ଓଡ଼ିଶାର ଇ-ଗେଜେଟ୍‌ ପୋର୍ଟାଲ୍‌ ଉଦ୍‌ଘାଟିତ : ଏବେ ସହଜରେ ମିଳିବ ଗେଜେଟ୍‌ ବିଜ୍ଞପ୍ତି, ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିହେବେ ଗେଜେଟ୍‌

କାଗଜ ଖର୍ଚ୍ଚ କମିବ, ଦୌଡ଼ିବାକୁ ପଡ଼ିବନି

ଭୁବନେଶ୍ବର : ଗେଜେଟ୍‌ ବିଜ୍ଞପ୍ତି ଶାସନ ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏହି ଗେଜେଟ୍‌ ଏବେ ସାଧାରଣ ଲୋକଙ୍କୁ ସହଜରେ ମିଳିପାରିବ। ଏଥି ପାଇଁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ଓ ଲୋକସେବା ଭବନ ଆସିବାକୁ ପଡ଼ିବ ନାହିଁ। ଘରେ ବସି ଇ-ଗେଜେଟ୍‌ ପୋର୍ଟାଲ୍‌ରୁ ଏହାକୁ ଡାଉନ୍‌ଲୋଡ୍‌ କରି ହେବ। ୫-ଟି ସୂତ୍ରର ରୂପାୟନର ଏକ ପଦକ୍ଷେପ ସ୍ବରୂପ ନୂଆ ବର୍ଷର ଆରମ୍ଭରୁ ଓଡ଼ିଶା ସରକାରୀ ମୁଦ୍ରଣାଳୟର ଏହି ଇ-ଗେଜେଟ୍‌ ପୋର୍ଟାଲ୍‌ କାର୍ଯ୍ୟକ୍ଷମ ହୋଇଛି।

ଆଜି ଲୋକସେବା ଭବନରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ପୋର୍ଟାଲ୍‌କୁ ଉନ୍ମୋଚନ କରିଥିଲେ। ଶ୍ରୀ ତ୍ରିପାଠୀ କହିଥିଲେ, ଇ-ଗେଜେଟ୍‌ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲିଖୁଣ୍ଟ। ଏହା ଦ୍ବାରା ଗେଜେଟ୍‌ ବିଜ୍ଞପ୍ତି ତ୍ବରିତ ଓ ତ୍ରୁଟିମୁକ୍ତ ହେବ। ଏହା ଦ୍ବାରା ଅଧିକ କାଗଜ ପରିବହନ ଆବଶ୍ୟକ ହେବ ନାହିଁ ଓ ମୁଦ୍ରଣ ଖର୍ଚ୍ଚ କମ୍ ହେବ। ଇ-ଗେଜେଟ୍‌ ବ୍ୟବସ୍ଥାର ପୂର୍ଣ୍ଣ ଉପଯୋଗ କରିବାକୁ ସମସ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ‌େଦଇଥିଲେ।

ଏହି ପୋର୍ଟାଲ୍‌ ସମ୍ପର୍କରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି ଶ୍ରୀନିବାସ କହିଲେ, ଏଥିରେ ବିଭାଗ ଓ ବିଷୟୱାରି ଗେଜେଟ୍‌ ଖୋଜିବାର ବ୍ୟବସ୍ଥା ରହିବ। ଯେ କୌଣସି ବ୍ୟକ୍ତି http://egazetteodisha.nic.in ରେ ଲଗ୍‌ଇନ୍ କରି ତାଙ୍କ ଆବଶ୍ୟକତା ଅନୁସାରେ ଗେଜେଟ୍‌ ପାଇପାରିବେ। ସୂଚନା ଓ ପ୍ରଯୁୂକ୍ତି ବିଦ୍ୟା ସଚିବ ମନୋଜ ମିଶ୍ର କହିଲେ, ଇ-ଗେଜେଟ୍‌ ଏକ ସ୍ବୀକୃତିପ୍ରାପ୍ତ ସାର୍ବଜନନୀ ପତ୍ରିକା। ଏହାକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ପ୍ରସ୍ତୁତ କରାଯାଇଛି। ଏପରି ମୁଦ୍ରଣ ଆଇଟି ଆଇନ୍‌ର ଧାରା ୮ ଅନୁଯାୟୀ ଆଇନସିଦ୍ଧ ଅଟେ।

ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରଙ୍କ ବିଭିନ୍ନ ବିଭାଗ ଇ-ଗେଜେଟ୍‌ ପୋର୍ଟାଲ୍‌ରେ ନିଜକୁ ପଞ୍ଜୀକୃତ କଲା ପରେ ପ୍ରକାଶ ପାଇଁ ନିର୍ଦ୍ଧାରିତ ବିଷୟବସ୍ତୁ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବେ। ଗେଜେଟ୍‌ର ନମ୍ବର ଓ ତାରିଖ ପୋର୍ଟାଲ୍‌ରେ ପ୍ରଦର୍ଶିତ ହେବ। ବିଷୟବସ୍ତୁର ବୈଧକରଣ ପାଇଁ ଇ-ଦସ୍ତଖତ ବ୍ୟବସ୍ଥା କରାଯାଇଛି। ଫଳରେ କେହି କୌଣସି ବିଷୟବସ୍ତୁକୁ ପରିବର୍ତ୍ତନ ବା ବିକୃତ କରିପାରିବେ ନାହିଁ। ଏହି ପୋର୍ଟାଲ୍‌ ଏନ୍‌ଆଇସି ଦ୍ବାରା ଡିଜାଇନ୍ କରାଯାଇଛି, ଯାହା କି ଭାରତରେ ପ୍ରଥମ। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର୍‌ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସରକାରୀ ମୁଦ୍ରଣାଳୟର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର