ସୋସିଆଲ ମିଡିଆରେ ସରସ୍ୱତୀଙ୍କୁ ଦୂତିଙ୍କ ଚ୍ୟାଲେଞ୍ଜ୍, ‘ଯଦି ଦକ୍ଷତା ଅଛି ଜିଲ୍ଲାସ୍ତରରୁ ଖେଳାଳି ବାହାର କରି ଦେଖାଅ’

କଟକ : ନିକଟରେ ଜାତୀୟ କୀର୍ତ୍ତିମାନ କରିଥିବା ଅଲିମ୍ପିଆନ୍‌ ଦୂତି ଚାନ୍ଦଙ୍କ ପ୍ରଦର୍ଶନକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଆଲୋଚନା ହେଉଛି। ସେ ସବୁଠୁ ଆଗରେ ରହିଛି ଦୁଇ ଧାବିକା ଭଉଣୀ ଦୂତି ଓ ସରସ୍ବତୀ ଚାନ୍ଦଙ୍କ କଳି। ବ୍ୟକ୍ତିଗତସ୍ତରରେ ଉଭୟଙ୍କ ମଧ୍ୟରେ ପାଖାପାଖି ଦୁଇ ବର୍ଷ ଧରି ତିକ୍ତତା ରହିଆସିଛି। ଏବେ ଦୂତିଙ୍କ ପ୍ରଦର୍ଶନ ଓ ଅଲମ୍ପିକ ଯୋଗ୍ୟତା ଏକ ଘଡ଼ିସନ୍ଧି ସମୟରେ ପହଞ୍ଚିଛି। ହାତରେ ଆଉ ଅଳ୍ପ କିଛି ମାସ ସମୟ ଥିବାରୁ ଦୂତି କିପରି ଅଲମ୍ପିକ୍‌ ଯୋଗ୍ୟତା ଅର୍ଜନ କରିବେ ତାହାକୁ ନେଇ ଚିନ୍ତାରେ ସରସ୍ବତୀ। ଯେହେତୁ ଦୂତି ସବୁବେଳେ ତାଙ୍କ ପ୍ରଶିକ୍ଷକଙ୍କୁ ସମର୍ଥନ ଦେଇ ଆସୁଛନ୍ତି, ତେଣୁ ତାଙ୍କର ଅସ୍ଥିର ପ୍ରଦର୍ଶନ ପାଇଁ ପ୍ରଶିକ୍ଷକ ଏନ୍‌ ରମେଶ ଓ ଶିବ ପ୍ରସାଦ ମିଶ୍ରଙ୍କୁ ସିଧାସଳଖ ଦାୟୀ କରିଛନ୍ତି ଆନ୍ତର୍ଜାତିକ ଧାବିକା ସରସ୍ବତୀ ଚାନ୍ଦ। ଯେଉଁଥିପାଇଁ ଦୂତିଙ୍କ ପ୍ରତ୍ୟେକ ପ୍ରଦର୍ଶନ ପରେ ସରସ୍ବତୀ ସାମାଜିକ ଗଣମାଧ୍ୟମରେ କିଛି ନା କିଛି କଟାକ୍ଷ କରିବାକୁ ପଛାଉ ନାହାନ୍ତି। ସିଧାସଳଖ ଦୂତିଙ୍କ ସହିତ ଆଲୋଚନା କରିବା ଅସମ୍ଭବ ହେଉଥିବାରୁ ସାମାଜିକ ଗଣମାଧ୍ୟମରେ ପରୋକ୍ଷ ଭାବେ ଦୂତିଙ୍କୁ ଉତ୍ସାହିତ କରିବାକୁ ସେ ସ୍ଥିର କରିସାରିଛନ୍ତି। ହେଲେ ସରସ୍ବତୀଙ୍କ ମନ୍ତବ୍ୟକୁ ଭିନ୍ନ ଅର୍ଥରେ ନେଇଛନ୍ତି ଦୂତି। ସାମାଜିକ ଗଣମାଧ୍ୟମରେ ସରସ୍ବତୀଙ୍କୁ ସମାଲୋଚନା କରିବା ସହିତ ସେ ଜଣେ ଏନ୍‌ଆଇଏସ୍‌ ଡିପ୍ଲୋମାଧାରୀ ପ୍ରଶିକ୍ଷକ ହୋଇଥିବାରୁ ଦକ୍ଷତା ଥିଲେ ଅନ୍ତତଃ ଜଣେ ଜିଲ୍ଲାସ୍ତରୀୟ ଖେଳାଳି ବାହାର କରି ଦେଖାଇବାକୁ ଦୂତି ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

ସରସ୍ବତୀଙ୍କ କହିବାନୁସାରେ, ଭାରତରେ ବର୍ତ୍ତମାନ ଯେତେ ସ୍ପ୍ରିଣ୍ଟର ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଲମ୍ପିକ୍ସରେ ପଦକ ଆଣିବା ଦକ୍ଷତା କେବଳ ଦୂତିଙ୍କ ପାଖରେ ରହିଛି। ହେଲେ ସେହି ଅନୁଯାୟୀ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ଦୂତିଙ୍କୁ ମିଳିପାରୁନାହିଁ। କେବଳ ନିଜସ୍ବ ଫାଇଦା ପାଇଁ ପ୍ରଶିକ୍ଷକ ରମେଶ ଓ ଶିବ ଦୂତିଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେଉନାହାନ୍ତି। କିନ୍ତୁ ଦୂତି ଏହା ବୁଝି ପାରୁନାହାନ୍ତି। ଅଲମ୍ପିକ୍‌ ପାଇଁ ଯାହା ଭିତ୍ତିଭୂମି ଓ ପ୍ରଶିକ୍ଷଣ ଦରକାର, ତାହା ଭୁବନେଶ୍ବରରେ ନାହିଁ। ଯେଉଁଥିପାଇଁ ଦୂତିଙ୍କୁ ସମୟରେ ସୁଧାର ଆଣିବାକୁ ହେଲେ ବିଦେଶ ଯିବା ଛଡ଼ା ଅନ୍ୟ ରାସ୍ତା ନାହିଁ। ସରସ୍ବତୀ କହିଛନ୍ତି ଯେ, ଯେତେବେଳେ ଦୂତିଙ୍କ ପ୍ରଦର୍ଶନ ଖରାପ ହେଉଛି ସେତେବେଳେ ସବୁ ଦୋଷ ଦୂତିଙ୍କୁ ଦିଆଯାଉଛି। ହେଲେ ସେ କେବଳ ମାତ୍ର ଜଣେ ଧାବିକା। ଯେଉଁଭଳି ପ୍ରଶିକ୍ଷଣ ପାଇବେ, ସେଭଳି ଖେଳିବାକୁ ଯିବେ। କିନ୍ତୁ କୌଣସି ସ୍ଥାନରେ ତାଙ୍କ ପ୍ରଶିକ୍ଷକ ବିଫଳତାକୁ ନେଇ ଦୋଷ ନିଜ ମୁଣ୍ତକୁ ନେଇନାହାନ୍ତି। କାରଣ ସେମାନ ନିଜ ଫାଇଦା ହାସଲ କରିବାରେ ଅଧିକ ଧ୍ୟାନ ଦେଉଛନ୍ତି। ଦୋହାରେ ୧୧.୪୮ ସେକେଣ୍ତ ସମୟ ପାଇଁ ପାଗକୁ ଦାୟୀ କରାଗଲା। ହେଲେ ଏସି ଷ୍ଟାଡିୟମ ଭିତରେ ଗରମ ପାଗ କାହିଁକି ହେବ ବୋଲି ସରସ୍ବତୀ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଦୂତି ସାମାଜିକ ଗଣମାଧ୍ୟମରେ ଦେଇଥିବା ଚାଞ୍ଜେକୁ ସରସ୍ବତୀ ଗ୍ରହଣ କରିଛନ୍ତି। ବର୍ଷେ ହେବ ସେ ଏନ୍‌ଆଇଏସ୍‌ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ହୋଇଛନ୍ତି, ତେଣୁ କିଛି ବର୍ଷ ମଧ୍ୟରେ ସେ ଭଲ କ୍ରୀଡ଼ାବିତ୍‌ ସୃଷ୍ଟି କରିଦେଖାଇପାରିବେ। କିନ୍ତୁ ପ୍ରଶିକ୍ଷକ ରମେଶ ତାଙ୍କର ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦୂତିଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ଖେଳାଳି ବାହାର କରିଥିବା ଦାବି କରିପାରିବେ ନାହିଁ ବୋଲି ସରସ୍ବତୀ କହିଛନ୍ତି। ପ୍ରଶିକ୍ଷକମାନେ ପ୍ରଶିକ୍ଷାର୍ଥୀଙ୍କ ସଫଳତାରେ ଖୁସି ହେବା ଦରକାର। ହେଲେ ଏଠାରେ ଦୂତିଙ୍କ ଉନ୍ନତି ଅପେକ୍ଷା ପ୍ରଶିକ୍ଷକମାନେ ନିଜର ବିକାଶ ଓ ନିଜେ କିପରି ପୁରସ୍କାର ପାଇଚାଲିବେ ତାହା ଉପରେ ଧ୍ୟାନ ଦେଉଛନ୍ତି। ଯାହାଫଳରେ ଦୂତିଙ୍କ ପ୍ରଦର୍ଶନ ୨୦୧୫ ମସିହା ପରଠୁ ସନ୍ତୋଷଜନକ ହୋଇପାରିନାହିଁ। ଜଣେ ଭଉଣୀ ଭାବେ ଦୂତିକୁ ବୁଝାଇବା ପାଇଁ ଯାହା କରିବା କଥା ମୁଁ କରିଛି। ଆଜି ସମ୍ପର୍କ ଖରାପ ଅଛି, କାଲି ଭଲ ହୋଇଯିବ। ହେଲେ ଅଲମ୍ପିକ୍ସ ସୁଯୋଗ ସବୁବେଳେ ଆସିନଥାଏ। ଓଡ଼ିଶା ତଥା ଦେଶର ଗର୍ବକୁ ପ୍ରୋତ୍ସାହିତ କରିବା ଆମର ଦାୟିତ୍ବ ହେବା ଦରକାର। ରାସ୍ତା ଯାହାବି ହେଉ, ଦୂତିଙ୍କୁ ଭଲ ବାଟକୁ ଆଣିବାରେ ସେ ଉଦ୍ୟମ ଜାରି ରଖିବେ ବୋଲି ସରସ୍ବତୀ ପ୍ରତିକ୍ରିୟା ଦେଇଛନ୍ତି। ସୂଚନାଯୋଗ୍ୟ, ଧାବିକା ସରସ୍ବତୀ ଚାନ୍ଦ ଓଡ଼ିଶା ପୁଲିସ୍‌ରେ ନୟାଗଡ଼ରେ ଡ୍ରିଲ୍‌ ସବ୍‌ ଇନ୍ସପେକ୍ଟ ଭାବେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ପୁଲିସ୍‌ ଦୌଡ଼କୁଦ ପ୍ରଶିକ୍ଷକ ଭାବେ କଟକରେ ପ୍ରଶିକ୍ଷଣ ଦେଉଛନ୍ତି। ସରସ୍ବତୀଙ୍କ ଦାବି ବୀପରିତ ଦୂତି କିନ୍ତୁ ରାଞ୍ଚି‌ରେ ଆୟୋଜିତ ଜାତୀୟ ଓପନ୍ ଦୌଡ଼କୁଦରେ ୧୧.୨୨ ସମୟ ସହ ଜାତୀୟ କୀର୍ତ୍ତିମାନ କରିଛନ୍ତି। ସେ ମଧ୍ୟ ଏହି ପ୍ରତିଯୋଗିତାର ୨୦୦ ମିଟରରେ ସ୍ବର୍ଣ୍ଣ ଜିତି ଯୁଗଳ କୀର୍ତ୍ତି ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର