ୍ଟ ଦେଇଥିଲା। ଯେହେତୁ ମୁଁ ଜଣେ ନାରୀ, ସେଥିପାଇଁ ମୁଁ ସେ ପୋଷ୍ଟର ଉପରେ ସ୍ବର ଉଠାଇଥିଲି। ଆଉ ସିଦ୍ଧାର୍ଥ ପ୍ରଡକ୍ସନ୍‌ଙ୍କୁ ଅନୁରୋଧ କରିଥିଲି ଯେ ସେ ଚଳଚ୍ଚିତ୍ରର ପୋଷ୍ଟର୍‌ଟିକୁ ହଟେଇ ଦେବା ପାଇଁ। କିନ୍ତୁ ଆପଣ କ’ଣ ବୁଝିଲେ କେଜାଣି, ମୋର ବ୍ୟକ୍ତିଗତ ଆଉ ମୋ ଫ୍ୟାମିଲକୁ ନେଇ ଅନେକଗୁଡ଼ିଏ କଟୁ କଥା କହିଦେଲେ ଟେଲିଭିଜନ୍‌ ଭଏସ୍ କଲ୍ ମାଧ୍ୟମରେ। ଯୋଉଟାକି ମୋତେ ବହୁତ କଷ୍ଟ ଦେଇଥିଲା ଓ ଏହାଦ୍ବାରା ମୋର ସମ୍ମାନ ହାନି ହୋଇଥିଲା ସେଥିପାଇଁ ମୁଁ ଆପଣଙ୍କ ବିରୋଧରେ ମାନହାନି ମକଦ୍ଦମା ପାଇଁ ସ୍ଥିର କରିଥିଲି। କିନ୍ତୁ ଆପଣ ନିଜର ଭୁଲ୍ ବୁଝିପାରି ସର୍ବସମ୍ମୁଖରେ ‘କଳିଙ୍ଗ ଟିଭି’ ମାଧ୍ୟମରେ ମୋତେ କ୍ଷମା ପ୍ରାର୍ଥନା କରିଥିବାରୁ ମୁଁ ମୋର ହୃଦୟରୁ ଆପଣଙ୍କୁ କ୍ଷମା କରିଦେଉଛି। ଆପଣଙ୍କୁ ଅନୁରୋଧ, ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଆପଣ ସ୍ବର ଉତ୍ତୋଳନ କରନ୍ତୁ।’’

ସୂଚନାଯୋଗ୍ୟ, ‘ମିଷ୍ଟର କହ୍ନେୟା’ର ପୋଷ୍ଟର୍‌କୁ ନେଇ ଦୂତି ଆପତ୍ତି ଉଠାଇବା ସହ ମହିଳାଙ୍କୁ ସମ୍ମାନ ଦେବାକୁ ଫେସବୁକ୍‌ ପୋଷ୍ଟ କରି ପପୁଙ୍କୁ ଆହ୍ବାନ କରିଥିଲେ। କିନ୍ତୁ ପପୁ ଏହାର ଜବାବ ଏକ ଅଡିଓରେ ଦେଇଥିଲେ, ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଏହି ଅଡିଓରେ ପପୁ ଦୂତିଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଦୂତି ଏଥିନେଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପୁନର୍ବାର ଫେସବୁକ୍‌ ପୋଷ୍ଟ କରି ଧମକ ଦେଇଥିଲେ।

ଅଡିଓ ଟେପ୍‌ରେ ପପୁ କ’ଣ କହିଥିଲେ:
‘‘ଦୂତି କ’ଣ ସିଏ ଜାଣିଛି। ଏଇଟା ମୋର ବ୍ୟକ୍ତିଗତ ମତ। ସିଏ ନାରୀକୁ ବହୁତ ସମ୍ମାନ ଦିଏ, ସେକଥା ସମସ୍ତେ ଜାଣିଛନ୍ତି, ଆପଣ ବି ଜାଣିଛନ୍ତି, ଓଡ଼ିଶା ସାରା ଲୋକ ବି ଜାଣିଛନ୍ତି। ନାରୀ ସମ୍ମାନ ବିଷୟରେ ସେ କହିବା ଅନୁଚିତ। ଏଇଟା ମୋର ପ୍ରଥମ କଥା। ସିଏ କ’ଣ କହିବ ବା! ଦୂତି ଚାନ୍ଦ ବହୁତ ଦାମିକିଆ ଲୋକ। ୩ କୋଟି ଟଙ୍କା ପୁରସ୍କାର ପାଇଛି। ଦୌଡ଼ ରାଣୀ ସିଏ। ସେ ନିଜ କଥା ନିଜେ ସମ୍ଭାଳୁ। ନାରୀ ଜାତିକୁ ସେ କେତେ ସମ୍ମାନ ଦିଏ, ଆମେ ଜାଣୁ। ଝିଅ-ଝିଅକୁ ବାହା ହେଲେ ପୁଅ କାହାକୁ ବାହା ହୁଏ। ଓଡ଼ିଶା ସଂସ୍କୃତି ସେଇୟା ନୁହେଁ। ମା’ ଗାଈ ପାଖରେ ଘାସ କାଟି ଚଳେଇଥିଲା ବୋଲି ଆଜି ମା’ ବିରୋଧରେ ଅଭିଯୋଗ କରୁଛି। ମା’ ଭଉଣୀ ଆଜି ଖରାପ ହୋଇଯାଇଛନ୍ତି।’’

ସମ୍ବନ୍ଧିତ ଖବର