ଭୁବନେଶ୍ୱର : ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବା ପାଇଁ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ। ଦୁଇ ଦିନ ତଳେ ପୁରସ୍କାର ସମିତି ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ତାଲିକା ଘୋଷଣା କରିଥିବା ବେଳେ ଶୁକ୍ରବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏଥିରେ ମୋହର ମାରିଛି। ଅବଶ୍ୟ ମୋହର ମାରିବା ପୂର୍ବରୁ ଅର୍ଜୁନ ପୁରସ୍କାର ତାଲିକାକୁ ୨୯ରୁ ୨୭କୁ ହ୍ରାସ କରିଛି। ଦୌଡ଼କୁଦ ଦୁନିଆରୁ ଦୂତି କିନ୍ତୁ ଏକମାତ୍ର ଖେଳାଳିଭାବେ ଚୂଡାନ୍ତ ତାଲିକାରେ ସୁରକ୍ଷିତ ରହିଛନ୍ତି। ଏ କ୍ଷେତ୍ରରେ ଦୂତି ରାଜ୍ୟ ଦ୍ବିତୀୟ ଧାବିକା ଏବଂ ନବମ ଓଡ଼ିଆ ହୋଇଛନ୍ତି। ପୂର୍ବରୁ ମିନତି ମହାପାତ୍ର (ସାଇକ୍ଲିଂ), ବିଜୟ ଶତପଥୀ, କେ ରବି କୁମାର (ଉଭୟ ଭାରୋତ୍ତୋନ), ରଚିତା ମିସ୍ତ୍ରୀ (ଦୌଡ଼କୁଦ), ଦିଲୀପ ତିର୍କି, ଜ୍ୟୋତି ସୁନୀତା କୁଲୁ, ଇଗ୍ନେସ ତିର୍କି (ସମେସ୍ତ ହକି), ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ୍) ଓଡ଼ିଶା ପାଇଁ ଏହି ଗୌରବ ପାଇଥିଲେ। ଦୂତିଙ୍କୁ ଅର୍ଜୁନ ସମ୍ମାନ ନିଶ୍ଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ବହୁ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ଓ ଦେଶର ଯୁବ ପିଢ଼ି ପାଇଁ ତୁମେ ପ୍ରେରଣାର ଉତ୍ସ ବୋଲି ସଭିଏଁ ସେମାନଙ୍କ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ରାଜ୍ୟ ଦୌଡ଼କୁଦ ସଂଘ ସମ୍ପାଦକ ଅଭିଜିତ୍ ପାଲ୍ ମଧ୍ୟ ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୂତି ମଧ୍ୟ ଏଥି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ କିଟ୍ ବିଶ୍ବବିଦ୍ୟାଳୟକୁ ଧନ୍ୟବାଦ ଜଣାଇଛନ୍ତି।
ଦୂତିଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର
ଶୁଭେଚ୍ଛା ଜଣାଇଲେ ନବୀନ ଓ ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2020/08/Dutee_Chand_TH_2037271f-e1570871212775.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)