ବ୍ରହ୍ମପୁର : ଇ-ଗଭର୍ଣ୍ଣାନ୍ସର ଏକ ଅଂଶ ହେଉଛି ଇ-ଡେସ୍ପାଚ୍। ଡାକ ମାଧ୍ୟମରେ ସରକାରୀ ଚିଠି ପ୍ରେରଣରେ ହେଉଥିବା ବିଳମ୍ବକୁ ଦୂର କରି ତ୍ବରିତ ଏବଂ ଏକାସାଙ୍ଗରେ ଏକାଧିକ କାର୍ଯ୍ୟାଳୟକୁ ଚିଠି, ବିଜ୍ଞପ୍ତି ସହଜରେ ପଠାଇବା ବ୍ୟବସ୍ଥା ହେଉଛି ଇ-ଡେସପାଚ୍। ରାଜ୍ୟ ସରକାର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଫଳରେ ସହଜରେ ସରକାରୀ ଚିଠି, ବିଜ୍ଞପ୍ତି ଆଦି ପ୍ରେରଣ ହୋଇପାରୁଛି। କିନ୍ତୁ ଏହି ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାପାଳ ଏବଂ ଦକ୍ଷିଣାଞ୍ଚଳ ଆରଡିସିଙ୍କଙ୍କ କାର୍ଯ୍ୟାଳୟ ପାଇଁ ଅଲୋଡ଼ା ହୋଇ ପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ୧ ବର୍ଷ ତଳୁ ହିଞ୍ଜିଳିକାଟୁ ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍ଏସି) ପୌର ପରିଷଦ(ମ୍ୟୁନିସିପାଲଟି)ରେ ପରିଣତ ହେଲାଣି। କିନ୍ତୁ ଇ-ଡେସପାଚ୍ରେ ହିଞ୍ଜଳିକାଟୁ ଅଦ୍ୟାବଧି ଏନ୍ଏସି ତାଲିକାରେ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଇ-ଡେସପାଚ୍ର ରାଜସ୍ବ-ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ୬୭୦ଟି ଅଫିସ ରହିଛି। ସେଥି ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇ-ଡେସ୍ପାଚ୍ ବ୍ୟବସ୍ଥା ରହିଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଇ-ଡେସ୍ପାଚ୍ ମାଧ୍ୟମରେ ସର୍ବାଧିକ ୭୫୪୪ ଖଣ୍ଡ ଚିଠି ଆସିଛି। ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟରୁ ମଧ୍ୟ ସର୍ବାଧିକ ୩୪୧୦ ଚିଠି ଇ-ଡେସ୍ପାଚ ମାଧ୍ୟମରେ ପଠାଯାଇଛି। କେବେଳ ଢେଙ୍କାନାଳ ନୁହଁ ରାଜ୍ୟର ପ୍ରତି ଜିଲ୍ଲାପାଳ କାର୍ଯ୍ୟାଳୟ ଜରିଆରେ ଇ-ଡେସପାଚ୍ ମାଧ୍ୟମରେ ଚିଠି ଆସିଛି, ଯାଇଛି। ହାତଗଣତି କିଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ପଠାଇବା ପାଇଁ ଏହାର ବ୍ୟବହାର କ୍ବଚିତ କରିଛନ୍ତି। କିନ୍ତୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କ୍ଷେତ୍ରରେ ଦେଖିବାକୁ ମିଳିଛି ବିରାଟ ବ୍ୟତିକ୍ରମ। ଇ-ଡେସପାଚ୍ ପ୍ରଚଳନ ହେବା ଦିନ ଠାରୁ ଅଦ୍ୟାବଧି ଗୋଟିଏ ବି ଚିଠି ଆସିନାହିଁ। ଏପରି କି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଇ-ଡେସପାଚ୍ ବ୍ୟବହାର କରାଯାଇ ନାହିଁ କି ଚିଠି ଖଣ୍ଡେ ପ୍ରେରଣ କରା ଯାଇନାହିଁ। ସେହିପରି ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆରଡିସି କାର୍ଯ୍ୟାଳୟ ପକ୍ଷରୁ ଏହି ବ୍ୟବସ୍ଥାର ଉପଯୋଗ କରାଯାଇ ନାହିଁ। ଆରଡିସିଙ୍କ କାର୍ଯ୍ୟାଳୟକୁ ଏହି ବ୍ୟବସ୍ଥାରେ କୌଣସି ଚିଠି ଆସି ନାହିଁ। କଟକ କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ପକ୍ଷରୁ ଇ-ଡେସ୍ପାଚର ଉପଯୁକ୍ତ ବ୍ୟବହାର କରା ଯାଉଥିବା ବେଳେ ସମ୍ବଲପୁର ପଶ୍ଚିମାଞ୍ଚଳ ଆରଡିସି କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାର କାର୍ଯ୍ୟକାରୀ ହେଉନାହିଁ। ସରକାର ଇ-ଗଭର୍ଣ୍ଣାନ୍ସକୁ କ୍ରିୟାଶୀଳ କରିବାକୁ ଉଦ୍ୟମ କରୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହା ବାଟବଣା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/e-despatch-f.jpg)