କଟକ : ଦୀପୁ-ଓମ୍ ହତ୍ୟାକଣ୍ତ ମାମଲାରେ ବୁଧବାର ଦିନ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ଚାଉଳିଆଗଞ୍ଜ ଥାନାର ତତ୍କାଳୀନ ଆଇଆଇସି ତଥା ଘଟଣାର ତଦନ୍ତକାରୀ ଅଧିକାରୀ ଏସିପି ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଶ୍ରୀ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଅସଂପୂର୍ଣ୍ଣ ରହିଥିବା ବେଳେ ନଭେମ୍ବର ୨୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଚାଉଳିଆଗଞ୍ଜ ଥାନାର ତତ୍କାଳୀନ ଆଇଆଇସି ରଶ୍ମିରଂଜନ ମହାପାତ୍ରଙ୍କ ପୁଣିଥରେ ସାକ୍ଷ୍ୟ ଗ୍ରହଣ ପାଇଁ ଅନୁମତି ଲୋଡ଼ି ସରକାରଙ୍କ ତରଫରୁ ପିଟିସନ୍ ଦାଖଲ କରାଯାଇଛି। ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ପୁଣିଥରେ ତାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଅନୁମତି ଦିଆଯାଉ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ଏହି ପିଟିସନ ଉପରେ ଅଭିଯୁକ୍ତଙ୍କ ତରଫରୁ ଆପତ୍ତି ଦାଖଲ ପାଇଁ ଅକ୍ଟୋବର ୩୧କୁ ତାରିଖ ଧାର୍ଯ୍ୟ କରାଯାଇଛି।
ତତ୍କାଳୀନ ଆଇଆଇସିଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନ
ଅଦାଲତରେ ସୁଶୀଲ ଧଳସାମନ୍ତଙ୍କ ବୟାନ ରେକର୍ଡ
ଏଥିସହିତ ମନୋଜ ପଟ୍ଟନାୟକଙ୍କ ନାଁରେ ଜାଲ ପରିଚୟପତ୍ର ଦେଇ ବ୍ୟାଙ୍କ ଖାତା ଖୋଲିବା ଓ ଡେବିଟ୍ କାର୍ଡ ହାସଲ କରିବା ମାମଲାରେ ଆଜି ଜେଏମ୍ଏଫ୍ସି ଅଦାଲତରେ ସୁଶୀଲ ଧଳସାମନ୍ତଙ୍କ ବୟାନ ରେକର୍ଡ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ସୁଶୀଲ ନିକଟରୁ ଏକ ଘରୋଇ ବ୍ୟାଙ୍କର ଡେବିଟ୍ କାର୍ଡ ମିଳିଥିଲା। ମନୋଜ ପଟ୍ଟନାୟକ ନାଁ ବ୍ୟବହାର କରି ସୁଶୀଲ ବ୍ୟାଙ୍କ ଖାତା ଖୋଲିବା ସହିତ ଡେବିଟ୍ କାର୍ଡ ହାସଲ କରିବା ଅଭିଯୋଗ ରହିଛି। ଏ ନେଇ ମର୍କତନଗର ଥାନାରେ ଏତଲା ରୁଜୁ ହୋଇଥିଲା। ଆଜି ମାମଲା ଶୁଣାଣି ଶେଷ ହେବାପରେ ସୁଶୀଲକୁ ବାଲେଶ୍ବର ଜେଲ୍ ଓ ସୁଶାନ୍ତକୁ ବଲାଙ୍ଗୀର ଜେଲ୍କୁ ପଠାଇ ଦିଆଯାଇଛି। ମଙ୍ଗଳବାର ଦିନ ଅସ୍ଥାୟୀ ଭାବେ ସୁଶୀଲକୁ ଝାରପଡ଼ା ଜେଲ୍ରେ ଓ ସୁଶାନ୍ତକୁ ଚୌଦ୍ବାର ଜେଲ୍ରେ ରଖାଯାଇଥିଲା। ଧଳସାମନ୍ତଙ୍କ ପକ୍ଷରୁ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି ଏବଂ ଦୀପୁଙ୍କ ପରିବାର ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଆଇନଜୀବୀ ରମାକାନ୍ତ ପ୍ରଧାନ ଓ ଉଦିତ୍ ରଂଜନ ଜେନା ମାମଲା ପରିଚାଳନା କରୁଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୀପୁ ଓରଫ୍ ମନୋଜ ମଲ୍ଲିକ ଓ ଓମ୍ ଓରଫ ଓମ୍ପ୍ରକାଶ ସ୍ବାଇଁ ହତ୍ୟାକାଣ୍ତ ମାମଲାର କଟକ ଜିଲ୍ଲା ଓ ଦୌରା ଜଜ୍ଙ୍କ ଇଜିଲାସରେ ଶୁଣାଣି ଚାଲିଛି। ବହୁଚର୍ଚ୍ଚିତ ଖୁଣ୍ଟକଟା ଫାର୍ମ ହାଉସରେ ଦୀପୁ ଓ ଓମ୍କୁ ପିଟିପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ତରେ ପୋଡ଼ି ଦିଆଯାଇଥିବା ଅଭିଯୋଗ ରହିଛି।