ପୁଲିସ ହେବାକୁ ଦୂତିଙ୍କ ମନ

ଭୁବନେଶ୍ବର : ପ୍ରଥମ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍ସର ମହିଳା ୧୦୦ ଓ ୨୦୦ ମିଟର ଲାଗି ଯୋଗ୍ୟତା ଅର୍ଜନ କରିବା ପରେ ଦୌଡ଼ରାଣୀ ଦୂତି ଚାନ୍ଦ ନିକଟ ଭବିଷ୍ୟତରେ ତାଙ୍କ ପିଲା ଦିନର ଆଉ ଏକ ସ୍ବପ୍ନ ପୂରଣ ହେବ ବୋଲି ଆଶାବାଦୀ ଅଛନ୍ତି। ଆସାମ ଧାବିକା ହିମା ଦାସଙ୍କ ଭଳି ସେ ମଧ୍ୟ ଦିନେ ନା ଦିନେ ପୁଲିସ ପୋଷାକ ପନ୍ଧି‌ବେ ଏବଂ ଜନସାଧାରଣଙ୍କ ସେବା କରିବେ।

ଦୂତି ଓଡ଼ିଶା ପୁଲିସରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିବା ପଛରେ ଆଉ ଏକ ମହତ୍ବପୂର୍ଣ୍ଣ କାରଣ ବି ରହିଛି। ପୁଲିସ ବିଭାଗରେ ଯୋଗଦେଲେ ଅନ୍ୟ ଏକ ବୃହତ୍ ତଥା ସମ୍ମାନଜନକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ତାଙ୍କ ପାଇଁ ବାଟ ଫିଟିଯିବ। ଆଉ ଏହି ପ୍ରତିଯୋଗିତାଟି ହେଲା ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ା। ‘‘ଖାକି ପୋଷାକ ପିନ୍ଧି ବିଭିନ୍ନ ସାହସିକ କାର୍ଯ୍ୟ କରିବା ମୋର ପିଲାଦିନର ସ୍ବପ୍ନ। ଟୋକିଓ ଟିକେଟ୍ ପରେ ମୁଁ ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କୁ ଏହି ବିଷୟ କହିଛି। ପୁଲିସ ଚାକିରି ଦେବାକୁ ଅନୁରୋଧ କରିଛି। ପୁଲିସ ବାହିନୀରେ ଯୋଗଦେଲେ ମୋତେ ବିଶ୍ବ ପୁଲିସ ଓ ଫାୟାର ଗେମ୍ସରେ ଖେଳିବାର ସୁଯୋଗ ମିଳିବ। ସେଠାରେ ମଧ୍ୟ ପଦକ ଜିତି ନିଶ୍ଚିତ ଭାବେ ରାଜ୍ୟ ପାଇଁ ଆହୁରି ଗର୍ବ ଓ ଗୌରବ ଆଣି ପାରିବି’’ ବୋଲି ଦୂତି ‘ସମ୍ବାଦ’କୁ କହିଛନ୍ତି।

ଏହି କ୍ରମରେ ସେ ଆସାମ ଧାବିକା ହିମାଙ୍କ ଉଦାରଣ ଦେଇଛନ୍ତି। ‘‘୩ ବର୍ଷ ତଳେ ହିମା ଦାସ ବିଶ୍ବ କନିଷ୍ଠ ୪୦୦ ମିଟର ବିଜୟିନୀ ହୋଇଥିଲେ। ଆସାମ ସରକାର ତାଙ୍କୁ ଚଳିତବର୍ଷ ଫେବ୍ରୁଆରିରେ ଡିଏସ୍‌ପି ଚାକିରି ଦେଇଛନ୍ତି। ଓଡ଼ିଶା ସରକାର ଚାହିଲେ ମୋତେ ମଧ୍ୟ ସେହିଭଳି ଭାବେ ପୁଲିସ ବାହିନୀରେ ନିଯୁକ୍ତି ଦେଇ ପରିବେ। ଯାହା ଫଳରେ ବିଶ୍ବ ପୁଲିସ କ୍ରୀଡ଼ାରେ ମୋ ଅଂଶଗ୍ରହଣର ବାଟ ଫିଟିଯିବ। ସଂପ୍ରତି ମୁଁ ଓଡ଼ିଶା ଖଣି ନିଗମରେ ଚାକିରି କରୁଛି। ସେଠାରେ ମୋର କୌଣସି ଅସୁବିଧା ହେଉ ନାହିଁ। ହେଲେ ପୁଲିସ ବାହିନୀରେ ଯୋଗଦେଲେ କ୍ରୀଡ଼ା ଜୀବନକୁ ଆହୁରି ସମୃଦ୍ଧ କରି ପାରିବି ବୋଲି ଭାବୁଛି’’।

ସମ୍ବନ୍ଧିତ ଖବର