ଇ-ଡେସ୍‌ପାଚ୍‌ କେବେ ଠିକ୍ ହେବ

କେଉଁ ବିଭାଗ କ’ଣ ଚିଠି ପାଉଛନ୍ତି ଜଣାପଡ଼ୁନି, ଅଧିକାଂଶ ବିଭାଗ ଚିଠି ପଠାଉନାହାନ୍ତି କି ପାଉନାହାନ୍ତି, ତଥ୍ୟ ଲୁଚାଇବାକୁ ସୁଚିନ୍ତିତ ଷଡଯନ୍ତ୍ର

ଭୁବନେଶ୍ବର : ସରକାରୀ ତଥ୍ୟ ଯେପରି ଲୋକଙ୍କ ପାଖରେ ନ ପହଞ୍ଚିବ ସେଥିପାଇଁ ସରକାରୀ ଅଧିକାରୀମାନେ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଛନ୍ତି। ଏଥିପାଇଁ ଅଧିକା˚ଶ ବିଭାଗ ଇ-ଡେସ୍‌ପାଚ୍‌ରେ ଚିଠି ମାସ ମାସ ଧରି ଦେଉନାହାନ୍ତି କି ଅନ୍ୟ ବିଭାଗ ସହ ଯୋଗାଯୋଗ ରଖୁନାହାନ୍ତି। ନିଜ ଇଚ୍ଛାରେ ଇ-ଡେସ୍‌ପାଚ୍‌ରେ ଚିଠି ଖଣ୍ତେ ଛାଡ଼ି ଦେଉଛନ୍ତି। ଏପରିକି ୨୦୧୭ ମସିହା ପରଠାରୁ ୮ରୁ ଅଧିକ ବିଭାଗ ଇ-ଡେସ୍‌ପାଚ୍‌ରେ ଅପ୍‌ ଟୁ ଡେଟ୍‌ ତଥ୍ୟ ଦେଉନାହାନ୍ତି। କେବଳ ଏତିକି ନୁହେଁ ଗତ ଦୁଇ ସପ୍ତାହ ହେଲା ଇ-ଡେସ୍‌ପାଚ୍‌ରେ ଥିବା ୩୮ଟି ବିଭାଗ କେଉଁ ବିଭାଗରୁ କ’ଣ ଚିଠି ପାଇଛନ୍ତି ତାହା ଜଣାପଡ଼ୁନି। ଇ-ଡେସ୍‌ପାଚ୍‌ରେ ଥିବା ବିଭାଗଗୁଡ଼ିକର ରିସିପ୍ଟ ଲେଟର୍ ଉପରେ କ୍ଲିକ୍ କଲେ ସର୍ଭର ଏରର୍ ଦେଖାଉଛି। ପ୍ରାୟ ୧୫ଦିନ ହେଲା ଇ-ଡେସ୍‌ପାଚ୍‌ରେ ଅଚଳାବସ୍ଥା ଲାଗି ରହିଥିଲେ ହେଁ ସରକାରୀ ସ୍ତରରେ ତତ୍ପରତା ଦେଖାଯାଉନି।

କେଉଁ ବିଭାଗରେ କ’ଣ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଗଲା, କେଉଁ ବିଭାଗର କେଉଁ ଅଧିକାରୀଙ୍କ ନିକଟକୁ କେଉଁ ଫାଇଲ୍‌ ଗଲା, କିଏ କେଉଁ ଫାଇଲ୍‌ କାହା ପାଖକୁ ପଠାଇଲେ ତା’ର ସବିଶେଷ ସୂଚନା ଦେବା ପାଇଁ ଓଡ଼ିଶା ସେକ୍ରେଟେରିଏଟ୍‌ ଵାର୍କ ଫ୍ଲୋ ଅଟୋମେସନ୍‌ ସିଷ୍ଟମ (ଓସ୍ବାସ୍‌) ବ୍ୟବସ୍ଥା କରାଯାଇଛି। ଏଥିରେ ଇ-ଡେସ୍‌ପାଚ୍‌ରେ ସମସ୍ତ ବୈଠକର ସୂଚନା, ବିଜ୍ଞପ୍ତି, ପ୍ରତିଦିନ ଦେଣନେଣ ହେଉଥିବା ଫାଇଲ୍‌ର ତଥ୍ୟ, ଦେବାକୁ କୁହାଯାଇଛି। ସରକାରଙ୍କ ବିଭିନ୍ନ କାର୍ଯ୍ୟ, ଯୋଜନାରେ ଯେପରି ସ୍ବଚ୍ଛତା ଆସିବ, ସରକାରୀ ନିଷ୍ପତ୍ତି ଯେ କେହି ବି ଯେଉଁଠି ଥାଇ ସହଜରେ ଜାଣିପାରିବେ ଏବ˚ ସରକାରୀ ବିଭାଗଗୁଡ଼ିକ ସେମାନଙ୍କର ସୂଚନା, ଚିଠିକୁ ଅନ୍ୟ ବିଭାଗକୁ ଅନଲାଇନ୍‌ରେ ପଠାଇପାରିବେ ସେନେଇ ଇ-ଡେସପାଚ୍‌ ବ୍ୟବସ୍ଥା ଆରମ୍ଭ ହୋଇଥିଲା। କିନ୍ତୁ ଏହାକୁ ଏବେ ରାଜ୍ୟ ସରକାରଙ୍କ କେତେକ ଅଧିକାରୀ ଦୁରୁପଯୋଗ କରୁଛନ୍ତି। ସବୁ ସୂଚନା ଓ ଚିଠି ଇ-ଡେସ୍‌ପାଚ୍‌ରେ ଦେବାକୁ କୁହାଯାଇଥିଲେ ହେଁ ଅନେକ ବିଭାଗ ଏହାକୁ ମାନୁନାହାନ୍ତି। ଏଥିପାଇଁ ବି ବିଭାଗୀୟ ମୁଖ୍ୟ କି ପ୍ରଶାସନ ମୁଖ୍ୟ ମୁଖ୍ୟ ଶାସନ ସଚିବଙ୍କର ତାଗିଦ୍‌ ନଥିବାରୁ ଅଧିକାରୀମାନେ ଲଗାମଛଡ଼ା ହୋଇଯାଇଛନ୍ତି।

ଅଧିକା˚ଶ ସମୟରେ ଇ-ଡେସ୍‌ପାଚ୍‌ ଖୋଲୁ ନଥିବାବେଳେ ଅଧିକା˚ଶ ସମୟରେ କେବଳ କେଉଁ ବିଭାଗର କେତେ ଚିଠି ଆସିଛି, କେତେ ଚିଠି ଯାଇଛି, କେଉଁ ଦିନ କେଉଁ ବିଭାଗକୁ କ’ଣ ପଠାଯାଇଛି (ସମସ୍ତ ବିଭାଗକୁ ନୁହେଁ) ତାହାର ବିଷୟବସ୍ତୁ ଓ ସ˚ଖ୍ୟା ଆସୁଛି। କିନ୍ତୁ ଏହାକୁ ଖୋଲି ପଢ଼ିବା ପାଇଁ ତାହା ଉପରେ କ୍ଲିକ୍‌ କଲେ ଯେଉଁ କୋଡ୍‌ ଆସୁଛି ତାହାକୁ ଟାଇପ୍‌ କଲେ ତାହା ନେଉନି। କୋଡ୍‌ ପୁଣି ବଦଳିଯାଉଛି। ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ବି ଇ-ଡେସ୍‌ପାଚ୍‌ରୁ ଚିଠି ଡାଉନଲୋଡ୍‌ କରିହେଉନି। ଏନେଇ କେତୋଟି ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେମାନେ ଉତ୍ତର ଦେଉଛନ୍ତି ଆମେ ଜାଣିନୁ।

ରାଜ୍ୟ ସରକାରଙ୍କର ସମସ୍ତ ତଥ୍ୟ ଇ-ଡେସ୍‌ପାଚ୍‌ରେ ଅପଡେଟ୍‌ କରିବା ନେଇ ତାଗିଦ୍‌ ନଥିବାରୁ ବହୁ ବିଭାଗ ଏହାର ଫାଇଦା ଉଠାଉଛନ୍ତି। ଯେମିତି ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଏମ୍‌ସି ଓ ବିଡିଏ। ଏହି ଦୁଇଟି ସ˚ସ୍ଥା ଗତ ଦୁଇ ବର୍ଷ ହେଲା ଇ-ଡେସ୍‌ପାଚ୍‌ରୁ ଉଭାନ୍‌ ହୋଇଯାଇଛନ୍ତି। କେଉଁ ଚିଠି ଆସୁଛି, ଯାଉଛି ତାହା ଅପଡେଟ୍‌ ହେଉନି। ୨୦୧୫ ସେପ୍ଟେମ୍ବରରୁ ବିଡିଏ କି ବିଏମ୍‌ସି କର୍ତ୍ତୃପକ୍ଷ କୌଣସି ବିଭାଗକୁ ଚିଠି ଦେଇନାହାନ୍ତି ବୋଲି ଇ-ଡେସପ୍ୟାଚ୍‌ରେ ପ୍ରଥମେ ଦେଖାଇଲା। ଯଦି ବିଏମ୍‌ସି କି ବିଡିଏ କୌଣସି ବିଭାଗକୁ ଚିଠି ଦେଉନାହାନ୍ତି ତେବେ ବିଭାଗୀୟ ଅଧିକାରୀମାନେ କିପରି କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶ୍ନ ଉଠିଲାଣି? ଏହାପରେ ଇ-ଡେସପାଚ୍‌ େଵବସାଇଟ୍‌ରୁ ବିଏମ୍‌ସି ଓ ବିଡିଏର ନାମ କାଟି ଦିଆଗଲା। ସ˚ସ୍ଥାର ନାମ ସିନା ଥିଲେ କିଏ କ୍ଲିକ କରିବ। ଆଉ କେଉଁ ବିଭାଗରୁ ଚିଠି ଆସିଛି, ଚିଠି ଯାଇଛି ସେ ବିଷୟରେ ଜାଣିବ। ନାମ ଉଡ଼ାଇ ଦେଲେ କେହି ଜାଣିବାର ନାହିଁ। କେବଳ ଏତିକିରେ କର୍ତ୍ତୃପକ୍ଷଙ୍କ କାରସାଦି ସରିନି। ବିଏମ୍‌ସି ଓ ବିଡିଏ ‌ୱେବସାଇଟରେ ଇ-ଡେସ୍‌ପାଚ୍‌ ଲେଖାଯାଇଛି। କେତେ ଚିଠି ପାଇଲେ, କେତେ ଚିଠି ଦେଲେ ତାହାର ସ˚ଖ୍ୟା ଅଛି। ହେଲେ ଏହା ଉପରେ କ୍ଲିକ୍‌ କଲେ ଏହା ଖୋଲୁନି। ଇ-ଡେସ୍‌ପାଚ୍‌ ସିନା ଖୋଲିଲେ କିଏ କିଛି ଜାଣିବ। ନ ଖୋଲିଲେ କିଛି ତଥ୍ୟ ପ୍ରଘଟ ହେବାର ନାହିଁ।

ସେହିପରି ଏକ ବିଭାଗ ହେଲା ଗୃହ ବିଭାଗ। ଏଥିରେ ବିଭାଗର ସୂଚନା ଜମା ନାହିଁ କହିଲେ ଚଳେ। କେବଳ ନୂଆଦିଲ୍ଲୀ, ମୁମ୍ବାଇ, କୋଲକତାର ଓଡ଼ିଶା ନିବାସ, ଓଡ଼ିଶା ଭବନ, ଉତ୍କଳ ଭବନ ଓ ଓଡ଼ିଶା ସଦନରେ କାହା ନାମରେ କେତେ ଦିନ ପାଇଁ ରୁମ୍‌ ବୁକି˚ ହୋଇଛି ତାହାର ସୂଚନା ଦିଆଯାଉଛି।

ଜଙ୍ଗଲ ଓ ପରିବେଶ ବିଭାଗ ସ୍ଥିତି ବି ସମାନ। ଏହି ବିଭାଗ ୧ମାର୍ଚ୍ଚ, ୨୦୧୬ରୁ କୌଣସି ବିଭାଗକୁ କିଛି ତଥ୍ୟ କି ଚିଠି ଦେଇନି। ଯାହା ମଝିରେ ମଝିରେ ପାଉଛି। ଶକ୍ତି ବିଭାଗ ୨୦୧୭ ଅଗଷ୍ଟ ପରେ ୨୯ ମେ, ୨୦୧୮ରେ ଓପିଟିସିଏଲ୍‌କୁ ଶେଷ ଚିଠି ଲେଖି ରହିଯାଇଛି। ଅର୍ଥ ବିଭାଗ ବି ମଝିରେ ମଝିରେ ଇଚ୍ଛା ହେଲେ ଚିଠି ଖଣ୍ତେ ପଠାଇ ଦେଉଛି ନହେଲେ ନାହିଁ। ଯେମିତି ଜାନୁଆରିରୁ ଜୁନ୍‌ ଭିତରେ ପ୍ରତି ମାସରେ ଗୋଟିଏ ଲେଖାଏଁ ଚିଠି ପଠାଇଛି। ଆଉ ଅକ୍ଟୋବରରେ ଦୁଇଟି ଚିଠି ପଠାଇଛି। କେବଳ ଏତିକି ନୁହେଁ ପ୍ରାୟ ସମସ୍ତ ବିଭାଗରେ ଏହିପରି ଅଚଳାବସ୍ଥା। ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକର ଅବସ୍ଥା ତ ଅତ୍ୟନ୍ତ ଶୋଚନୀୟ। ସେମାନଙ୍କୁ ପାଖକୁ କେବେ ଚିଠି ଯାଉଛି କି ଆସୁଛି ତାହା ଖୋଜିଲେ ବି ମିଳୁନି।

ସମ୍ବନ୍ଧିତ ଖବର