ଓଡ଼ିଶା ହାଇକୋର୍ଟରେ ଆରମ୍ଭ ହେଲା ଇ-ଫାଇଲିଂ ସୁବିଧା, ଭିଡିଓ କନଫେରେନ୍ସିଂ ଜରିଆରେ ହେବ ଶୁଣାଣି

କଟକ: କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଜରୁରୀ ମାମଲା ଦାୟର ଓ ଶୁଣାଣି ପାଇଁ ଆଇନଜୀବୀଙ୍କୁ ଆଉ ବ୍ୟକ୍ତିଗତ ଭାବେ ଓଡ଼ିଶା ହାଇକୋର୍ଟକୁ ଯିବାକୁ ପଡିବ ନାହିଁ। ଘରେ ବସି ଆଇନଜୀବୀ ଓ ମହକିଲମାନେ ଇ-ଫାଇଲିଂ ଜରିଆରେ ହାଇକୋର୍ଟରେ ମାମଲା ରୁଜୁ କରି ପାରିବେ। ଏଥି ସହିତ ମାମଲାର ଶୁଣାଣି ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ। ଫଳରେ ଶୁଣାଣି ପାଇଁ ମଧ୍ୟ ଆଇନଜୀବୀ ଓ ପକ୍ଷଙ୍କୁ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ପଡିବ ନାହିଁ।

ଆଜି ଓଡ଼ିଶା ହାଇକୋର୍ଟ ଏଥି ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ହାଇକୋର୍ଟ ଏ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରି ‘ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡିଓ କନଫରେନ୍ସିଂ ସ୍କିମ୍, ୨୦୨୦’ ପ୍ରଣୟନ କରିଛନ୍ତି।  ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ସମସ୍ତଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହେବ। ଦାୟର କରାଯିବାକୁ ଥିବା ଆବେଦନ ସହିତ ଆବଶ୍ୟକ ନଥିପତ୍ରର ସ୍କାନ କପି ଇ-ମେଲ୍ ମାଧ୍ୟମରେ ହାଇକୋର୍ଟରେ ଦାଖଲ କରାଯିବ। ଇ-ଫାଇଲିଂ ପାଇଁ ‘[email protected]’ ଇ-ମେଲ୍ ଆଇଡିକୁ ଏହି ସବୁ କପି ପଠାଯିବ।

ମାମଲାର ଶୁଣାଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଯଦି କିଛି ସମସ୍ୟା ସୃଷ୍ଟି ହୁଏ କିମ୍ବା ଏ ନେଇ କିଛି ଅଭିଯୋଗ ଥିଲେ ଭିସି ହେଲ୍ପଲାଇନ ନମ୍ବର ୯୪୩୭୯୦୦୫୫୦ରେ ଯୋଗାଯୋଗ କରାଯାଇ ପାରିବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଯେଉଁ ଆଇନଜୀବୀ ଓ ମହକିଲଙ୍କ ମାମଲା ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ହେବ ସେମାନେ କୋର୍ଟ କାର୍ଯ୍ୟ ଆରମ୍ଭର ଏକ ଘଣ୍ଟା ପୂର୍ବରୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବେ। ଯାହା ଦ୍ବାରା ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କାର୍ଯ୍ୟକ୍ଷମ ନେଇ ଟେଷ୍ଟ କରାଯାଇ ପାରିବ। ଏଥି ପାଇଁ ଆଇନଜୀବୀ ଓ ମହକିଲମାନେ ନିଜ ଡିଭାଇସରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ସଂପର୍କିତ ସଫ୍ଟଓୟାର ଆପ୍ଲିକେସନ୍ ଉପଲବ୍ଧ ସୁନିଶ୍ଚିତ କରିବେ।

ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡିଓ କନଫରେନ୍ସିଂ ସ୍କିମ୍, ୨୦୨୦ର ସମସ୍ତ ତଥ୍ୟ ହାଇକୋର୍ଟ ୱେବସାଇଟରେ ଅପଲୋଡ୍ କରାଯାଇଥିବା ବେଳେ ଏଭଳି ବ୍ୟବସ୍ଥା ଏପ୍ରିଲ ୯ରୁ କାର୍ଯ୍ୟକାରୀ ହେବ। ସେହିଭଳି ଭାବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପାଇବାକୁ ଆଉ ଯିବାକୁ ପଡିବ ନାହିଁ। ହାଇକୋର୍ଟଙ୍କ ୱେବସାଇଟରେ ଏ ସଂପର୍କିତ ସବିଶେଷ ବିବରଣୀ ମିଳି ପାରିବ। ଏପରି ବ୍ୟବସ୍ଥା ଦ୍ବାରା ଲୋକମାନେ ଲକ୍‌ଡାଉନ ଓ ସଟ୍‌ଡାଉନ ଭଳି ସମୟରେ ମଧ୍ୟ ଘରେ ବସି ନିଜ ମାମଲା ହାଇକୋର୍ଟରେ ଦାୟର କରି ପାରିବେ ଓ ଶୁଣାଣି ମଧ୍ୟ ସମ୍ଭବପର ହେବ।

ସମ୍ବନ୍ଧିତ ଖବର