ରାଜ୍ୟ ଅବକାରୀ ବିଭାଗକୁ ଇ-ଗଭର୍ଣ୍ଣାନ୍ସ ପୁରସ୍କାର

ଭୁବନେଶ୍ବର : ୨୦ତମ କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆର ସ୍ବତନ୍ତ୍ର ଆଗ୍ରହ ଗୋଷ୍ଠୀ ପକ୍ଷରୁ ରାଜ୍ୟ ଅବକାରୀ ବିଭାଗକୁ ସମ୍ମାନଜନକ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ବୈଷୟିକ ବିଶ୍ବବିଦ୍ୟାଳୟଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ରାଜ୍ୟ ଅବକାରୀ କମିସନର ଆଶିଷ କୁମାର ସିଂହ ଏବଂ ଏନଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଞ୍ଜନ ବିଶ୍ୱାଳ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଅବକାରୀ ବିଭାଗରେ ଇ- ଅବକାରୀ କମ୍ପ୍ୟୁଟରୀକରଣ ସହିତ ପ୍ରଯୁକ୍ତି ବିଦ୍ୟାର ସଫଳ କାର୍ଯ୍ୟକାରିତା ପାଇଁ କମ୍ପ୍ୟୁଟର ସୋସାଇଟି ଅଫ୍ ଇଣ୍ଡିଆର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ପ୍ୟାନେଲର ସୁପାରିସ ଆଧାରରେ ବିଭାଗକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏହି ସମ୍ମାନଜନକ ପୁରସ୍କାର ବ୍ୟତୀତ ରାଜ୍ୟ ଅବକାରୀ ବିଭାଗ ଚଳିତ ଆର୍ଥିକ ବର୍ଷରେ ଜାତୀୟସ୍ତରରେ ଆଉ ଦୁଇଟି ପୁରସ୍କାର ଗ୍ରହଣ କରିଛି। ଇ-ଅବକାରୀର ସଫଳ କାର୍ଯ୍ୟକାରିତା ପାଇଁ ଅବାକାରୀ ବିଭାଗ ସମ୍ମାନଜନକ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପାଇଛି ଏବଂ ରାଷ୍ଟ୍ରପତିଙ୍କ ଠାରୁ ୨୦୨୩ ଜାନୁଆରି ୭ରେ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଏବଂ ଅବକାରୀ କମିସନର ଆଶିଷ କୁମାର ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିଭଳି ଅବକାରୀ ବିଭାଗରେ ଆଇସିଟି କାର୍ଯ୍ୟକାରିତା ପାଇଁ ୨୦୨୨ ଡିସେମ୍ବର ୨୫ରେ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍‌ ସେଣ୍ଟରଠାରେ ରାଜ୍ୟ ଅବକାରୀ ବିଭାଗକୁ ସ୍କଚ୍‍ ଗ୍ରୁପ୍‍ର ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର