ୱେବ୍‌ଚାନେଲ ସାମ୍ବାଦିକଙ୍କୁ ଦୂତିଙ୍କ ଦୁର୍ବ୍ୟବହାର ମାମଲା: ସ୍ଥିତି ସମ୍ପର୍କରେ ଅବଗତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ବିରୋଧରେ ୱେବ୍ ଚାନେଲ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ ସଂପର୍କିତ ମାମଲାର ହାଇକୋର୍ଟ ଶୁଣାଣି କରି ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବେନଶ୍ବର ଡିସିପିଙ୍କ ନିକଟରୁ ଏହି ପ୍ରସଂଗରେ ତଥ୍ୟ ଆଣି ଉପସ୍ଥାପନ କରିବାକୁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଦୂତି ଚାନ୍ଦଙ୍କ ବିରୋଧରେ ୱେବ୍ ଚାନେଲ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ ପ୍ରସଂଗରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ୱେବ ଚାନେଲ ନିର୍ଦ୍ଦେଶକ ସୁଧାଂଶୁ ଶେଖର ରାଉତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ରାଉତଙ୍କ ଅଭିଯୋଗ ଉପରେ ଆଇନ ଅନୁସାରେ ଡିସିପି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଅଗଷ୍ଟ ୧୧ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୧୬ରେ ଡିସିପି ହାଇକୋର୍ଟଙ୍କ ନିର୍ଦ୍ଦେଶର କପି ପାଇଥିଲେ ମଧ୍ୟ ଏହି ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ ବୋଲି ଅଭିଯୋଗ ହୋଇଛି। ଅପରପକ୍ଷରେ ଦୂତିଙ୍କ ଅଭିଯୋଗ ଆଧାରରେ ଶ୍ରୀ ରାଉତଙ୍କୁ ସେପ୍ଟେମ୍ବର ୩ରେ ପୁଲିସ ଗିରଫ କରିଥିଲା। ହାଇକୋର୍ଟଙ୍କ ଅଗଷ୍ଟ ୧୧ର ନିର୍ଦ୍ଦେଶ ପାଳନ କରାଯାଇ ନଥିବା ଦର୍ଶାଇ ଶ୍ରୀ ରାଉତଙ୍କ ପତ୍ନୀ ଆଇନଜୀବୀ ଶ୍ରୀ ତ୍ରିପାଠୀଙ୍କ ମାଧ୍ୟମରେ ହାଇକୋର୍ଟରେ ଏହି ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮କୁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର