ଓଡ଼ିଶା ବିଧାନସଭାକୁ ଇ-ବିଧାନସଭା ପାଇଁ ମାନସ ମନ୍ଥନ

ଭୁବନେଶ୍ବର : ଓଡ଼ିଶା ବିଧାନସଭାକୁ ଇ-ବିଧାନସଭା କରିବା ପାଇଁ କସ୍‌ରତ୍‌ ଜାରି ରହିଛି। ଏଠାରେ ନ୍ୟାସ୍‌ନାଲ୍‌ ଇ-ବିଧାନ ଆପ୍ଲିକେସନ୍(ଏନ୍‌ଇଭିଏ) ଲାଗୁ କରାଯାଇ ବିଧାନସଭାର କାର୍ଯ୍ୟାବଳୀକୁ ସ୍ବୟଂକ୍ରିୟ କରାଯିବ। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ଆଜି ଏକ ସମୀକ୍ଷା ବୈଠକ ଡକାଯାଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ।

ସମୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ବିଧାନସଭାରେ ଏନ୍‌ଇଭିଏ ଆଂଶିକ ଭାବେ କାର୍ଯ୍ୟକାରୀ ହୋଇଛି। ଚଳିତ ମାସ ୧୫ ତାରିଖରେ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଏହି ବିଷୟରେ ଏକ ବୈଠକ କରି ଏନ୍‌ଇଭିଏ ସମ୍ପର୍କିତ ଏକ ସଂଶୋଧିତ ମାର୍ଗଦର୍ଶିକା ଜାରି କରିବେ। ଏହା ପରେ ରାଜ୍ୟରେ ଗଠିତ ହୋଇଥିବା ରାଜ୍ୟ ପ୍ରକଳ୍ପ ପରିଚାଳନା କମିଟି(ଏସ୍‌ପିଏମ୍‌ସି) ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରେରଣ କରିବେ ଓ ଓଡ଼ିଶା ବିଧାନସଭା ପକ୍ଷରୁ ଏନ୍‌ଇଭିଏର ନୂଆ ସଂସ୍କରଣ ବିଧାନସଭାରେ ଲାଗୁ କରାଯିବ।

ଏହା ବାଦ୍ ଓକାକ୍ ପକ୍ଷରୁ ବିଧାନସଭା‌େର ଓସ୍ବାସ ପ୍ରଚଳନ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ନିଆଯିବ। ସେହିପରି ବିଧାନସଭା ପରିସରକୁ ୱାଇଫାଇ କରିବା, ଲୋକାଲ୍‌ ଏରିଆ ନେଟ୍‌ୱର୍କ ସଂଯୋଗ କରିବା ଓ ଏକ ଭିଡିଓ କନ୍‌ଫରେନ୍ସିଂ ପ୍ରକୋଷ୍ଠକୁ କାର୍ଯ୍ୟକ୍ଷମ କରିବା ଦିଗରେ ଓକାକ୍‌ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯିବ। ଏହି ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେଲେ ବିଧାନସଭାରୁ ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟ ପଦାଧିକାରୀଙ୍କ ସହିତ ସିଧାସଳଖ ଯୋଗାଯୋଗ ଓ ଆଲୋଚନା ସମ୍ଭବ ହୋଇପାରିବ। ବିଧାନସଭାକୁ ସ୍ବୟଂକ୍ରିୟ କରିବା ନିମନ୍ତେ ଏନ୍‌ଆଇସିର କାର୍ଯ୍ୟ ଜାରି ରହିଛି। ଏହାକୁ ଚାଲୁ ରଖିବା ସହିତ ନବୀକରଣ କାର୍ଯ୍ୟ ମଧ୍ୟ ଅବ୍ୟାହତ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ସମୀକ୍ଷା ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର, ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ ରୁଦ୍ର ନାରାୟଣ ପଲାଇ, ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ୍ତ କୁମାର ନନ୍ଦ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ପି ସି ମହାନ୍ତି, ଏନ୍‌ଆଇସିର ଅଧିକାରୀ ପ୍ରତିଭା ସିଂହ, ସରିତା ସାହୁ ଓ ଅଶୋକ କୁମାର ବେହେରା, ଏନ୍‌ଆଇସିଏସ୍‌ଆଇର ସାଧାରଣ ପରିଚାଳକ ସମ୍ବିତ ପଣ୍ଡାଙ୍କ ସମେତ ଓକାକ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର