ବୟନ ଶିଳ୍ପ ବିଭାଗରେ ଅବସର ପରେ ପୁନଃନିଯୁକ୍ତି ପ୍ରସଂଗ : ଅଙ୍କୁଶ ଲଗାଇଲେ ହାଇକୋର୍ଟ

କଟକ : ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ନେଇ ଅନେକ ସମୟରେ ଚାକିରି ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିବାବେଳେ ହାଇକୋର୍ଟ ଏପରି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ହସ୍ତତନ୍ତ, ବୟନଶିଳ୍ପ ବିଭାଗରେ ସହକାରୀ ନିର୍ଦ୍ଦେଶକ (ରେଶମ ଶିଳ୍ପ) ପଦବିରେ ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତି ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଏହି ପଦବିରେ ୨୦୨୧ ଜାନୁଆରି ୧୯ ତାରିଖ ପର୍ଯ୍ୟନ୍ତ କୌଣସି ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ/ନିଯୁକ୍ତି ପ୍ରଦାନ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନି‌‌ର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏ ସଂପର୍କିତ ମାମଲାରେ ରାଜ୍ୟ ସରକାର, ପଞ୍ଚାୟତିରାଜ ସଚିବ, କୋ-ଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାର, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଓ ଅନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶାଶ୍ବତୀ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, ବୟନଶିଳ୍ପ ନିର୍ଦ୍ଦେଶାଳୟରେ ଖାଲି ପଡ଼ିଥିବା ସହକାରୀ ନିର୍ଦ୍ଦେଶକ (ରେଶମ ଶିଳ୍ପ) ପଦବିକୁ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରା ନଯାଇ ଅବସରପ୍ରାପ୍ତ ଅଧିକାରୀଙ୍କୁ ଏହି ପଦବିରେ ଅବସ୍ଥାପିତ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ଉଦ୍ଭିଦ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତୋକତ୍ତର ପାସ୍ କରିଥିବା ଆବେଦନକାରୀ ନିଯୁକ୍ତି ପାଇଁ ଆଶୟୀ ଥିବାବେଳେ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ସହକାରୀ ନିର୍ଦ୍ଦେଶକ ପଦବିରେ ଏପରି ନିଯୁକ୍ତିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡ. ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର