ଭୁବନେଶ୍ବର : ଜଳସମ୍ପଦ ବିଭାଗରେ ୫-ଟି ଆଧାରରେ ଦୁଇଟି ୱେବ୍ ତଥା ମୋବାଇଲ ଆପ୍ଲିକେସନ୍ ‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ୍’ (ସେଚାଞ୍ଚଳ ଉନ୍ନୟନ) ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଛି।
ଇ-ଜଳାଶୟ ପୋର୍ଟାଲ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ, ଗ୍ରାମପଞ୍ଚାୟତ ଓ ଗ୍ରାମ ସ୍ତରରେ ଥିବା ପ୍ରାୟ ୧୯ହଜାର ଜଳାଶୟର ଅବସ୍ଥିତି, ଜଳଧାରଣ କ୍ଷମତା ସମ୍ପର୍କରେ ତଥ୍ୟ ମିଳିବା ସହ ଜଳ ସଞ୍ଚୟର ସ୍ଥିତିକୁ ଦେଖି ସେହି ଅନୁସାରେ ବିନିଯୋଗ କରାଯିବ। ସେହିପରି ଇ-କ୍ୟାଡ୍ ବ୍ୟବସ୍ଥାରେ ରାଜ୍ୟର ପ୍ରାୟ ୩୭ହଜାର ପାଣି ପଞ୍ଚାୟତଗୁଡ଼ିକର ସ୍ଥିତି, ସେସବୁର ପରିଚାଳନା ଓ କାର୍ଯ୍ୟ ସମ୍ପର୍କରେ ଅପ୍ ଟୁ ଡେଟ୍ ତଥ୍ୟ ମିଳିବ। ଆଜି ଏହି ଦୁଇଟି ଆପ୍ଲିକେସନ୍କୁ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଉଦ୍ଘାଟନ କରି କହିଛନ୍ତି, ରାଜ୍ୟରେ ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ଓ ବ୍ୟାରେଜ୍ ଆଦି ବ୍ୟବସ୍ଥାରେ ବିଭିନ୍ନ ଜଳଭଣ୍ଡାରଗୁଡ଼ିକରେ ଯେଉଁ ପରିମାଣର ଜଳ ସଞ୍ଚୟ ହୋଇ ରହୁଛି, ସେସବୁକୁ ଚାଷୀମାନଙ୍କର ଆବଶ୍ୟକତା ସମୟରେ ଠିକ୍ ସମୟରେ ପହଞ୍ଚାଯାଇବା ସହ ସେଚାଞ୍ଚଳର ଶେଷ ମୁଣ୍ଡରେ ଥିବା କ୍ଷେତକୁ ପାଣି ପହଞ୍ଚିପାରିବ। ଏହାଦ୍ବାରା କୃଷି, ଶିଳ୍ପ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଆବଶ୍ୟକତା ପୂରଣ କରାଯାଇପାରିବ। ଏହି କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ କହିଥିଲେ ଆଗାମୀ ଦିନରେ ଜଳସେଚନ ପରିଚାଳନା, ବିଭିନ୍ନ ପ୍ରକଳ୍ପ ପରିଚାଳନା ଓ ଜଳବାୟୁ ପୂର୍ବାନୁମାନ ସ୍ଥିତିକୁ ଦେଖି ବିଭାଗରେ ମୋଡ୍ୟୁଲମାନ ପ୍ରସ୍ତୁତ କରାଯାଉଛି।