ମିସନ୍‌ ମୋଡ୍‌ରେ କାର୍ଯ୍ୟକାରୀ ହେଉଛି ଇ-ବିଧାନସଭା : ବାଚସ୍ପତି

ପ୍ରିଜାଇଡିଂ ଅଫିସର୍‌ ସମ୍ମିଳନୀରେ ବାଚସ୍ପତିଙ୍କ ଯୋଗଦାନ

ଭୁବନେଶ୍ବର : ଦେଶର ସମସ୍ତ ବିଧାନସଭା ଓ ବିଧାନ ପରିଷଦର କାର୍ଯ୍ୟ ସମ୍ପାଦନରେ କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ବାରୋପ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରିଜାଇଡିଂ ଅଫିସର୍‌ମାନଙ୍କର ଏକ ବୈଠକ ନୂଆଦିଲ୍ଲୀର ପାର୍ଲିଆମେଣ୍ଟ୍‌ ହାଉସ୍‌ରେ ଅନୁଷ୍ଠିତ ହୋଇଯାଇଛି। ଆସାମ ବିଧାନସଭା ବାଚସ୍ପତି ହିତେନ୍ଦ୍ରନାଥ ଗୋସ୍ବାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଉତ୍ତରାଖଣ୍ଡ ବାଚସ୍ପତି ପ୍ରେମଚାନ୍ଦ ଅଗ୍ରୱାଲଙ୍କ ସମେତ ତେଲେଙ୍ଗାନା, ପଣ୍ଡିଚେରୀ ବିଧାନସଭାର ସଚିବ ଯୋଗ ଦେଇଥିଲେ। ଓଡ଼ିଶାରେ ଇ-ବିଧାନସଭା କାର୍ଯ୍ୟକାରୀ କରାଇବାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଥିଲେ। ମିସନ୍ ମୋଡ୍‌ରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ଲୋକଙ୍କ ଆଶା, ଆକାଂକ୍ଷାକୁ ଯଥାର୍ଥ ଭାବେ ପ୍ରତିଫଳିତ କରିବା ସହ ସାଧାରଣ ଜନତାଙ୍କୁ ବିଧାନସଭା ସହ ଯୋଡ଼ିପାରିବ ବୋଲି ଦର୍ଶାଇଥିଲେ।

ଶ୍ରୀ ପାତ୍ର ସୂଚନା ଦେଇଥିଲେ ଯେ ଇ-ବିଧାନସଭା ପାଇଁ ୧୨ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୮ କୋଟି ୫୬ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। ପ୍ରଥମ କିସ୍ତିରେ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ୧ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ତତ୍ତ୍ବାବଧାନରେ ଲ୍ୟାନ୍, ୱାଇ-ଫାଇ ଓ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ଗ୍ରହଣ କରାଯାଇସାରିଛି। ବିଧାନସଭା କର୍ମଚାରୀଙ୍କ ପାଇଁ ୧୫୦ଟି ଡେସ୍କଟପ୍‌ ସିଷ୍ଟମ୍ ଯୋଗାଇ ଦିଆଯାଇଛି। ନେଭା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ୧୦ ଜଣ ପ୍ରୋଗ୍ରାମର୍‌ଙ୍କୁ ନିୟୋଜନ କରାଯାଇଛି। ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ପବ୍ଲିକ୍ ପୋର୍ଟାଲ୍‌ରେ ଅପ୍‌-ଡେଟ୍‌ କରାଯାଉଛି। ଗତ ୧୮ ତାରିଖ ଦିନ ବିଧାନସଭାରେ ରାଜ୍ୟପାଳଙ୍କ ପ୍ରଦତ୍ତ ଅଭିଭାଷଣ ନେଭା ମାଧ୍ୟମରେ ପ୍ରଥମେ ବିଧାନସଭା ସଭ୍ୟ ଓ ପରେ ସମସ୍ତ ‌ଜନସାଧାରଣଙ୍କୁ ନେଭା ମୋବାଇଲ୍‌ ଆପ୍ ଜରିଆରେ ଯୋଗାଇ ଦିଆଯାଇଛି। ଫେବ୍ରୁଆରି ୨୨ ତାରିଖରେ ଅର୍ଥ ମନ୍ତ୍ରୀ ଆଗତ କରିଥିବା ବଜେଟ ମଧ୍ୟ ନେଭାର ମୋବାଇଲ୍‌ ଆପ୍‌ରେ ବିନା କାଗଜରେ ଆଗତ କରାଯାଇଥିଲା।

ସୂଚନ‌ାଯୋଗ୍ୟ ଯେ ହିମାଚଳ ପ୍ରଦେଶ ବିଧାନସଭା ପ୍ରଥମ ଇ-ବିଧାନସଭାର ମାନ୍ୟତା ଲାଭ କରିଛି। ଓଡ଼ିଶା ବିଧାନସଭା ପକ୍ଷରୁ ପ୍ରଦତ୍ତ ଇ-ବିଧାନସଭା ପ୍ରକଳ୍ପକୁ ମଡେଲ ପ୍ରକଳ୍ପ ରୂପେ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର