ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଦୂତି

‘ପାଠ ସହ ଖେଳାଖେଳି କରିବାକୁ ଆହ୍ବାନ’

ଭୁବନେଶ୍ୱର : ‘‘ଚଉଦ ବର୍ଷର କ୍ରୀଡ଼ା ଜୀବନ ସାର୍ଥକ ହୋଇଛି। ଦେଶ ତରଫରୁ ‌ଆଜି ମୋତେ ପୁରସ୍କୃତ କରାଯାଇଛି। ଅର୍ଜୁନ ପୁରସ୍କାର ପାଇ ମୁଁ ଅତ୍ୟନ୍ତ ଗର୍ବିତ। ବହୁତ ଖୁସି ବି ଅନୁଭବ କରୁଛି। ଯେଉଁମାନେ ଏହି ସମ୍ମାନଜନକ ପୁରସ୍କାର ଲାଗି ମୋ ନାମ ସୁପାରିସ କରିଥିଲେ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। କୁନି କୁନି ପିଲାମାନଙ୍କୁ ମୁଁ ଏହି ପରାମର୍ଶ ଦେବି ଯେ ଆପଣମାନେ ପାଠପଢ଼ା ସହ ଖେଳାଖେଳି କରନ୍ତୁ। ଖେଳାଖେଳି କଲେ ଆମେ ଦେଶର ନାଁ ରଖିବା ସହ ‌ନିଜ ଭବିଷ୍ୟତକୁ ମଧ୍ୟ ଉଜ୍ଜ୍ବଳ କରିପାରିବା’’

କୋଭିଡ୍-୧୯ ସଙ୍କଟ ପାଇଁ ପ୍ରଥମ ଥର ଲାଗି ଅନଲାଇନ୍‌ରେ ଆୟୋଜିତ ହୋଇଥିବା ଭର୍ଚୁଆଲ ରାଷ୍ଟ୍ରୀୟ ଖେଳ ପୁରସ୍କାର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କଲା ବେଳେ ଦୌଡ଼ରାଣୀ ଦୂତି ଚାନ୍ଦ ଏହା କହିଛନ୍ତି। କୋଲକାତା ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କେନ୍ଦ୍ରରେ ରହି ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଦୂତି ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ ବୋଲି ପୂର୍ବରୁ ଘୋଷଣା ହୋଇସାରିଥିଲା ବେଳେ ଶନିବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ସେ ଏହାକୁ ଗ୍ରହଣ କରିଛନ୍ତି। ଅର୍ଜୁନ ପୁରସ୍କାର ପାଇବାରେ ମିନତି ମହାପାତ୍ର (ସାଇକ୍ଲିଂ), ବିଜୟ ଶତପଥୀ (ଭାରୋତ୍ତୋଳନ), ରଚିତା ମିସ୍ତ୍ରୀ (ପଣ୍ଡା), ଦିଲ୍ଲୀପ ତିର୍କି (ହକି), ଜ୍ୟୋତି ସୁନିତା କୁଲ୍ଲୁ (ହକି), ଇଗ୍ନେସ ତିର୍କି (ହକି), କେ ରବି କୁମାର (ଭାରୋତ୍ତୋଳନ) ଓ ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ୍)ଙ୍କ ପରେ ଦୂତି ଓଡ଼ିଶାର ନବମ କ୍ରୀଡ଼ାବିତ୍ ହୋଇଛନ୍ତି। ତେବେ ଦୀର୍ଘ ୨୨ ବର୍ଷ ପରେ ରାଜ୍ୟର ଦ୍ବିତୀୟ ଦୌଡ଼କୁଦ ତାରକା ଭାବେ ଅର୍ଜୁନ ପୁରସ୍କାର ଲାଭ କରିଛନ୍ତି ସେ। ୧୯୯୮ ମସିହାରେ ରଚିତା ମିସ୍ତ୍ରୀ ରାଜ୍ୟର ପ୍ରଥମ ଦୌଡ଼କୁଦ ଖେଳାଳି ଭାବେ ଅର୍ଜୁନ ପୁରସ୍କାର ପାଇଥିଲେ। ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଥିବା ଦୂତି ଏହି ସଫଳତା ‌ଦୋହରାଇଛନ୍ତି। ତେବେ ମିନତି, ରଚିତା ଓ ଜ୍ୟୋତିଙ୍କ ପରେ ଏହି ରାଷ୍ଟ୍ରୀୟ ପୁରସ୍କାର ପାଇବାରେ ସେ ରାଜ୍ୟର ଚତୁର୍ଥ ମହିଳା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଦୂତିଙ୍କ ସହ ଆଜି ମୋଟ ୬୫ ଜଣ ପୂର୍ବତନ ଓ ଏବେକାର କ୍ରୀଡ଼ବିତ୍ ଓ ପ୍ରଶିକ୍ଷକଙ୍କୁ ରାଷ୍ଟ୍ରୀୟ ଖେଳ ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ରିକେଟର ରୋହିତ ଶର୍ମାଙ୍କ ସହ ଏକକାଳୀନ ପାଞ୍ଚ ଜଣ ଖେଳାଳିଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ମିଳିଛି। କରୋନା ସଙ୍କଟ ସହ ବ୍ୟକ୍ତିଗତ କାରଣ ପାଇଁ କେତେକ ଖେଳାଳି ଆଜିର ପୁରସ୍କାର ଉତ୍ସବରେ ଅନୁପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର