କଟକ: ଓଡ଼ିଶା ପୁଲିସରେ କାର୍ଯ୍ୟରତ ଜଣେ ପୁଲିସ କନଷ୍ଟେବଳଙ୍କ ବିରୋଧରେ ହୋଇଛି ଜଣେ ବିବାହିତ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ। ଏଭଳି ଦୁଷ୍କର୍ମ ପରେ ମହିଳାଙ୍କର ଏକ କନ୍ୟା ସନ୍ତାନ ବି ଜନ୍ମ ହୋଇଛି। ଏହି ଘଟଣା ସମ୍ପର୍କରେ ବାହାରେ ପ୍ରଘଟ କଲେ ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେଇଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ କଟକ ମହିଳା ଥାନାରେ ହୋଇଛି। ନ୍ୟାୟ ଦାବିରେ ପୀଡ଼ିତା ମଙ୍ଗଳବାର ରାତିରେ ଥାନାର ଦ୍ବାରସ୍ଥ ହୋଇଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ତୁଳସୀପୁର ଚହଟାନଗର ଅଞ୍ଚଳରେ ଜଣେ ୩୦ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ସହିତ ରୁହନ୍ତି। ପୂର୍ବରୁ ଏମାନେ ଚୌଧୁରୀ ବଜାରରେ ରହୁଥିଲେ। ମହିଳାଙ୍କ ସ୍ବାମୀ ରୋଷେୟା ଭାବେ କାର୍ଯ୍ୟ କରି ପରିବାର ଚଳାନ୍ତି। ଓଡ଼ିଶା ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ଢେଙ୍କାନାଳର ଜଣେ ଯୁବକ ତାଙ୍କ ଘରକୁ ଏକ ବିବାହ ଭୋଜି ବାବଦରେ କଥା ହେବାକୁ ଆସିଥିଲେ। ସେବେଠାରୁ ସେମାନଙ୍କର ସମ୍ପର୍କ ଯୋଡ଼ି ହୋଇଥିଲା। ୨୦୧୩ ପରଠାରୁ ଏଭଳି ନିୟମିତ ତାଙ୍କ ଘରକୁ ଯିବା ଆସିବା ଲାଗି ରହିଥିଲା। ମହିଳାଙ୍କ ସ୍ବାମୀ ଘରେ ଅନୁପସ୍ଥିତ ଥିବା ସମୟରେ କ​ନଷ୍ଟେବଳ ଜଣକ ବାରମ୍ବାର ଆସୁଥିଲେ। ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ମହିଳାଙ୍କ ସ୍ବାମୀଙ୍କୁ ଗଞ୍ଜେଇ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ। ଏହା ସହିତ ଦମ୍ପତିଙ୍କୁ ହତ୍ୟା କରିବାକୁ ମଧ୍ୟ ଚରମ ଚେତାବନୀ ଦେଇଥିଲେ।

ଏଭଳି ଧମକ ମିଳିବା ପରେ ମହିଳା ଜଣକ ଭୟଭୀତ ହୋଇଯାଇଥିଲେ। ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହିତ ସମ୍ପର୍କ ନ ରଖିବାକୁ କନଷ୍ଟେବଳ ଚେତାବନୀ ଦେଉଥିଲେ। ଭୟଭୀତ ହୋଇ ମହିଳା ଜଣକ ସ୍ବାମୀଙ୍କ ସହିତ ଆଦୌ ସମ୍ପର୍କ ରଖୁ ନଥିଲେ। କନଷ୍ଟେବଳଙ୍କ ଯୋଗୁଁ ମହିଳା ୨୦୧୭ରେ ଗର୍ଭବତୀ ହେବା ସହିତ ଏକ କନ୍ୟା ସନ୍ତାନକୁ ବି ଜନ୍ମ ଦେଇଥିଲେ। ନବଜାତ ଶିଶୁକୁ କନଷ୍ଟେବଳ ହତ୍ୟା କରିବାକୁ ବି ଅନେକ ଥର ଉଦ୍ୟମ କରିଥିଲେ। ଏ ସଂପର୍କରେ ୨୦୨୦ ଅଗଷ୍ଟ ୩ ତାରିଖରେ ମହିଳା ଜଣକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କ​ନଷ୍ଟେବଳଙ୍କ ଚାପରେ ସେ ଲିଖତି ଭାବେ ମହିଳା ଥାନାରେ ଘଟଣାର ଆପୋସ ସମାଧାନ ହୋଇଥିବା ଲେଖି ଦେଇଥିଲେ। କ​ନଷ୍ଟେବଳ ଜଣକ ମହିଳାଙ୍କୁ ୨୦୨୦ ଅଗଷ୍ଟ ୧୫ ତାରିଖ ସୁଦ୍ଧା ୧ ଲକ୍ଷ ୫୦ ହଜାର ଟଙ୍କା ଦେବା ସହିତ ସେପ୍ଟେମ୍ବର ମାସରୁ ତାଙ୍କ ଝିଅ ନାଁରେ ସୁକନ୍ୟା ଯୋଜନାରେ ୪ ହଜାର ଟଙ୍କା ଲେଖାଏ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମହିଳା ଥାନାରେ ଲିଖିତ ଭାବେ ଦେଇଥିବା ଏହି ପ୍ରତିଶ୍ରୁତି ସେ ପୂରଣ କରିନଥିଲେ।

ଏହାକୁ ଫାଙ୍କିବା ସହିତ ମହିଳାଙ୍କୁ ବ୍ଲାକମେଲ୍ କରି ତାଙ୍କ ନିକଟରୁ ଓଲଟି ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ନେଇଥିଲେ। ଏହା ଭିତରେ କନଷ୍ଟେବଳ ଅନ୍ୟତ୍ର ବିବାହ କରି କଟକରେ ରହିଥିଲେ। ସେ କଟକ ମାର୍ଥାପୁର ଷ୍ଟେସନ ନିକଟରେ ରହୁଥିବା ଜଣାପଡ଼ିଥିଲା। ମହିଳା ଜଣକ ଗଲା ବୁଧବାର ଏହି କନଷ୍ଟେବଳଙ୍କ ଫଟୋ ଧରି ମାର୍ଥାପୁରରେ ପହଞ୍ଚିଥିଲେ। ସେଠାରେ ପତ୍ତା ନମିଳିବାରୁ ପୁଣି ଖବର ପାଇ ଧବଳେଶ୍ବର ଗଡ଼ା ନିକଟକୁ ଯାଇଥିଲେ। ସେଠାରେ ସେ ରହୁଥିବା ସ୍ପଷ୍ଟ ହୋଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ମହିଳା ଜଣକ କହିଛନ୍ତି। ମହିଳାଙ୍କ ଏହି ଘଟଣା ସମ୍ପର୍କରେ ତାଙ୍କ ସ୍ବାମୀ ଏବେ ଜାଣିବା ପରେ ଘରୁ ତଡ଼ିଦେବାକୁ ବସିଛନ୍ତି। ଏଭଳି ପରିସ୍ଥିତିରେ ମହିଳା ଜଣକ ମହିଳା ଥାନାରେ ପୁଣି ଫେରାଦ ହୋଇଛନ୍ତି। ଏବେ ତାଙ୍କ ସ୍ବାମୀ ଘରୁ ତଡ଼ି ଦେବାକୁ ବସିଥିବା ବେଳେ ଅଭିଯୁକ୍ତ କନଷ୍ଟେବଳ ଧମକ ଦେଉଥିବାରୁ ତାଙ୍କୁ ଏହି ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ସେ ଦାବି କରିଛନ୍ତି।