ସରକାରୀ ବିଭାଗ ପାଇଁ ଇ-ଫାଇଲିଂ ବାଧ୍ୟତାମୂଳକ

ଇ-ମେଲ୍ ଆଲର୍ଟ ବ୍ୟବସ୍ଥାରେ ହାଇକୋର୍ଟଙ୍କ ରାୟ ମିଳିବ

କଟକ : ବିଭିନ୍ନ ସମୟରେହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପାଇଁ ସରକାରୀ ବିଭାଗକୁ ବହୁଦିନ ଅପେକ୍ଷା କରିବାକୁ ପଡ଼ୁଛି। ଏଣିକି ଏଭଳି ସମସ୍ୟା ଆଉ ରହିବ ନାହିଁ। ନୂଆ ବ୍ୟବସ୍ଥା ଅନୁସାରେ ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ ସଂପର୍କିତ ସୂଚନା ବିଭିନ୍ନ ସରକାରୀ ବିଭାଗ ଗୁଡିକ ତୁରନ୍ତ ଇ-ମେଲ ମାଧ୍ୟମରେ ପାଇପାରିବେ। ଏଥିପାଇଁ ଅଟୋମେଟେଡ୍ ଇ-ମେଲ ଆଲର୍ଟ ବ୍ୟବସ୍ଥା ନଭେମ୍ବର ୧ରୁ ଆରମ୍ଭ କରାଯାଇଛି। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ହାଇକୋର୍ଟ ପ୍ରଦାନ କରୁଥିବା ରାୟ ଓ ନିର୍ଦ୍ଦେଶନାମା ୱେବ୍‌ସାଇଟ୍‌ରେ ଅପଲୋଡ୍‌ ହେବାକ୍ଷଣି ମାମଲାରେ ପକ୍ଷ ଥିବା ସମ୍ପୃକ୍ତ ସରକାରୀ ବିଭାଗର ଇ-ମେଲ୍‌କୁ ଏହା ପଠାଯିବ। କେସ୍‌ ଇନଫରମେସନ ସିଷ୍ଟମ(ସିଆଇଏସ)ରେ ପଞ୍ଜୀକୃତ ସରକାରୀ ବିଭାଗ ଗୁଡିକ ଇ-ମେଲ ମାଧ୍ୟମରେ ଏପରି ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶର କପି ପାଇପାରିବେ। ଇ-ମେଲ୍ ଆଲର୍ଟ ବ୍ୟବସ୍ଥା ସ୍ବାଭାବିକ ଭାବେ କାର୍ଯ୍ୟ କରିବାଲାଗି ମାମଲା ଫାଇଲିଂ ଓ ରେଜିଷ୍ଟ୍ରେସନ ସମୟରେ ବିଭିନ୍ନ ସରକାରୀ ବିଭାଗକୁ ଠିକ ଭାବେ ଟ୍ୟାଗ୍ କରାଯିବ। ସିଆଇଏସରେ ସବୁ ସରକାରୀ ବିଭାଗର ମାଷ୍ଟର ଡାଟା ରଖାଯିବ। ବିଭିନ୍ନ ସରକାରୀ ବିଭାଗର ନୋଡାଲ ଅଫିସର, ଇ-ମେଲ ଆଇଡି ଓ ଅନ୍ୟାନ୍ୟ ତଥ୍ୟ ସଂଲଗ୍ନ କରିବା ସହିତ ଏ ସଂପର୍କିତ ବିସ୍ତୃତ ତଥ୍ୟ ଅପ‌ଗ୍ରେଡ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ନଭେମ୍ବର ୧ ତାରିଖରୁ ରାଜ୍ୟ ସରକାରଙ୍କ ପ୍ରତି ବିଭାଗ ପାଇଁ ହାଇକୋର୍ଟରେ ମାମଲା ଗୁଡିକର ଇ-ଫାଇଲିଂକୁ ବାଧ୍ୟତାମୂଳକ କରାଯାଇଛି। ଇ-ଫାଇଲିଂ ପରେ ଏହାର ହାର୍ଡକପି ଦାଖଲ କରାଯିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି। ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଏଜେନ୍ସି ଗୁଡିକ ଇ-ଫାଇଲିଂ ବ୍ୟବସ୍ଥା ଦ୍ବାରା ମାମଲା ଦାୟର କରିବେ। ଇ-ଫାଇଲିଂ ମାଧ୍ୟମରେ ଦାଖଲ କରାଯାଉଥିବା ଡକ୍ୟୁମେଣ୍ଟର ହାର୍ଡ କପି ଦାଖଲ ଆବଶ୍ୟକ ନାହିଁ। ଇ-ଫାଇଲିଂ ମାଧ୍ୟମରେ ଦାଖଲ ମାମଲା ସଂପର୍କିତ  ଅରିଜିନାଲ ଡକ୍ୟୁମେଣ୍ଟ ପକ୍ଷ ପାଖରେ ରଖିବେ। ଏହି ପ୍ରସଂଗରେ ସମସ୍ୟା ହେଲେ ହାଇକୋର୍ଟଙ୍କ ଇ-ଫାଇଲିଂ ଷ୍ଟେସନର ସହାୟତା ନିଆଯାଇ ପାରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସେହିପରି କେନ୍ଦ୍ର ସରକାରଙ୍କ ପାଇଁ ଆସନ୍ତା ଡିସେମ୍ବର ୧ତାରିଖରୁ ହାଇକୋର୍ଟରେ ମାମଲା ଗୁଡିକର ଇ-ଫାଇଲିଂ ବାଧ୍ୟତାମୂଳକ କରାଯାଇଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର