ବିଜୟ କୁମାର ସ୍ବାଇଁ
ଯୁଯୁମୁରା: ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟ ଆକର୍ଷଣ ହେଉଛି ପଶ୍ଚିମ ଓଡ଼ିଶା। ସେଥିମଧ୍ୟରେ ସମ୍ବଲପୁର ଅନ୍ୟତମ। ଯାହା ରାଜ୍ୟ ସହିତ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ଏଠାରେ ପାହାଡ଼, ଝରଣା, ସବୁଜ ବନାନୀ ଓ ନଦୀକୂଳର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ଏହି ଜିଲ୍ଲାରେ ରହିଛି ଏକାଧିକ ପ୍ରାକୃତିକ ଝରଣା। ସେମିତି ଏକ ପ୍ରାକୃତିକ ଝରଣା ହେଉଛି ଯୁଯୁମୁରା ବ୍ଲକ୍ କୟାକୁଦ ପଞ୍ଚାୟତରେ ଥିବା ଦେବଝରଣ ଜଳ ପ୍ରପାତ। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ସ୍ଥାନ ଦେଇଛନ୍ତି। ପର୍ଯ୍ୟଟନ ଋତୁରେ ଏହି ଝରଣା ନିକଟରେ ପ୍ରତିଦିନ ଭିଡ଼ ଜମିଥାଏ। ବିଶେଷକରି ଝରଣାଠାରୁ କିଛି ଦୂରରେ ଥିବା ଦେବଝରଣ ଜଳଭଣ୍ଡାର ନିକଟରେ ଭୋଜିଭାତ କରିବା ଲାଗି ପ୍ରକୃଷ୍ଟ ସ୍ଥାନ ରହିଛି। ପିକ୍ନିକ୍ କରିବାକୁ ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ। ତେବେ ଏହି ପ୍ରାକୃତିକ ଜଳପ୍ରପାତ ଏବେ ବିପଦରେ। ପାହାଡ଼ ଉପରୁ ଝରି ଆସୁଥିବା ସୁଶୀତଳ ଜଳର ଧାରା ଏବେ ହ୍ରାସ ପାଉଥିବା ଦେଖାଯାଇଛି। ଯାହା ପ୍ରକୃତିପ୍ରେମୀଙ୍କୁ ଚିନ୍ତାରେ ପକାଇ ଦେଇଛି।
ଉଲ୍ଲେଖନୀୟ ଯେ ଜାତୀୟ ରାଜପଥ ୫୫ରୁ ପ୍ରାୟ ୫ କିଲୋମିଟର ଯିବା ପରେ ସବୁଜ ବନାନୀ ଘେରା ପାହାଡ଼ କୋଳରେ କୁଳୁକୁଳୁ ନାଦ କରି ବହି ଯାଉଛି ଏହି ଝରଣା। ସ୍ଥାନଟି ଲୋକଲୋଚନକୁ ଆସିବା ପରେ ଆଖପାଖ ଅଞ୍ଚଳର ଲୋକମାନେ ଏଠାରେ ଅବସର ସମୟ କାଟିବାକୁ ଧାଇଁ ଆସୁଛନ୍ତି। ବିଶେଷକରି ଶୀତ ଓ ବର୍ଷା ଦିନରେ ଏହି ଝରଣାର ଦୃଶ୍ୟ ଏବଂ ଏଠାକାର ସବୁଜ ପରିବେଶ ଲୋକମାନଙ୍କୁ ବାନ୍ଧି ରଖିଥାଏ। ହେଲେ ଖରା ସମୟରେ ଏହା ସତେ ଯେପରି ଶ୍ରୀହୀନ ହୋଇଯାଇଛି। ପାହାଡ଼ ଉପରୁ ଝରି ଆସୁଥିବା ଏହି ସୁଶୀତଳ ଜଳକୁ ଅଟକାଇ ରଖି ତିଆରି କରାଯାଇଛି ଦେବଝରଣ ଜଳାଭଣ୍ଡାର। ଏହି ଜଳଭଣ୍ଡାର କୂଳରେ କିଛିକ୍ଷଣ ବସିଲେ ମନରେ ଶାନ୍ତି ଆସିଥାଏ। ଏହି ଜଳକୁ ଆଖପାଖ ଅଞ୍ଚଳର ଚାଷଜମିକୁ ଯୋଗାଇ ଦିଆଯାଇ ଫସଲ ଉତ୍ପାଦନ କରାଯାଇଥାଏ। ବିଶେଷକରି କୟାକୁଦ ପଞ୍ଚାୟତର ଲୋକ ଏହାର ଜଳକୁ ବ୍ୟବହାର କରି ଅନେକ ଖରାଟିଆ ଫସଲ କରିଥାନ୍ତି।
ସେହିପରି ଜଳଭଣ୍ଡାରକୁ ଆକର୍ଷଣୀୟ କରିବା ପାଇଁ ସୌନ୍ଦର୍ଯ୍ୟୀକରଣ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ଲାଗି ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏପରିକି କଟକରୁ ବୋଟ୍ ମଧ୍ୟ ଆସିଥିଲା। ଟ୍ରାଏଲ୍ ରନ୍ ବି ହୋଇଥିଲା। କିଛିଦିନ ଭାସିବା ପରେ ବୋଟ୍ ଗାଏବ୍ ହୋଇଗଲା। ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବି ମାଟିରେ ମିଶିଗଲା। ତେବେ ଜଙ୍ଗଲ ହ୍ରାସ ପାଇବା, ଗଛ କାଟିବା ଦ୍ବାରା ଏହି ଝରଣାର ଜଳଧାରା ହ୍ରାସ ପାଉଥିବା କୁହାଯାଉଛି। ତେବେ ଏହି ପର୍ଯ୍ୟଟନ ସ୍ଥଳର ବିକାଶ ଲାଗି ରାଜ୍ୟ ସରକାର ନିକଟରେ ଆର୍ଥିକ ଅନୁଦାନ ବ୍ୟବସ୍ଥା କରିଛନ୍ତି। ଆଶା କରାଯାଉଛି ସାଧାରଣ ନିର୍ବାଚନ ପରେ ଏହାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ। ଏହା ପର୍ଯ୍ୟଟକଙ୍କୁ ପୁଣି ଆକର୍ଷଣ କରିବ ବୋଲି ପ୍ରକୃତିପ୍ରେମୀ ଆଶା ରଖିଛନ୍ତି।