ରାଜ୍ୟ ସରକାରଙ୍କ ଇ-ଡେସପାଚ୍ ଦୀର୍ଘ ମାସ ହେବ ଅଚଳ, ଅପଡେଟ୍ ହେଉନାହିଁ ୱେବସାଇଟ୍

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୱେବସାଇଟ ଅପଡେଟ୍ ହେଉନାହିଁ । ସମୟ ତାରିଖ ସଠିକ୍ ଦେଖାଉଥିଲେ ମଧ୍ୟ ଏଥିରେ ଆଇଏଏସ୍ ଅଫିସରଙ୍କ ଅଦଳ ବଦଳର ତଥ୍ୟ ଅପଡ଼େଟ୍ ହେଉନଥିବା ଦେଖିବାକୁ ମିଳିଛି । ଉଦାହରଣ ସ୍ବରୂପ ନିକଟରେ ଉନ୍ନୟନ କମିଶନର ଦାୟିତ୍ୱରେ ଥିବା ଆର.ବାଲକ୍ରିଷ୍ଣନଙ୍କ ଅବସର ପରେ ଏହି ଦାୟିତ୍ବ ଗୃହ ବିଭାଗର ସଚିବ ଅସିତ୍ ତ୍ରିପାଠୀଙ୍କୁ ଦିଆଯାଇଛି । ହେଲେ ୱେବସାଇଟରେ ତାହା ଅପରିବର୍ତ୍ତିତ ରହିଛି । ସେହିଭଳି ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କ ବଦଳି ପରେ ମଧ୍ୟ ୱେବସାଇଟରେ ତାହା ପରିବର୍ତ୍ତନ କରାଯାଇନାହିଁ। ଏହି ଭଳି ବିଭିନ୍ନ ଆଇଏଏସ ଅଧିକାରୀଙ୍କ ଅଦଳବଦଳ ଏବଂ ମିଳିଥିବା ନୂଆ ଦାୟିତ୍ୱ ସମ୍ବନ୍ଧରେ କିଛି ଉଲ୍ଲେଖ ନାହିଁ ।

ଅନ୍ୟପଟେ ସରକାରୀ ତଥ୍ୟ ଭଣ୍ଡାର ବୋଲାଉଥିବା ଇ-ଡେସପାଚ୍ ଦୀର୍ଘ ମାସ ହେବ ଅଚଳ ପଡ଼ି ରହିଛି । ବିଗତ କିଛି ମାସ ହେବ ବିଭିନ୍ନ ବିଭାଗର ନା କୌଣସି ଯୋଜନାର ତଥ୍ୟ ନା କୌଣସି ପ୍ରଶାସନିକ ଚିଠିର ହୋଇଛି ଆଦାନ ପ୍ରଦାନ । ଏପରିକି ଗତ ୨୦୧୮ ଏପ୍ରିଲ ମାସରୁ ଅନେକ ବିଭାଗକୁ କୌଣସି ବି ଯୋଜନା କିମ୍ବା ଚିଠି ପ୍ରଶାସନିକ ସ୍ତରରୁ ପ୍ରାପ୍ତି ହୋଇନାହିଁ ଯାହା ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥ୍ରି-ଟି ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ଲୋକମାନଙ୍କ ସହିତ ଯୋଡ଼ି ହେବାକୁ ସରକାରୀ କଳକୁ ଦାୟିତ୍ୱ ଦେଇଥିଲେ । କିନ୍ତୁ ଏହାକୁ ସରକାରୀ କଳ ଭୁଲିଯିବା ଭଳି ମନେହେଉଛି।

ସମ୍ବନ୍ଧିତ ଖବର