୨୦୨୦ ସରିଲା, ଇ-କଣ୍ଟେଣ୍ଟ ପ୍ରସ୍ତୁତ ହେଲାନି : ୬ ବିଷୟରେ ମିଳୁନାହାନ୍ତି ଅଧ୍ୟାପକ

ଭୁବନେଶ୍ବର : ରୁସା-୧ରେ ମିଳିଥିବା ଅର୍ଥରେ ଭର୍ଚୁଆଲ୍‌ ଟ୍ୟୁଟୋରିଆଲ୍‌ ପ୍ରୋଜେକ୍ଟ ପ୍ରସ୍ତୁତ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ମାସ ପରେ ମାସ ବିତି ଚାଲିଥିଲେ ମଧ୍ୟ ଆଜି ସୁଦ୍ଧା ଇ-କଣ୍ଟେଣ୍ଟ ପ୍ରସ୍ତୁତି ଚୂଡ଼ାନ୍ତ ହୋଇପାରିନାହିଁ କି ଛାତ୍ରଛାତ୍ରୀଙ୍କ ଲାଗି ତାହା ଉପଲବ୍ଧ ହୋଇନି। ଏମିତିକି ରାଜନୀତି ବିଜ୍ଞାନ, ଅର୍ଥନୀତି, ଇଂରାଜୀ, ସଂସ୍କୃତ, ଓଡ଼ିଆ ଓ ଉଦ୍ଭିଦ ବିଜ୍ଞାନ ବିଷୟରେ ଇ-କଣ୍ଟେଣ୍ଟ ପ୍ରସ୍ତୁତ ଲାଗି ଉପଯୁକ୍ତ ଅଧ୍ୟାପକ ଉପଲବ୍ଧ ହେଉନାହାନ୍ତି। ଯେଉଁଥିପାଇଁ ଉକ୍ତ ବିଷୟଗୁଡ଼ିକର ଇ-କଣ୍ଟେଣ୍ଟ ପ୍ରସ୍ତୁତିରେ ବିଳମ୍ବ ହେଉଥିବା ନେଇ ବାଣୀବିହାର ଡିଡିସିଇ ନିର୍ଦେଶକ କହିଛନ୍ତି। ଗତ ୧୫ ତାରିଖରେ ବସିଥିବା ପ୍ରକଳ୍ପ ମନିଟରିଂ କମିଟି ବୈଠକରେ ନିର୍ଦେଶକ ଏହା କହିବା ପରେ କମିଟିର ସଦସ୍ୟମାନେ ପରାମର୍ଶ ଦେଇଛନ୍ତି ଯେ ଉକ୍ତ ବିଷୟରେ ବିଶେଷଜ୍ଞ ଥିବା ଅଧ୍ୟାପକଙ୍କ ତାଲିକା ଉଚ୍ଚଶିକ୍ଷା ବିଭାଗକୁ ପଠାନ୍ତୁ। ଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ଚିଠି ଲେଖି ଅଧ୍ୟାପକଙ୍କୁ ସାମିଲ କରିବା ଦିଗରେ ପଦକ୍ଷେପ ନିଆଯିବ।

ଇ-କଣ୍ଟେଣ୍ଟ ପ୍ରସ୍ତୁତ ସମୟରେ ଅଧ୍ୟାପକଙ୍କ ଦ୍ବାରା ଗ୍ରିନ୍‌ ବୋର୍ଡ ଓ ମାର୍କର ବ୍ୟବହାର ଦ୍ବାରା ଅଧିକ ସମୟ ବ୍ୟୟ ହେଉଛି ଏବଂ ପରବର୍ତୀ ଲେକଚର୍‌ରେ ତାହା ବ୍ୟବହାରଯୋଗ୍ୟ ହୋଇ ରହୁନାହିଁ। ତେଣୁ ଡିଜିଟାଲ ବୋର୍ଡ ବ୍ୟବହାର କରିବାକୁ ଡିଡିସିଇ ନିର୍ଦେଶକ ପରାମର୍ଶ ଦେବା ପରେ ଏହାକୁ ଲାଗୁ କରିବାକୁ କମିଟି ଅନୁମତି ଦେଇଛି। ପ୍ରାକ୍ଟିକାଲ ବିଷୟରେ ଇ-କଣ୍ଟେଣ୍ଟ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଆସିଥିବା ବେଳେ କମିଟି ପକ୍ଷରୁ କୁହାଯାଇଛି ଯେ ପ୍ରାକ୍ଟିକାଲ ବିଷୟରେ ଇ-କଣ୍ଟେଣ୍ଟ ପ୍ରସ୍ତୁତ କରିବା ଏକ ବଡ଼ ଆହ୍ବାନ। ଏବେ କେବଳ ଥିଓରି ଉପରେ ଗୁରୁତ୍ବ ଦେଇ ସଫଳତାର ସହ ସମସ୍ତ କଲେଜକୁ ଇ-କଣ୍ଟେଣ୍ଟ ପଠାଇବାକୁ କୁହାଯାଇଛି। ଏହାପରେ ପ୍ରାକ୍ଟିକାଲରେ ଇ-କଣ୍ଟେଣ୍ଟ ପ୍ରସ୍ତୁତ ଉପରେ ବିଚାର କରାଯିବ। ଅଗଷ୍ଟ ୨୦ରେ ବସିଥିବା ମନିଟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ‌ଯେ ପ୍ରସ୍ତୁତ ହୋଇଥିବା ଇ-କଣ୍ଟେଣ୍ଟଗୁଡ଼ିକୁ ଏନ୍‌ଆଇଏସ୍‌ସିଆଇ ମାଧ୍ୟମରେ ନ୍ୟାସନାଲ ଡାଟା ସେଣ୍ଟର ସର୍ଭର(ଏନ୍‌ଡିସି)ରେ ଅପଲୋଡ୍‌ କରାଯିବ। ତେ‌ବେ ଏନ୍‌ଆଇସିର ସୂଚନା ଅନୁଯାୟୀ, ଉତ୍କଳ ବିଶ୍ବବିଦ୍ୟାଳୟର କ୍ଲାଉଡ୍‌ ସର୍ଭର୍‌ରେ ଥିବା ଜାଗାରେ ଅଳ୍ପ କିଛି ବିଷୟର ଇ-କଣ୍ଟେଣ୍ଟ ଅପଲୋଡ୍‌ ହୋଇଛି। ଜାଗା ଅଭାବରୁ ସମସ୍ତ ଇ-କଣ୍ଟେଣ୍ଟ ସାମିଲ କରିବା ସମ୍ଭବପର ହେଉନାହିଁ। ତେଣୁ ଇ-କଣ୍ଟେଣ୍ଟ ପାଇଁ ସ୍ବତନ୍ତ୍ର କ୍ଲାଉଡ୍‌ ସ୍ପେସ୍ ଲାଗି ଏନ୍‌ଆଇଏସ୍‌ସିଆଇକୁ ୨ଲକ୍ଷ ଟଙ୍କା ଦିଆଯାଇଛି। ଏଥିପାଇଁ କିଛି ସମୟ ଲାଗିବ। ଡିସେମ୍ବର ୩୧ ସୁଦ୍ଧା ଅସ୍ଥାୟୀ ଭାବେ ସ୍ପେସ୍‌ ସମସ୍ୟାର ସମାଧାନ କରାଯିବାକୁ ଥିବା ବେଳେ ଜାନୁଆରି ୩୧ରେ ଭର୍ଚୁଆଲ୍‌ ଟ୍ୟୁଟୋରିଆଲ୍‌ ପୋର୍ଟାଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବ। ଇ-କଣ୍ଟେଣ୍ଟ ସଂରକ୍ଷଣ ଲାଗି ୫ ଟିବି ସର୍ଭର ସ୍ପେସ୍‌ ପ୍ରସ୍ତୁତ କରିବାକୁ କମିଟି କହିଛି।

ସମ୍ବନ୍ଧିତ ଖବର