‘ଟାଇମ୍ ନେକ୍ସଟ୍ ୧୦୦’ ପ୍ରଭାବଶାଳୀ ତାଲିକାରେ ଦୂତି

ଭୁବନେଶ୍ବର : ରାଜ୍ୟ କ୍ରୀଡ଼ା ଜଗତକୁ ବୁଧବାର ମିଳିଛି ବଡ଼ ଖୁସି ଖବର। ପ୍ରସିଦ୍ଧ ଟାଇମ୍ ପତ୍ରିକା ପକ୍ଷରୁ ପ୍ରଥମ ଥର ପାଇଁ ପ୍ରକାଶ କରାଯାଇଥିବା ‘ଟାଇମ୍ ନେକ୍ସଟ୍ ୧୦୦’ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି। ଏହି ତାଲିକା ବ୍ୟବସାୟ, ମନୋରଞ୍ଜନ, କ୍ରୀଡ଼ା, ରାଜନୀତି, ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ତଥା ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ନେଉଥିବା ବିଶ୍ବର ୧୦୦ ଉଦୀୟମାନ ତାରକାଙ୍କୁ ନେଇ ପ୍ରସ୍ତୁତ କରାଯାଇଛି। ଟାଇମ ପତ୍ରିକାର ନଭେମ୍ବର ୨୫ ସଂସ୍କରଣରେ ଏହି ତାଲିକା ପ୍ରକାଶ ପାଇବାକୁ ଯାଉଛି। ଟାଇମ୍ ଗତ ୧୫ ବର୍ଷ ହେବ ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରି ଆସୁଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଦୀୟମାନ ତାରକାଙ୍କୁ ନେଇ ‘ଟାଇମ୍ ନେକ୍ସଟ୍ ୧୦୦’ ତାଲିକା ପ୍ରକାଶ କରିଛି। ଏହା ମୂଳ ତାଲିକାର ଏକ ପରିବର୍ଦ୍ଧିତ ରୂପ ବୋଲି ପତ୍ରିକାର ମୁଖ୍ୟ ସଂପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଏଡୱାର୍ଡ ଫେଲସେନ୍ଥାଲ କହିଛନ୍ତି। ତାଙ୍କ ସଂଘର୍ଷମୟ କ୍ରୀଡ଼ା‌ ଯାତ୍ରାକୁ ସମ୍ମାନ ଜଣାଇଥିବାରୁ ଟାଇମ୍ ପତ୍ରିକାକୁ ଦୂତି କୃତଜ୍ଞତା ଜଣାଇବା ସହ ସମର୍ଥକଙ୍କୁ ଧନ୍ୟବାଦ ଦେଇଛନ୍ତି। ଟାଇମ ପତ୍ରିକାର ଏହି ସ୍ବୀକୃତି ଲାଗି ମୁଁ ସେମାନଙ୍କ ନିକଟରେ ଋଣୀ। ମୁଁ ଲିଙ୍ଗ ସମାନତାରେ ବିଶ୍ବାସ କରେ। ମୁଁ ଯୁବ ଏବଂ ମହିଳା କ୍ରୀଡ଼ାବିତଙ୍କ ସହ ମହିଳାଙ୍କ ବୃହତ୍ତର ସ୍ବାର୍ଥ ଏବଂ ଅଧିକାର ଲାଗି ଲଢ଼ିବା ଜାରି ରଖିବି ବୋଲି ଦୂତି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ଦୂତିଙ୍କ ଏହି କୃତିତ୍ବ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର