କୁଷ୍ଠ ଆକ୍ରାନ୍ତଙ୍କ ଥଇଥାନ ପ୍ରସଙ୍ଗ: ୩୧ ସୁଦ୍ଧା କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାଜ୍ୟରେ କୁଷ୍ଠ ନିରାକରଣ ଓ କୁଷ୍ଠ ଆକ୍ରାନ୍ତଙ୍କ ଥଇଥାନ ପ୍ରସଙ୍ଗକୁ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୁଷ୍ଠ ଆକ୍ରାନ୍ତ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କ ଥଇଥାନ ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପର ତଦାରଖ କରିବ ଏହି କମିଟି। ଏହି ପ୍ରସଙ୍ଗରେ ବିଭିନ୍ନ ସମୟରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ଓ ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀକୁ ସୁନିଶ୍ଚିତ କରାଯିବ। ଏହି କମିଟି ଆସନ୍ତା ୩୧ ସୁଦ୍ଧା ଗଠନ କରି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠଏ ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠଙ୍କ ନିର୍ଦ୍ଦେଶ ମୁତାବକ କମିଟିରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବ ଆବାହକ ଭାବେ କାର୍ଯ୍ୟ କରିବେ । ରାଜ୍ୟର ୧୩ କୁଷ୍ଠ କଲୋନି ରହିଥିବା ଜିଲ୍ଲାର ଜିଲ୍ଲାପାଳ, ସମ୍ପୃକ୍ତ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଦୁଇ ଆମିକସକ୍ୟୁରୀ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓ ଆଇନଜୀବୀ ପାମି ରଥଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁନ ଓ ଜୁଲାଇରେ ଏହି କମିଟି ବୈଠକ କରି ଏ ସଂପର୍କିତ ରିପୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରିବେ। କ’ଣ ସବୁ ପଦକ୍ଷେପ ଏହି ପ୍ରସଂଗରେ ଆବଶ୍ୟକ ସେ ନେଇ କମିଟି ବୈଠକ ରିପୋର୍ଟରେ ଉଲ୍ଲେଖ କରାଯିବ। ବିପିନବିହାରୀ ପ୍ରଧାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟରେ ଆଜି ଏହି ମାମଲାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବଙ୍କ ସମେତ ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ଓ କଟକ ଜିଲ୍ଲାପାଳ ପୃଥକ ସତ୍ୟପାଠ ଦାଖଲ କରିଛନ୍ତି। ରାଜ୍ୟରେ ସରକାରଙ୍କ ସତ୍ୟପାଠରେ କୁଷ୍ଠ ଆକ୍ରାନ୍ତଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ନେଇ ସବିଶେଷ ତଥ୍ୟ ନଥିବାରୁ ସାନି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର