ଜାନୁଆରି ପହିଲାରୁ ଇ-ଚିହ୍ନଟ ପୋର୍ଟାଲ: ବୈଧ କାଗଜପତ୍ର ନଥିବା ଗାଡ଼ିରୁ ଚାଲାଣ କଟିବ

କଟକ: ରାଜପଥରେ ଚାଲୁଥିବା ଶହ ଶହ ଗାଡ଼ିର ବୈଧ କାଗଜପତ୍ର ନାହିଁ। ଏଭଳି ତଥ୍ୟ ଟୋଲ୍ ଗେଟରୁ ପରିବହନ ବିଭାଗ ହସ୍ତଗତ କରିଛି। ଏହି ଖିଲାପୀ ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ଇ-ଚିହ୍ନଟ ପୋର୍ଟାଲ୍ ଆରମ୍ଭ କରିଛି। ଏହି ପୋର୍ଟାଲ୍ ମାଧ୍ୟମରେ ବୈଧ କାଗଜପତ୍ର ନଥିବା ଗାଡ଼ି ଗୁଡ଼ିକୁ ଚିହ୍ନଟ କରାଯିବ। ଏଭଳି ଗାଡ଼ି ଯଦି ରାସ୍ତାରେ କୌଣସି ଅଘଟଣ ଘଟାଏ, ତେବେ ଗାଡ଼ି ମାଲିକଙ୍କୁ ବୀମାର ସମସ୍ତ ପ୍ରକାର ସୁବିଧାରୁ ବଞ୍ଚିତ କରାଯିବ ବୋଲି ପରିବହନ କମିସନରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

କୌଣସି ଯାନ ରାସ୍ତାରେ ଚଳାଚଳ ପାଇଁ ପଞ୍ଜୀକରଣ ପ୍ରମାଣପତ୍ର ସହିତ ଫିଟନେସ୍ ସାର୍ଟିଫିକେଟ୍, ବୀମା, ପଲ୍ୟୁସନ୍ ସାର୍ଟିଫିକେଟ ଏବଂ ଡ୍ରାଇଭିଂ ଲାଇସେନ୍ସ ଗାଡ଼ି ଚାଳକଙ୍କ ପାଇଁ ବାଧ୍ୟତାମୂଳକ ଅଟେ। କିନ୍ତୁ, ଜାତୀୟ ରାଜପଥରେ ଥିବା ଟୋଲ୍ ଫାଟକରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜପଥରେ ଚଳାଚଳ କରୁଥିବା ଶହ ଶହ ସଂଖ୍ୟାରେ ଗାଡ଼ିର ବୈଧ କାଗଜପତ୍ର ନାହିଁ। ତେଣୁ ଏଭଳି ଯାନବାହନ ଚିହ୍ନଟ ପାଇଁ ପରିବହନ ବିଭାଗ ଇ-ଚିହ୍ନଟ ପୋର୍ଟାଲ୍ ପ୍ରସ୍ତୁତ କରିଛି। ପ୍ରଥମ ପର୍ଯ୍ୟାୟରେ ଏନ୍‌ଏଚ୍‌ଏଆଇର ଟୋଲ୍‌ ଗେଟ୍‌ଗୁଡ଼ିକ ପୋର୍ଟାଲ ସହିତ ଯୋଡ଼ି ହୋଇଛନ୍ତି। ପରବର୍ତ୍ତୀ ସମୟରେ ଖଣି ଏବଂ ଶିଳ୍ପ କ୍ଷେତ୍ରରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ। ଏ ସମ୍ପର୍କରେ ବାହାନ ପୋର୍ଟାଲରେ ସମ୍ପୂର୍ଣ୍ଣ ତଥ୍ୟ ସହିତ ବିଶ୍ଳେଷଣ କରାଯିବ।

ଫାଷ୍ଟଟ୍ୟାଗ୍ ମାଧ୍ୟମରେ ଅଣାଯାଇଥିବା ତଥ୍ୟ ଏବଂ ଗାଡ଼ି ଟୋଲ୍ ଗେଟ୍ ଦେଇ ଯିବା ସମୟରେ ଏଭଳି ବିନା କାଗଜପତ୍ରରେ ଚଳାଚଳ କରୁଥିବା ଗାଡ଼ି ସମ୍ପର୍କରେ ପୋର୍ଟାଲ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯିବ। ଆସନ୍ତା ଜାନୁଆରି ୧ ତାରିଖରୁ ରାଜପଥରେ ଇ-ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବାକୁ ପରିବହନ ବିଭାଗ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ପରିବହନ ବିଭାଗର ଯୁଗ୍ମ କମିସନର ଦୀପ୍ତିରଞ୍ଜନ ପାତ୍ର (ଟେକନିକାଲ୍) କହିଛନ୍ତି ଯେ ପୋର୍ଟାଲ ଏଭଳି ବୈଧ କାଗଜପତ୍ର ନଥିବା ଗାଡ଼ି ଗୁଡ଼ିକ ଉପରେ ନଜର ରଖିବ। ବିଭିନ୍ନ ଟୋଲ୍ ଫାଟକରୁ ଏଭଳି ଗାଡ଼ି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ। ବୈଧ କାଗଜପତ୍ର ବିନା ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ସ୍ବୟଂଚାଳିତ ଭାବେ ଚାଲାଣ କଟାଯିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର