କଟକ : ଇ-ଏଫଆଇଆର୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରସଙ୍ଗରେ ପୁଲିସ ଡିଜିଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ରାଜ୍ୟରେ ଇ-ଏଫଆଇଆର ପଞ୍ଜୀକରଣ ସମ୍ଭାବନା ପ୍ରସଙ୍ଗରେ ଅନୁଶୀଳନ କରିବା ପାଇଁ ଡିଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏ ସମ୍ପର୍କିତ ମାମଲାର ଶୁଣାଣି କରି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ମହିଳାଙ୍କ ବିରୋଧରେ ହେଉଥିବା ଅପରାଧିକ ଘଟଣାରେ ଇ-ଏଫ୍ଆଇଆର୍ ପଞ୍ଜୀକରଣ ଦ୍ବରା ବହୁଦୂର ପର୍ଯ୍ୟନ୍ତ ଏପରି ସ୍ଥିତିର ମୁକାବିଲା କରାଯାଇ ପାରିବ। ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ। ଇ-ଏଫଆଇଆର୍ ପଞ୍ଜୀକରଣ ବ୍ୟବସ୍ଥା ସମ୍ଭାବନା ପ୍ରସଙ୍ଗ ୧୫ ଦିନ ଭିତରେ ଜବାବ ଦାଖଲ ପାଇଁ ପୁଲିସ ଡିଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେ.ପାତ୍ରଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ଜାନୁଆରି ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଏତଲା ପଞ୍ଜୀକରଣ କରିବା କ୍ଷେତ୍ରରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଡିସେମ୍ବର ୧ରେ ହାଇକୋର୍ଟ ମାମଲାର ଶୁଣାଣି କରି କଟକ ସଦର ଥାନା ଆଇଆଇସିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମାମଲାର ଶୁଣାଣି ସମୟରେ ଭର୍ଚୁଆଲ ମୋଡ୍ରେ ସଦର ଥାନା ଆଇଆଇସି ରଶ୍ମିରଂଜନ ମହାପାତ୍ର ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ଆବେଦନକାରୀଙ୍କ ଅଭିଯୋଗ ଇତିମଧ୍ୟରେ ସଦର ଥାନାରେ ଏଫଆଇଆର ଭାବେ ପଞ୍ଜୀକରଣ କରାଯାଇଛି ବୋଲି ସରକାରଙ୍କ ତରଫରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଏ.କେ.ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।